ଓଡିଶାରୁ ବାଲି ଯାତ୍ରା କରିବ ପାରମ୍ପରିକ ଜାହାଜ

୨୦୨୬ କାର୍ତିକ ପୂର୍ଣ୍ଣିମା ବେଳକୁ ଓଡିଶାର ….

କଟକ: ୨୦୨୬ କାର୍ତିକ ପୂର୍ଣ୍ଣିମା ବେଳକୁ ଓଡିଶାର ନୌବାଣିଜ୍ୟ ପରମ୍ପରାର ଇତିହାସକୁ ପୁଣି ଥରେ ଆଖି ସାମ୍ନାକୁ ଆଣିବ ‘ଆଇଏନ୍‌ଏସ୍‌ଭି କୌନ୍ଦିନ୍ୟ’। ସିଲେଇ କୌଶଳ ଦ୍ୱାରା ପାରମ୍ପରିକ ଶୈଳୀରେ ନିର୍ମିତ ଏହି ଜାହଜ ‘ଆଇଏନ୍‌ଏସ୍‌ଭି କୌନ୍ଦିନ୍ୟ’ କାର୍ତିକ ପୂର୍ଣ୍ଣିମା ସମୟରେ ଓଡିଶାରୁ ବାଲିକୁ ଯାତ୍ରା କରିବ ବୋଲି ଜାହାଜର ନିର୍ମାତା ତଥା ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା କମିଟି ସଦସ୍ୟ ସଞ୍ଜୀବ ସାନ୍ୟାଲ୍‌ କହିଛନ୍ତି। ଜାତୀୟ ସ୍ତରର ଏକ ଚର୍ଚ୍ଚିତ ପଡ୍‌କାଷ୍ଟରେ ବସି ସଞ୍ଜୀବ ଏଭଳି ମତ ଦେବା ପରେ ଓଡିଶାରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ନିକଟରେ ଏହି ଜାହାଜ ଗୁଜରାଟର ପୋରବନ୍ଦରରୁ ଓମାନ୍‌ର ମସ୍କଟ ପର୍ଯ୍ୟନ୍ତ ଏକ ଐତିହାସିକ ଯାତ୍ରା ଆରମ୍ଭ କରିଛି। ଏହି ଯାତ୍ରା ଭାରତୀୟ ନାବିକମାନଙ୍କ ଦ୍ୱାରା ନିଆଯାଇଥିବା ଶହ ଶହ ବର୍ଷର ପୁରୁଣା ସମୁଦ୍ରପଥକୁ ପୁନର୍ବାର ଅନୁସରଣ କରି, ଭାରତ ଏବଂ ଓମାନ ମଧ୍ୟରେ ଐତିହାସିକ ସାମୁଦ୍ରିକ ସଂଯୋଗକୁ ପ୍ରତିଷ୍ଠା କରିବ। ଓମାନ୍‌ରୁ ଫେରିବା ପରେ ଦ୍ୱିତୀୟ ଯୋଜନା ଓଡିଶାକୁ ନେଇ ରହିଛି। ଓଡିଶାର ନୌବାଣିଜ୍ୟ ଇତିହାସ ଅତ୍ୟନ୍ତ ଗୌରବମୟ। ଏହି ସାମୁଦ୍ରିକ ବାଣିଜ୍ୟ ଖ୍ରୀଷ୍ଟପୂର୍ବ ୩୫୦ ବର୍ଷରୁ ଆରମ୍ଭ ହୋଇଥିବା ପ୍ରମାଣିତ ତଥ୍ୟରୁ ସୂଚନା। କଳିଙ୍ଗର ବଣିକମାନେ (ସାଧବମାନେ) ବଙ୍ଗୋପ ସାଗର ପାର ହୋଇ ଦକ୍ଷିଣ-ପୂର୍ବ ଏସିଆ ଯେମିତି ବାଲି, ଜାଭା, ସୁମାତ୍ରା, କାମ୍ୱୋଡିଆ, ଭିଏତ୍‌ନାମ ସହିତ ଶ୍ରୀଲଙ୍କା, ଚୀନ ଏବଂ ଆଫ୍ରିକା ସହିତ ବାଣିଜ୍ୟ କରୁଥିବାର ଜଣାଯାଏ।

୨୦୨୪ ବାଲିଯାତ୍ରାରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କୁ ବାଲିଯାତ୍ରାକୁ ନିମନ୍ତ୍ରଣ କରାଯାଇଥିବା ବେଳେ ୨୦୨୫ ବାଲିଯାତ୍ରାରେ ଇଣ୍ଡୋନେସିଆକୁ ‘ନେସନ୍‌ ପାର୍ଟନର୍‌’ ଭାବେ ସମ୍ମାନ ପ୍ରଦାନ କରାଯାଇଥିଲା।