‘ଆମ ଜନତା ଦଳ’ ଉପରେ ମୋଦୀଙ୍କ ନଜର

ଦଳଡିଅାଁ, ଗୋଠଖଣ୍ଡିଆଙ୍କୁ ‘ଏଜେଡି’ ମନା

ନୂଆଦିଲ୍ଲୀ: ବିଜେଡିକୁ ପାନେ ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଉପାୟ ଖୋଜୁଛନ୍ତି । ହେଲେ ରାଜ୍ୟ ବିଜେପି ଉପରେ ତାଙ୍କର ଭରସା ପାଉନି । ତେଣୁ ଓଡ଼ିଶାରେ ଆମ ଜନତା ଦଳ (ଏଜେଡି) ମୁଣ୍ଡ ଟେକୁଥିବାର ଖବର ପାଇବା ପରେ ତା’ର ଗତିବିଧି ଉପରେ ନଜର ରଖିବା ପାଇଁ ଦଳୀୟ ନେତାଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜ୍ୟର ଛୋଟ ଆଂଚଳିକ ଦଳ ସହିତ ବୁଝାମଣା କରି ବିଧାନସଭା ଓ ଲୋକସଭା ନିର୍ବାଚନ ଲଢ଼ିବାକୁ ମୋଦୀ ଚିନ୍ତା କରୁଛନ୍ତି । ବହୁ ଛୋଟ ଦଳ ବିଜେପି ଗୋଠରେ ସାମିଲ ହୋଇ ମୋଦୀଙ୍କ କ୍ୟାବିନେଟ୍‌ରେ ସ୍ଥାନ ପାଇଛନ୍ତି । ତେଣୁ କେବଳ ଆଂଚଳିକ ଦଳକୁ ‘ଏନ୍‌ଡିଏ’ ମେଂଟରେ ସାମିଲ କରିବା ପ୍ରତି ଗୁରୁତ୍ୱ ଦିଆଯାଉଛି । ତେବେ ଆପ୍‌, ସପା, ବସପା, ଆରଜେଡି ଭଳି ଦଳଗୁଡ଼ିକ ସହିତ ବୁଝାମଣା କରିବାର ପ୍ରସ୍ତାବ ନାହିଁ ।
ମୋଦୀଙ୍କ ମତରେ ଆମ ଜନତା ଦଳ (ଏଜେଡି) ସହ ଏକପ୍ରକାର ବୁଝାମଣା କରାଯାଇପାରେ । ବିଜେଡିର ଜନଶୋଷଣ ନୀତିକୁ ଦୃଢ଼ ପ୍ରତିବାଦ କରି ଏଜେଡି ଗଠିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ନେଇଆଣି ଥୋଇପାରିଲେ ଚୋରି ବିଦ୍ୟା ଭଲ’ ନୀତିକୁ ଏଜେଡି ନାପସନ୍ଦ କରିଛି । ଶତ୍ରୁର ଶତ୍ରୁ ସହ ହାତ ମିଳାଇ ବାଜି ମାରିବା ମୋଦୀଙ୍କ ଆଉ ଏକ ରଣନୀତି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦରବାରରେ ଏଜେଡି ଆଲୋଚନା କ୍ରମେ ରାଜ୍ୟ ବିଜେପି ନେତାଙ୍କ ମୁଣ୍ଡକୁ ଘାରିଛି । ଟାଟା ପାୱାର ବିରୋଧୀ ଅଭିଯାନକୁ ରାଜ୍ୟର ୨ କୋଟି ଭୋଟରଙ୍କ ପାଖରେ ପହଂଚାଇବା ଏନ୍‌ୟୁବିସି ନେତା ସୀତାରାମ ବେହେରାଙ୍କର ଏକମାତ୍ର ଉଦ୍ଦେଶ୍ୟ ନୁହେଁ, ଟାଟା ଗ୍ରୁପ୍‌ ପ୍ରତି ମାତ୍ରାଧିକ ଅନୁକମ୍ପା ପ୍ରଦର୍ଶନ କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କ୍ଷମତାଚ୍ୟୁତ କରିବା ତାଙ୍କର ଆଉ ଏକ ଲକ୍ଷ୍ୟ । ଇତିମଧ୍ୟରେ ଏନ୍‌ୟୁବିସିର ଟାଟା ପାୱାର ବିରୋଧୀ ଅଭିଯାନରେ ରାଜ୍ୟର ୧୫ ଲକ୍ଷ ଭୋଟର ଯୋଡ଼ି ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଧିକାଂଶ ଭୋଟର ରାଜ୍ୟରେ ନୂଆ ଦଳର ଆବଶ୍ୟକତା ରହିଛି ବୋଲି ମତାମତ ଦେଇଛନ୍ତି । ଅଧିକାଂଶ ଭୋଟର କଂଗ୍ରେସର ଅସ୍ତିତ୍ୱ ପ୍ରତି ପ୍ରଶ୍ନ କରିଛନ୍ତି । ବିଜେପିର ସବୁ ନେତା ନିଜକୁ ମୁଖ୍ୟମନ୍ତ୍ରୀ ଦାବିଦାର କହୁଛନ୍ତି । ଏପରି ସ୍ଥଳରେ ‘ଆମ ଜନତା ଦଳ’ ଲୋକଙ୍କ ପ୍ରିୟଭାଜନ ହେବାର ସମ୍ଭାବନା ବୃଦ୍ଧି ପାଉଛି ।