‘ହେ ପ୍ରଭୁ, ଆମ ପାଇଲଟ୍‌ଙ୍କ ବୁଦ୍ଧି ଭ୍ରଷ୍ଟ ନହେଉ’

ବିମାନ ଉଡୁଥିଲା ବେଳେ ଶୋଇପଡ଼ିଲେ ପାଇଲଟ୍‌

ନୂଆଦିଲ୍ଲୀ: ବିମାନ ଚଳାଉଥିଲା ବେଳେ ପାଇଲଟ୍‌ ଶୋଇପଡ଼ିବା ଘଟଣା ବହୁ ବିମାନଯାତ୍ରୀଙ୍କ ମନରେ ନାନା ଆଶଙ୍କା ସୃଷ୍ଟି କରିଛି । କିଛି ବିମାନଯାତ୍ରୀ କହିଛନ୍ତି, ହେ ପ୍ରଭୁ, ଆମେ ବିମାନ ଯାତ୍ରା କରୁଥିଲା ବେଳେ ଆମ ପାଇଲଟଙ୍କ ବୁଦ୍ଧିଭ୍ରଷ୍ଟ ନହେଉ । ସେମାନେ ମଝିଆକାଶରେ ଶୋଇପଡ଼ି ଯାତ୍ରୀଙ୍କୁ ହଲାପଟା ନକରନ୍ତୁ । କଥା କ’ଣ କି, ସୁଦାନର ଖାର୍ତୁନରୁ ଇଥିଓପିଆ ରାଜଧାନୀ ଆଦିସ୍‌ ଆବ୍‌ବା ଅଭିମୁଖେ ଯାତ୍ରା କରୁଥିବା ବିମାନର ଦୁଇଜଣ ପାଇଲଟ୍‌ ଶୋଇପଡ଼ିବା ଫଳରେ ବିମାନଟି ଅବତରଣ କରିପାରିଲାନି । ଦୁଇ ପାଇଲଟ୍‌ ନିଦରେ ଶୋଇଥିଲା ବେଳେ ବିମାନଟି ଭୂପୃଷ୍ଠରୁ ପ୍ରାୟ ୩୫,୦୦୦ ଫୁଟ ଉପରେ ଉଡୁଥିଲା ।

ଘଟଣାଟି ଗତ ସୋମବାର ଦିନର । ଏୟାର୍‌ ଟ୍ରାଫିକ୍‌ କଂଟ୍ରୋଲ ଘଟଣା ସମ୍ପର୍କରେ ଅବଗତ ହେଲାପରେ ବିମାନଘାଟି ନିର୍ଦ୍ଦେଶକଙ୍କୁ ଜଣାଇଥିଲେ । ସୂଚନା ମୁତାବକ ବୋଇଂ ୭୩୭ର ଦୁଇ ପାଇଲଟ୍‌ ଅଟୋ ପାଇଲଟ୍‌ ସିଷ୍ଟମ ଚଳାଇ ଆରାମରେ ବସିଥିଲେ । ବସୁବସୁ ଶୋଇପଡ଼ିଲେ, ସୌଭାଗ୍ୟକୁ ବିମାନରେ ଆବଶ୍ୟକ ପରିମାଣର ଇନ୍ଧନ ଥିବାରୁ ଆସନ୍ନ ଦୁର୍ଘଟଣାରୁ ରକ୍ଷା ପାଇଥିଲା । ବିମାନଟି ଅବତରଣ ବଦଳରେ ଆକାଶରେ ଦୀର୍ଘ ସମୟ ଧରି ଉଡୁଥିବାର ଦେଖି ଏଟିସି ବିମାନଘାଟି ନିର୍ଦ୍ଦେଶକଙ୍କୁ ଅବଗତ କଲେ । ଅଟୋ ପାଇଲଟ୍‌ ସିଷ୍ଟମ୍‌ ଆପେ ଆପେ ବନ୍ଦ ହୋଇଯିବା ପରେ ସତର୍କ ଘଂଟି ବାଜିଥିଲା । ଦୁଇ ପାଇଲଟ୍‌ ବିଳିବିଳେଇ ଉଠିଲେ, ବିମାନକୁ ଅବତରଣ କରିବା ପାଇଁ ଚେଷ୍ଟା କରିଥିଲେ । ପ୍ରାୟ ୨୫ ମିନିଟ୍‌ ଧରି ବିମାନଟି ବିମାନଘାଟି ଉପର ଆକାଶରେ ଉଡୁଥିଲା ।