ଭୁବନେଶ୍ୱର: ରାଜ୍ୟରେ ସହରାଂଚଳର ରୂପାନ୍ତରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଓଡିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ବ୍ୟାଙ୍କ ଅର୍ଥାୟନ ଯୋଗ୍ୟ ସହରାଂଚଳ ପ୍ରକଳ୍ପଗୁଡ଼ିକର ବିକାଶ ପାଇଁ ନ୍ୟାସନାଲ ହାଉସିଂ ବ୍ୟାଙ୍କ, ହାଉସିଂ ଆଣ୍ଡ ଅର୍ବାନ ଡେଭଲପମେଂଟ୍ କର୍ପୋରେସନ ଏବଂ ପ୍ରମୁଖ ହାଉସିଂ ଫାଇନାନ୍ସ କମ୍ପାନିମାନଙ୍କ ସହିତ ଏହି ଆଲୋଚନା କରାଯାଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର, ବିଭାଗୀୟ ବରିଷ୍ଠ ପଦାଧିକାରୀ, ଛଅଟି ମହାନଗର ନିଗମର କମିସନର ଏବଂ ଛଅଟି ଉନ୍ନୟନ କର୍ତୃପକ୍ଷର ଉପାଧ୍ୟକ୍ଷମାନେ ନିଜ ଦଳବଳ ସହ ଯୋଗ ଦେଇଥିଲେ। ବୈଠକରେ ମୁଖ୍ୟତଃ ସୁଲଭ ଗୃହ ନିର୍ମାଣର ପରିସର ବୃଦ୍ଧି ଏବଂ ଭାରତ ସରକାରଙ୍କ ‘ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ’ ଅଧୀନରେ ପୁଞ୍ଜିନିବେଶ ପାଇଁ ପ୍ରସ୍ତୁତ ଥିବା ପ୍ରକଳ୍ପଗୁଡ଼ିକୁ ଚିହ୍ନଟ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସଂସ୍ଥାଗତ ଅର୍ଥାୟନକୁ ଆକୃଷ୍ଟ କରିବା ପାଇଁ ଆର୍ଥିକ ଦୃଷ୍ଟିରୁ ସକ୍ଷମ ଏବଂ ସମ୍ପ୍ରସାରଣ ଯୋଗ୍ୟ ସହରାଂଚଳ ପ୍ରକଳ୍ପ ରୂପରେଖ ପ୍ରସ୍ତୁତ କରିବା ଉପରେ ଆଲୋଚନା କରାଯାଇଥିଲା। ୨୦୧୧ ମସିହାରେ ଓଡିଶାର ସହରୀ ଜନସଂଖ୍ୟା ୧୭% ଥିବାବେଳେ ୨୦୩୬ ସୁଦ୍ଧା ଏହା ପ୍ରାୟ ୪୦%ରେ ପହଂଚିବ ବୋଲି ଆକଳନ କରାଯାଉଛି।
ଏହି ପରିପ୍ରେକ୍ଷୀରେ ସହରଗୁଡ଼ିକୁ ଅର୍ଥନୈତିକ ଅଭିବୃଦ୍ଧିର ମାଧ୍ୟମ ଭାବେ ଗଢ଼ିତୋଳିବା ଏବଂ ଏହି ପରିବର୍ତନକୁ ସହାୟତା କରିବା ପାଇଁ ଅଭିନବ ଆର୍ଥିକ ଢାଂଚାର ଆବଶ୍ୟକତା ରହିଛି ବୋଲି ବୈଠକରେ ମତ ପ୍ରକାଶ ପାଇଛି।
ବୈଠକରେ ନ୍ୟାସନାଲ ହାଉସିଂ ବ୍ୟାଙ୍କ, ହାଉସିଂ ଆଣ୍ଡ ଅର୍ବାନ ଡେଭଲପମେଂଟ୍ କର୍ପୋରେସନ ଏବଂ ପ୍ରମୁଖ ହାଉସିଂ ଫାଇନାନ୍ସ କମ୍ପାନି ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓମାନେ ସେମାନଙ୍କର ଆର୍ଥିକ ସମାଧାନ ସମ୍ପର୍କରେ ଉପସ୍ଥାପନା କରିଥିଲେ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ‘ବିକଶିତ ଓଡିଶାଅ୨୦୩୬’ ପରିକଳ୍ପନାରେ ସହରାଂଚଳ ରୂପାନ୍ତରଣକୁ ପ୍ରାଥମିକତା ଦିଆଯାଉଛି। ବୈଠକରେ ଯୋଗଦେଇ ଥିବା ବିଭିନ୍ନ ଆର୍ଥିକ ଅନୁଷ୍ଠାନଗୁଡ଼ିକ ‘ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ’ର ଉପଯୋଗ ପାଇଁ ରଣନୀତି ବାଂଟିବା ସହ ଓଡିଶାର ସହରୀ ବିକାଶ କାର୍ଯ୍ୟସୂଚୀକୁ ଆଗକୁ ନେବାରେ ସେମାନଙ୍କର ସହଯୋଗ ଜାରି ରଖିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।