ଗୁଣ୍ଡା ବଳରେ ଋଣ ଆଦାୟ ନୀତିକୁ ଚୋଟ

ସବୁ ଅର୍ଥଲଗାଣ ସଂସ୍ଥାକୁ ରିଜର୍ଭ ବ୍ୟାଙ୍କ ଲଗାମ

ଭୁବନେଶ୍ୱର: ଋଣଗ୍ରହୀତାଙ୍କ ପ୍ରତି ସଦୟ ହୋଇଛି ରିଜର୍ଭ ବ୍ୟାଙ୍କ । ବିଭିନ୍ନ କାରଣରୁ ଋଣ ନେଇ ପରିଶୋଧ କରିପାରୁ ନଥିବା ଲୋକଙ୍କ ଉପରେ ଜୁଲମ ପାଇଁ ବାରଣ କରାଯାଇଛି । ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶନାମା ମୁତାବକ ୨୦୨୨ ଅଗଷ୍ଟ ୧୯ ତାରିଖ ପରଠାରୁ ଋଣଗ୍ରହୀତାଙ୍କୁ ଡରାଇ, ଧମକାଇ, ପ୍ରତାଡ଼ିତ କରି ଋଣ ଅର୍ଥ ଆଦାୟ କରିପାରିବେନି ଉଭୟ ରାଷ୍ଟ୍ରାୟତ ବ୍ୟାଙ୍କ ଓ ଅନ୍ୟାନ୍ୟ ଘରୋଇ ଅର୍ଥଲଗାଣ ସଂସ୍ଥା । ଭାରତ, ଆରୋହଣ, ଉଜ୍ଜିବନ ଭଳି କିଛି ଘରୋଇ ଅର୍ଥଲଗାଣ ସଂସ୍ଥା ଋଣଗ୍ରହୀତାଙ୍କଠାରୁ ଋଣ ଆଦାୟ କରିବା ପାଇଁ କିଛି ଭଡ଼ାଟିଆ ଗୁଣ୍ଡା ନିଯୁକ୍ତ କରୁଥିବାର ଅଭିଯୋଗ ପାଇବା ପରେ ରିଜର୍ଭ ବ୍ୟାଙ୍କ ଏଭଳି ଆଦେଶନାମା ଜାରି କରିଛନ୍ତି ।
କେବଳ ଘରୋଇ ଅର୍ଥଲଗାଣ ସଂସ୍ଥା ନୁହନ୍ତି, କିଛି ଘରୋଇ ବ୍ୟାଙ୍କ ମଧ୍ୟ ଅସାମାଜିକ ବ୍ୟକ୍ତିଙ୍କ ସହାୟତା ନେଇ ଋଣ ବାବଦ ଅର୍ଥ ଆଦାୟ କରୁଛନ୍ତି । ଋଣ ଅର୍ଥ ଆଦାୟ କରିବାକୁ ଯାଇ ଋଣଗ୍ରହୀତାଙ୍କୁ ସାଧାରଣରେ ବେଜିତ୍‌ କରିବା, ଝିଅବୋହୂଙ୍କ ସମ୍ମାନହାନି କରୁଥିବାର ଅଭିଯୋଗ ରିଜର୍ଭ ବ୍ୟାଙ୍କ ପାଖରେ ପହଂଚିଥିଲା ।

ଏପରିକି ଋଣଗ୍ରହୀତାଙ୍କ ପାଇଁ ବନ୍ଧା ପଡ଼ିଥିବା ଲୋକଙ୍କୁ ଶାରୀରିକ କି ମାନସିକ ଚାପ ପକାଇବାକୁ ଅର୍ଥ ଲଗାଣ ସଂସ୍ଥାଗୁଡ଼ିକୁ ବାରଣ କରାଯାଇଛି । ତା’ ସହିତ ଋଣଗ୍ରହୀତାଙ୍କ ସମ୍ପର୍କୀୟ କି ଚିହ୍ନା ଲୋକଙ୍କ ଉପରେ କୌଣସି ପ୍ରକାର ଚାପ ପକାଇବାକୁ ମନା କରାଯାଇଛି । ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶକୁ ସବୁ ବାଣିଜ୍ୟିକ ବ୍ୟାଙ୍କ, ଅଣବ୍ୟାଙ୍କିଙ୍ଗ ଫାଇନାନ୍ସିଆଲ କମ୍ପାନୀ, ଆସେଟ୍‌ ରିକନଷ୍ଟ୍ରକ୍ସନ୍‌ କମ୍ପାନୀ, ଅଲ ଇଣ୍ଡିଆ ଫାଇନାନ୍ସିଆଲ୍‌ ଇନ୍‌ଷ୍ଟିଚ୍ୟୁସନ୍ସ ଓ ସବୁ ପ୍ରାଇମେରୀ ଅର୍ବାନ୍‌ କୋ-ଅପରେଟିଭ ବ୍ୟାଙ୍କ ମାନିବାକୁ ବାଧ୍ୟ ।
ଋଣଗ୍ରହୀତାଙ୍କ ସାମାଜିକ ପ୍ରତିଷ୍ଠା ପ୍ରତି ଗୁରୁତ୍ୱ ଦେଇଛି ରିଜର୍ଭ ବ୍ୟାଙ୍କ । ଏଣିକି ଘରୋଇ ଋଣପ୍ରଦାନକାରୀ ସଂସ୍ଥା ସୋସିଆଲ୍‌ ମିଡିଆରେ ଋଣଗ୍ରହୀତାଙ୍କ ସାମାଜିକ ପ୍ରତିଷ୍ଠା ଉପରେ ଆଂଚ ଆଣିବା ଭଳି ମେସେଜ କରିପାରିବେନି । ଏଣିକି ସକାଳ ୮ଟା ପୂର୍ବରୁ କି ସନ୍ଧ୍ୟା ୭ଟା ପରେ ଗ୍ରାହକମାନଙ୍କୁ ରିକଭରୀ ଏଜେଂଟ କଲ୍‌ କରିପାରିବେ ନାହିଁ । ଯଦି ସେଭଳି ଅଭିଯୋଗ ରିଜର୍ଭ ବ୍ୟାଙ୍କ ପାଖରେ ପହଂଚେ; ତେବେ ସଂପୃକ୍ତ ଅର୍ଥ ଲଗାଣ ସଂସ୍ଥା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।