ହାତରେ ଦା’ ଧରି ଧାନ କାଟିଲେ ବିଧାୟକ

ଉମରକୋଟ(ଏସ ନ୍ୟୁଜ ): ଚାଷୀ ସାଜିଲେ ଆଉ ହାତରେ ଦା’ ଧରି ବିଲରେ ଧାନ କାଟିଲେ ବିଧାୟକ । ବିଭିନ୍ନ ସମୟରେ ନିଜର ନିଆରା କାର୍ଯ୍ୟଶୈଳୀକୁ ନେଇ ଚର୍ଚ୍ଚାରେ ରହୁଥିବା ନବରଙ୍ଗପୁର ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ବିଲରେ ଯାଇ ଧାନ କଟୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି।

ବିଧାୟକ ନିତ୍ୟାନନ୍ଦ ଗଣ୍ଡ ନିଜେ ଜଣେ ଚାଷୀ ପରିବାରରୁ ଆସିଥିବାବେଳେ ଅନ୍ୟ ମଜୁରିଆଙ୍କ ସହ ମିଶି ବିଧାୟକ ଜମିରେ ଧାନ କାଟୁଛନ୍ତି । ଏଥିସହ ଧାନ ବିଡ଼ାକୁ ସଜାଡ଼ି ରଖୁଛନ୍ତି। ପେଷାରେ ସେ ଓକିଲ ହୋଇଥିଲେ ମଧ୍ୟ ତାଙ୍କର ଚାଷ କାମ ପ୍ରତି ରହିଛି ଦୁର୍ବଳତା ଏମିତି କାର୍ଯ୍ୟ ପ୍ରତି ଟାଣିନେଇଛି। ତେବେ ଅନ୍ୟମାନଙ୍କ ସହ ଚାଷ କାର୍ଯ୍ୟରେ ସାହାଯ୍ୟ କଲେ ସେମାନଙ୍କ ମନୋବଳ ବୃଦ୍ଧି ପାଇବ ବୋଲି ବିଧାୟକ କହିଛନ୍ତି। ଲୋକେ ତାଙ୍କୁ ଜନପ୍ରତିନିଧି ଭାବେ ବାଛିଛନ୍ତି ସତ ତଥାପି ସେ କୌଳିକ ବୃତ୍ତିକୁ ଛାଡ଼ିପାରିବେ ନାହିଁ ବୋଲି କହିଛନ୍ତି ନିତ୍ୟାନନ୍ଦ। ବୃତି ଆଉ ପ୍ରତିନିଧି ଉଭୟ ଦାୟିତ୍ୱକୁ ସେ ସମାନ ଭାବରେ ଦେଖନ୍ତି ବୋଲି କହିଛନ୍ତି ।

ଅନ୍ୟପଟେ ବିଧାୟକଙ୍କ ପତ୍ନୀ ମଧ୍ୟ ବିଲରେ ଧାନ କାଟୁଥିବା ଦେଖିବାକୁ ମିଳିଛି। ନିତ୍ୟାନନ୍ଦଙ୍କ ପତ୍ନୀ ପେଶାରେ ଜଣେ ଶିକ୍ଷୟିତ୍ରୀ। ବର୍ତ୍ତମାନ କୋରୋନା କାରଣରୁ ସ୍କୁଲ ଛୁଟି ଥିବାରୁ ସେ ବିଧାୟକ ସ୍ୱାମୀଙ୍କ ସହ ମିଶି ଚାଷ କାମରେ ସାହାଯ୍ୟ କରୁଥିବା କହିଛନ୍ତି ବିଧାୟକ । ଉଭୟ ପତିପତ୍ନୀ ନିଜ ନିଜର ପେଶା ଛାଡି କୌଳିକ ବୃତ୍ତିରେ ନିମ୍ନଜିତ ରହିଥିବା ଦୃଶ୍ୟକୁ ଲୋକେ ବେଶ ପସନ୍ଦ ଆଉ ପ୍ରଶଂସା କରିଛନ୍ତି।