ଭୁବନେଶ୍ୱର,(ଏସ୍ ନ୍ୟୁଜ): ଖରା ଦିନ ଆସିଗଲେ ଓଡ଼ିଆ ଘରେ ଖୋଜା ପଡ଼େ ପଖାଳ। ଓଡିଆଙ୍କ ଏହି ପାରମ୍ପରିକ ଓ ପ୍ରିୟ ଖାଦ୍ୟକୁ ମିଳିଛି ସ୍ୱତନ୍ତ୍ର ପରିଚୟ। ଯେତେ ଯାହା ଖାଇଲେ ବି ପଖାଳ ମୁଠେ ପେଟରେ ପଡ଼ିଗଲେ ମନ ଓ ଦେହକୁ ଯେଉଁ ଶାନ୍ତି ମିଳେ, ତାହା ଅନ୍ୟ କେଉଁଥିରେ ମିଳେନାହିଁ। ଓଡ଼ିଶା ଓ ଓଡ଼ିଆଙ୍କ ଖାଦ୍ୟରୁଚି ତାଲିକାରେ ପଖାଳର ସ୍ଥାନ ସ୍ୱତନ୍ତ୍ର।
ଏହାକୁ ଦୃଷ୍ଟିରେ ରଖି, ବିଶ୍ୱର କୋଣଅନୁକୋଣରେ ଓଡ଼ିଆଙ୍କର ଏହି ପାରମ୍ପରିକ ଓ ସୁସ୍ୱାଦୁ ଖାଦ୍ୟକୁ ଲୋକପ୍ରିୟ କରାଇବାକୁ ମାର୍ଚ୍ଚ ୨୦ ତାରିଖକୁ ଅର୍ଥାତ ବର୍ଷର ଆଜି ଦିନଟିକୁ ‘ବିଶ୍ୱ ପଖାଳ ଦିବସ’ ଭାବେ ପାଳନ କରାଯାଉଛି।
ପୂର୍ବରୁ ପଖାଳକୁ ଗରିବର ଖାଦ୍ୟ ବୋଲି କୁହାଯାଉଥିଲା। ହେଲେ ଏହି ପରିଚୟ କ୍ରମଶଃ ବଦଳି ଯାଇଛି। ଆଜିକାଲିର ଚାକଚକ୍ୟ ଭରା ଦୁନିଆରେ ମଧ୍ୟ ପଖାଳ ତା’ର ଅସ୍ତିତ୍ୱ ହରାଇ ନାହିଁ। ଗରିବ ଘର ସମେତ ସମ୍ଭ୍ରାନ୍ତ ଘରର ଡାଇନିଂ ଟେବୁଲ ଓ ତାରକା ହୋଟେଲର ମେନୁରେ ମଧ୍ୟ ପଖାଳର ଚାହିଦା ଢେର ଅଧିକ।