ଗୋଡ଼ ଦୁଇଟା ଦିଶୁଛି: ନିର୍ବାଚନ ବଣ୍ଡ୍ କିଣନ୍ତୁ, ଟିକସ ଚୋର ଅପବାଦରୁ ମୁକ୍ତି ପାଆନ୍ତୁ

ସତରେ, କେଡ଼େ ଭାଗ୍ୟବାନ ଲୋକ ସେହିମାନେ! ଯୋଉମାନଙ୍କ ଉପରେ ବିଜେପିର ଅଭୟ ଆଶୀର୍ବାଦ ରହିଛି ।

‘ନା ଖାଇବି, ନା ଖାଇବାକୁ ଦେବି । ସାହସ ଅଛି ତ ପୁରା ଗିଳିଯାଅ । ଆଦୌ ଅଟକାଇବି ନାହିଁ ।’ ଯାହା ଲେଖିଲି, ସେଥିରୁ ପ୍ରଥମ ବାକ୍ୟଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଠରୁ ଶୁଣିଛନ୍ତି ।

ଦ୍ୱିତୀୟ ବାକ୍ୟଟି ନରେନ୍ଦ୍ର ମୋଦୀଙ୍କ ଜିଭରୁ ଛଡ଼ାଇ ଆଣି ଲେଖିଛି । ତୃତୀୟ ବାକ୍ୟଟି ନରେନ୍ଦ୍ର ମୋଦୀଙ୍କ ଅନ୍ତର କଥା ।

ନିର୍ବାଚନ ବଣ୍ଡ ଆକାରରେ ବିଜେପି ପାଣ୍ଠିକୁ ଯାଉଥିବା ଧନର ମାଲିକାନା ମୋଦୀ-ଶାହଙ୍କ ନିକଟରେ ରହିଛି । ପାଣ୍ଠିକୁ ମନ ମୁତାବକ ଖର୍ଚ୍ଚ କରିବାର ଏକଚାଟିଆ ଅଧିକାର କେବଳ ମୋଦୀ-ଶାହଙ୍କୁ ଦିଆଯାଇଛି । ଠିକ ଯେମିତି ଗାନ୍ଧୀ-ନେହୁରୁ ପରିବାର ହାତରେ କଂଗ୍ରେସ ପାଣ୍ଠିର ଚାବିକାଠି ରହିଛି । ସମାଜବାଦୀ ପାର୍ଟିର ମାଲିକାନା ଅଖିଳେଶ ଯାଦବ ଆଣ୍ଡ୍ କୋ ।

ରାଜନୈତିକ ଦଳର ପାଣ୍ଠି ପରିଚାଳନା ଦାୟିତ୍ୱ ତା’ର ପ୍ରତିଷ୍ଠାତାଙ୍କ ହାତରେ ରହିଛି । ଭାରତର ସବୁ ରାଜନୈତିକ ଦଳ ପାଣ୍ଠିରେ ଗଚ୍ଛିତ ରହିଥିବା ଧନରାଶିର ଅସଲି ହକ୍ଦାର ୟେ ଦେଶର ୧୪୩ କୋଟି ଜନତା । ରାଜନୈତିକ ଦଳକୁ ଚାନ୍ଦା ଦେଉଥିବା ଲୋକଟି ଆଦୌ ସାଧାରଣ ଗରିବ ନୁହନ୍ତି । ସରକାରଙ୍କ ଦୃଷ୍ଟିରେ ଯୋଉମାନେ ଟିକସ ଚୋର, ସେହିମାନେ କ୍ଷମତାସୀନ ଦଳର ଅନୁଗ୍ରହ ପାଇବା ପାଇଁ ନିର୍ବାଚନ ବଣ୍ଡ କିଣନ୍ତି । ରାଜନୈତିକ ଦଳ ପାଣ୍ଠିକୁ ମୋଟା ଅଙ୍କର ଚାନ୍ଦା ଦେଇ ସରକାରଙ୍କ ଦୃଷ୍ଟିରେ ସୁନାପୁଅ ହୋଇଯାନ୍ତି ।

ନରେନ୍ଦ୍ର ମୋଦୀଙ୍କ ପାଖଲୋକ କେହି ନୁହନ୍ତି, ଏ କଥାଟି ଏକା ଅମିତ ଶାହ ଜାଣନ୍ତି । ଦେଶର ୧୪୧ କୋଟି ଲୋକଙ୍କୁ ଗଣ୍ଡେ ଖୁଆଇ ଢୋକେ ପିଆଇ ଖଣ୍ଡେ ପିନ୍ଧାଇ ବଂଚିବାକୁ ସୁଯୋଗ ଦିଆଯାଉଛି କେବଳ ଭୋଟ ଖଣ୍ଡିଏ ପାଇଁ । ବଳକା ଦୁଇ କୋଟି ଲୋକଙ୍କ ଭିତରୁ ୮୦ ଭାଗ ଲୋକଙ୍କୁ ସରକାରୀ ସିରସ୍ତାରେ ଫାଇଲ ଚାଷ କରିବାକୁ ଅନୁମତି ଦିଆଯାଇଛି । ୨୦ ଭାଗ ଲୋକଙ୍କ ଭିତରୁ ୧୦ ଭାଗ ଲୋକଙ୍କ ଅମାର ସହିତ ରାଜକୋଷକୁ ଗୋଟିଏ ହୁ୍ୟମ୍ ପାଇପ୍ ଲଗାଇ ଦିଆଯାଇଛି ।

ସରକାରଙ୍କ ବିଭିନ୍ନ ଯୋଜନା ଆଳରେ ସେହି ପାଇପ୍ ବାଟ ଦେଇ ରାଜକୋଷରୁ ବିଜେପି ଅନୁଗତଙ୍କ ଅମାରକୁ ଟଙ୍କା ଚାଲିଯିବାର ବ୍ୟବସ୍ଥା କରାଯାଇଛି । ୧୦ ଭାଗ ଲୋକଙ୍କ ହାତକୁ ଦେଶର ମାଟି, ପାଣି, ବାୟୁ, ଖଣିଖାଦାନ, ବଣଜଙ୍ଗଲ ମାଲିକାନା ହସ୍ତାନ୍ତର କରି ଦିଆଯାଉଛି ।