ଉତ୍କଳ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସଂଗୋଷ୍ଠୀ : ଅନ୍ତରାଷ୍ଟ୍ରୀୟକରଣର ଅଦମ୍ୟ ପ୍ରୟାଶ
ଓଡିଶାର ସର୍ବପ୍ରଥମ ବିଶ୍ୱବିଦ୍ୟାଳୟ…
ଭୁବନେଶ୍ୱର: ଓଡିଶାର ସର୍ବପ୍ରଥମ ବିଶ୍ୱବିଦ୍ୟାଳୟ , ଉତ୍କଳ ବିଶ୍ୱବିଦ୍ୟାଳୟ ଶିକ୍ଷା କ୍ଷେତ୍ର ରେ ଅନ୍ତରାଷ୍ଟ୍ରୀୟକରଣ ଉଦ୍ୟମର ପ୍ରଶଂସା ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଭିତରେ ଗୁଞ୍ଜରିତ ହେଇଛି । ଦିଲ୍ଲୀ ବିଶ୍ୱବିଦ୍ୟାଳୟର ମାନବବିଜ୍ଞାନ ବିଭାଗ ଏବଂ ଆଦିବାସୀ ଅଧ୍ୟୟନ କେନ୍ଦ୍ର ତରଫରୁ ନଭେମ୍ବର ଶେଷ ସପ୍ତାହରେ ଯୁବା ଛାତ୍ରଛାତ୍ରୀମାନଙ୍କର ବିଦେଶ ଗସ୍ତକୁ ନେଇକି ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ଜନିତ ଉପଲବ୍ଧି ଏବଂ ବ୍ୟକ୍ତିଗତ ଅନୁଭୂତି ଉପରେ ଆଲୋକପାତ କରିଥିଲେ ।
ଏହି ଉତ୍ସବରେ ଉତ୍କଳ ବିଶ୍ୱବିଦ୍ୟାଳୟର ଏକାଡେମିକ କୋର୍ଡିନେଟର, ଡକ୍ଟର ସଞ୍ଜୟ କୁମାର ଷଡଙ୍ଗୀ, ସମ୍ମାନିତ ଅତିଥି ଏବଂ ମିଖ୍ୟବକ୍ତା ଭାବେ ଯୋଗଦେଇ “ ଓଡିଶା ଉଚ୍ଚ ଶିକ୍ଷା ଏବଂ ଅନ୍ତରାଷ୍ଟ୍ରୀୟକରଣର ପ୍ରୟୋଗ “ ଉପରେ ନିଜର ବକ୍ତବ୍ୟ ରଖିଥିଲେ । ଜାତୀୟ ଶିକ୍ଷାନୀତି ୨୦୨୦ ପୂର୍ବରୁ ୨୦୧୮ ମସିହାରୁ ଓଡିଶାର ଅଗ୍ରଣୀ ଉତ୍କଳ ବିଶ୍ୱବିଦ୍ୟାଳୟ , ବିଶ୍ୱବ୍ଯାଙ୍କ ସହାୟତାରେ ଅନ୍ତରାଷ୍ଟ୍ରୀୟକରଣ ଦିଗରେ ଅନେକ କାର୍ଯ୍ୟ କରିଛି, ସେସବୁ ଅତି ପ୍ରଶଂସନୀୟ। ଏବେ ମଧ୍ୟ ଏହି ଅନ୍ତରାଷ୍ଟ୍ରୀୟକରଣର ଅଦମ୍ୟ ପ୍ରୟାଶରୁ ଦେଶବିଦେଶରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଆଦିବାସୀ ଅଧ୍ୟୟନ କେନ୍ଦ୍ରର ନିର୍ଦ୍ଦେଶକ ଏବଂ ମାନବ ବିଜ୍ଞାନ ବିଭାଗର ଅଧ୍ୟକ୍ଷ ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ ଚେଷ୍ଟାରେ ଗତ ଶିକ୍ଷା ବର୍ଷରେ ୩୦ ରୁ ଉର୍ଦ୍ଧ ସ୍ନାତକୋତ୍ତର ଏବଂ ବିଦ୍ୟାବାରିଧି ଶ୍ରେଣୀର ଛାତ୍ରଛାତ୍ରୀମାନେ ବିଦେଶ ଗସ୍ତର ଲାଭ ଉଠେଇଥିଲେ ।
ସେମାନଙ୍କର ବିଦେଶ ଯାତ୍ରା ସମ୍ପର୍କିତ ଶିକ୍ଷାଜନିତ ଆହ୍ୱାନ , ଅନ୍ତରାଷ୍ଟ୍ରୀୟ ସଂସ୍କୃତି ଏବଂ ସାମାଜିକ ଅସାମଞ୍ଜସ୍ଯକୁ ଅତିକ୍ରମ କରିବା ଦିଗରେ ବିଭିନ୍ନ ଯୋଜନାକୁ ନେଇ ପ୍ରାଞ୍ଜଳ ଭାବେ ଚର୍ଚ୍ଚା ହେଇଥିଲା । ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶିକ୍ଷାଗତ ବ୍ୟାପାରର ଅଧିଷ୍ଠାତା ପ୍ରଫେସର ରତ୍ନାବଲୀ ମୁଖ୍ୟ ଅତିଥି ଏବଂ ଡକ୍ଟର ଗୀତାଞ୍ଜଳୀ କାଲା ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ସଭାର ଅଧ୍ୟକ୍ଷତା କରି ଉଚ୍ଚଶିକ୍ଷା କ୍ଷେତ୍ରରେ ଅନ୍ତରାଷ୍ଟ୍ରୀୟକରଣର ଅଦମ୍ୟ ଉଦ୍ୟମ ଏବଂ ବହୁ ପ୍ରଶଂସନୀୟ ବୋଲି ନିଜର ମନ୍ତବ୍ୟ ରଖିଥିଲେ । ଏହି ପ୍ରକାର ସଂଗୋଷ୍ଠୀ ଭବିଷ୍ୱତରେ ଦୁଇ ବିଶ୍ୱବିଦ୍ୟାଳୟ ମଧ୍ୟରେ ନୂତନ ରାସ୍ତା ଏବଂ ଯୋଜନାର ଦ୍ୱାର ଖୋଲିବ, ତାହା ବହୁ ସମ୍ଭାଭିତ ।