ଗଜପତି: ଗଜପତି ଜିଲ୍ଲାର ଐତିହାସିକ ତଥା ଆଧ୍ୟାତ୍ମିକ ଓ ପୌରାଣିକ କ୍ଷେତ୍ର ମହେନ୍ଦ୍ରଗିରି ଏବେ ଅଶାନ୍ତ ହୋଇପଡିଛି। କିଛି ସ୍ଥାନୀୟ ଅଧିବାସୀ କୁନ୍ତୀ ମନ୍ଦିର ନିକଟ ଆଶ୍ରମରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ସେମାନଙ୍କ ଆକ୍ରମଣରେ ସେଠାରେ ବସବାସ କରୁଥିବା ଜଣେ ବାବା ଆହତ ହୋଇଥିବା ଜଣାପଡିଛି। ପର୍ଯ୍ୟଟକଙ୍କ ନିମନ୍ତେ ତିଆରି ହୋଇଥିବା ଇକୋରିସର୍ଟରୁ ପାଣି ଯୋଗାଉଥିବା ପାଣି ପାଇପ୍ ସବୁ କାଟି ଦେଇଥିବା ଅଭିଯୋଗ ହୋଇଛି। ଫଳରେ ଇକୋରିସର୍ଟକୁ ପାନୀୟଜଳ ଯୋଗାଣ ବନ୍ଦ ରହିଛି।
ପର୍ଯଟକମାନେ ଘୋର ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ମହାଶିବରାତ୍ରିରେ ଶ୍ରଦ୍ଧାଳୁମାନଙ୍କ ପାଇଁ ନିର୍ମାଣ ହୋଇଥିବା ପାଇଖାନା ସବୁ ଭାଙ୍ଗି ଦେଇଛନ୍ତି। ଖବର ପାଇ ଘଟଣା ସ୍ଥଳରେ ଗାରାବନ୍ଧ ଥାନା ପୁଲିସ ପହଂଚି ବୁଝାସୁଝା କରିଥିବା ବେଳେ ଶାନ୍ତି ଫେରାଇ ଆଣିବା ପାଇଁ ଉଦ୍ୟମ କରାଯାଉଛି। ଉଭୟ ପକ୍ଷକୁ ଡାକି ଥାନାରେ ବୁଝାସୁଝା ଚାଲିଥିବା ଜଣା ପଡିଛି। ଐତିହାସିକ ପବିତ୍ର ପୌରାଣିକ ଧର୍ମସ୍ଥଳୀରେ ଅଶାନ୍ତ ପରିବେଶ ସୃଷ୍ଟି କରିବା ସହ ସାଧୁସନ୍ଥଙ୍କୁ ଏଭଳି ଆକ୍ରମଣକୁ ନିନ୍ଦା କରାଯାଉଥିବା ବେଳେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।
ଅନ୍ୟ ପକ୍ଷରେ ପ୍ରଶାସନର ଏକପାଖିଆ ନିଷ୍ପତି ଇକୋ ରିଟ୍ରିଟ୍ ନାମରେ ସଂସ୍କୃତି ଧ୍ୱଂସ କରାଯାଉଛି, ପ୍ରକୃତି ନଷ୍ଟ ହେବାରେ ଲାଗିଛି। ବର୍ଷ ବର୍ଷ ଧରି ଐତିହ୍ୟକୁ ବଂଚାଇ ରଖିଥିବା ସ୍ଥାନୀୟ ଆଦିବାସୀମାନଙ୍କୁ ଅଣଦେଖା କରାଯାଉଛି। ଆଦିବାସୀଙ୍କ ଅଭିଯୋଗକୁ ଗ୍ରହଣ କରାଯାଉନି, କୌଣସି କ୍ଷେତ୍ରରେ ସେମାନଙ୍କର ସମସ୍ୟାକୁ ଧ୍ୟାନ ଦିଆଯାଉନାହିଁ। ପର୍ଯ୍ୟଟନ ନାଁ ରେ ଏଠି ରାସଲୀଳା ଚାଲୁଛି। ସ୍ଥାନୀୟ ଆଦିବାସୀ ସେବକମାନେ ଏହାର ପ୍ରତିବାଦ କଲେ ସେମାନଙ୍କୁ ଦୁର୍ବୃତର ଆଖ୍ୟା ଦିଆଯାଉଛି। ଏହାକୁ କଦାପି ଗ୍ରହଣ କରାଯିବ ନାହିଁ। ଦୃଢ ପ୍ରତିବାଦ ହେବ ବୋଲି କହିଛନ୍ତି ପୂର୍ବତନ ବ୍ଳକ ଅଧ୍ୟକ୍ଷ ତଥା ବାରଘର ବାସିନ୍ଦା ଧନେଶ୍ୱର ଭୂୟାଁ। ଗାରାବନ୍ଧ ଥାନାରେ ଉଭୟ ପକ୍ଷଙ୍କ ସହ ଆଲୋଚନା ଜାରି ରହିଥିବା ଥାନା ଅଧିକାରୀ ପ୍ରଶାନ୍ତ ନିଶିକା କହିଛନ୍ତି।