ଭୁବନେଶ୍ୱର: ଫମ୍ପା ମାଠିଆର ଶବଦ ବେଶି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅମଳରେ ଯୋଉ ଯାଜନାଗୁଡ଼ିକ ତୁଣ୍ଡ ବାଇଦ ବଜାଇ ଆରମ୍ଭ କରାଯାଇଛି; ସେସବୁ ଭିତରୁ କୌଣସି ଗୋଟିଏ ଶହେକୁ ଶହେ ଫଳିନି । ବିଗତ ୨୪ ବର୍ଷ ହେଲା ସେହି ରୋଗଟି ସାରା ରାଜ୍ୟକୁ କବଳିତ କରିଛି ।
କଥା କ’ଣ କି; କୋରାପୁଟର ଜୟପୁର ଇଲାକାରେ ଭେଷଜ ବନଟିଏ ପ୍ରତିଷ୍ଠା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଶା ଥିଲା; ବୟସର ଅପରାହ୍ଣରେ ମନ, ବିବେକ ଓ ଶରୀରଟିକେ ଥକିପଡ଼ିଲେ; ବାବୁ ସେଇ ଭେଷଜ ବନରେ କିଛିକ୍ଷଣ ସମୟ କାଟି ପୁଣି ପୁରା ତାକତ୍ ନେଇ ରାଜଧାନୀକୁ ଫେରିଆସିବେ ।
ରାଜକୋଷରୁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଇ ୨୦୨୦ ଜୁଲାଇ ମାସରେ ଉକ୍ତ ଭେଷଜ ବନକୁ ପ୍ରତିଷ୍ଠା କରାଯାଇଥିଲା । ପ୍ରାୟ ୪ ହଜାର ପ୍ରଜାତିର ଔଷଧୀୟ ଚାରା ଓ ଫଳ ଚାରା ରୋପଣ କରାଯାଇଥିଲା ।
୧୦ ଏକର ବିଶିଷ୍ଟ ଭେଷଜ ବନଟିକୁ ତାଜା ଓ ଛନଛନିଆ ରଖିବା ପାଇଁ ବନ ବିଭାଗକୁ ଦାୟିତ୍ୱ ଦିଆଗଲା । ବନଟିର ପରିଚାଳନା ପାଇଁ ନିୟୋଜିତ କର୍ମଚାରୀମାନେ ସରକାରଙ୍କ ତହବିଲରୁ ଦରମା ପାଇ ଆରାମରେ ପରିବାର ପ୍ରତିପୋଷଣ କରୁଛନ୍ତି । ମାତ୍ର ବନଟିର ଶୋଭାବର୍ଦ୍ଧନ କରୁଥିବା ଚାରାଗୁଡ଼ିକ ଭିତରୁ ଅଧିକାଂଶ କଙ୍କାଳସାର ହୋଇଗଲେଣି । କିଛି ଔଷଧୀୟ ଚାରା ବଂଚିବା ପାଇଁ ସଂଘର୍ଷ କରୁଛନ୍ତି ।
ସରକାରୀ କର୍ମଚାରୀଙ୍କ ଉଦାସୀନତା କାରଣରୁ ଭେଷଜ ବନଟି ତା’ର ପରିଚୟ ହଜାଇବାକୁ ବସିଲାଣି । ଉକ୍ତ ଭେଷଜ ବନଟି ଏବେ ମଶାଣି ପ୍ରାୟ ଦିଶୁଛି ।