ମହିଳା ଦିବସକୁ ବିଦ୍ରୁପ କରୁଛି କୁମାରୀ ବିବାହ

ଦୁନିଆକୁ ଭଲ କରି ଚିହ୍ନିବା ପୂର୍ବରୁ ….

ପୁରୀ: ଦୁନିଆକୁ ଭଲ କରି ଚିହ୍ନିବା ପୂର୍ବରୁ ତା’ର ବୋଝ ଲଦି ଦିଆଯାଉଛି । ଏପରି ମାନସିକତା ନିକଟରେ ମହିଳା ଦିବସ ଗୌଣ । ପାଠପଢ଼ା ସରିବା ପୂର୍ବରୁ ପରିବାର ବୋଝ । ଓଡ଼ିଶାର ପ୍ରାୟ ସବୁ ଜିଲ୍ଲାରେ ଏହି ଚିତ୍ର ଦେଖିବାକୁ ମିଳେ । ୧୫ ବର୍ଷ ହେଉ ହେଉ ଝିଅ ପାଇଁ ବର ଖୋଜା । ତା’ ନ କଲେ ସାହିପଡ଼ିଶା ବାଟ ଚଲାଇ ଦେବେନି । ଝିଅକୁ ଗୋବରଗଦା ମଣୁଛନ୍ତି ଅଧିକାଂଶ ସମାଜ ।
ପୁରୀ ଜିଲ୍ଲାରେ ୧୦ ଭାଗ ଝିଅ ବାଲ୍ୟବିବାହର ଶିକାର । ପୂର୍ବ ସ୍ଥିତି ତୁଳନାରେ ଜିଲ୍ଲାରେ ବାଲ୍ୟ ବିବାହ ହାର ବୃଦ୍ଧି ପାଇଛି ।

ଶେଷ ଥର ପାଇଁ ୨୦୧୯-୨୧ ମଧ୍ୟରେ ଜାତୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସର୍ବେକ୍ଷଣ ରିପୋର୍ଟ ମୁତାବକ ଜିଲ୍ଲାରେ ୨୦ରୁ ୨୪ ବର୍ଷ ବୟସ ବର୍ଗରେ ଥିବା ୧୦.୨% ଝିଅ ୧୮ ବର୍ଷ ନ ହେଉଣୁ ବିବାହ କରିଛନ୍ତି । ପୂର୍ବରୁ ଜିଲ୍ଲାରେ ଶତକଡ଼ା ୮ ଭାଗ ଝିଅ ବାଲ୍ୟ ବିବାହ କରୁଥିଲେ । ଏବେ ଜିଲ୍ଲାରେ ବାଲ୍ୟ ବିବାହ ହାରରେ ୨% ବୃଦ୍ଧି ପାଇଛି । ସାରା ବିଶ୍ୱ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରୁଥିବା ବେଳେ ଏବେ ବି ଅନେକ ଝିଅ ବାଲ୍ୟ ବିବାହରେ ପୀଡ଼ିତା ।

୧୫ରୁ ୧୯ ବର୍ଷ ବୟସର ପ୍ରାୟ ୪% ଝିଅ ଜନନୀ ହେଉଛନ୍ତି ଯାହା ପରବର୍ତୀ ସମୟରେ ସ୍ୱାସ୍ଥ୍ୟ ସମସ୍ୟାକୁ ଆମନ୍ତ୍ରଣ କରୁଛି । ପେଣ୍ଠକଟା ଓ ବାଲିନୋଳିଆ ସାହି ଭଳି ମସô୍ୟଜୀବୀ ସଂପ୍ରଦାୟରେ ସର୍ବାଧିକ ବାଲ୍ୟବିବାହ ହେଉଛି । ଆନ୍ଧପ୍ରଦେଶରୁ ଆସି ଓଡିଶାରେ ରହୁଥିବା ମସô୍ୟଜୀବୀ ସଂପ୍ରଦାୟରେ ବାଲ୍ୟବିବାହ ହାର ସର୍ବାଧିକ । ପୁରୀ ସେବାୟତ ସଂପ୍ରଦାୟରେ ମଧ୍ୟ ବାଲ୍ୟବିବାହ ଏକ ବ୍ୟାଧି । ଏହା ସହ ଅନୁସୂଚିତ ଜାତି ସମୁଦାୟରେ ବାଲ୍ୟ ବିବାହ ବ୍ୟାପକ ।

ପୁରୀ ଜିଲ୍ଲାର ବ୍ରହ୍ମଗିରି ବ୍ଲକ ଓ ଡେଲାଙ୍ଗ ବ୍ଲକରେ ବାଲ୍ୟବିବାହ ମାତ୍ରା ଯଥେଷ୍ଟ ଅଧିକ । ବ୍ରହ୍ମଗିରି ଓ ଡେଲାଙ୍ଗ ବ୍ଲକରେ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗରେ ବାଲ୍ୟ ବିବାହ ବୃଦ୍ଧି ପାଉଛି । ଘରଲୋକଙ୍କ ଚାପରେ ହେଉ ଅବା ସ୍ୱେଚ୍ଛାରେ; ବାଲ୍ୟ ବିବାହ ହାର ବଢ଼ିଚାଲିଛି । କଲେଜକୁ ପାଠ ପଢ଼ିବାକୁ ଯିବା ସମୟରେ ଝିଅଟିଏ ମନ ପସନ୍ଦର ସାଥୀ ବାଛି ୧୮ ବର୍ଷ ବୟସ ପୂର୍ବରୁ ବାହା ହୋଇଯାଉଛନ୍ତି । ପ୍ରେମରେ ପଡ଼ି ପାଦ ଖସିଯିବା ପରେ ଆଉ କ’ଣ କରାଯାଇପାରେ?

ବ୍ରହ୍ମଗିରି, ପିପିଲି ଏବଂ ଡେଲାଙ୍ଗରୁ ଏଭଳି ଅଧିକ ମାମଲା ସାମ୍ନାକୁ ଆସିଛି । ଏହିସବୁ ଅଂଚଳରେ ନାବାଳିକା ବିବାହ ହାର ପ୍ରାୟ ୧୫% । ଅନ୍ୟ ପକ୍ଷରେ ଭଲ ବର ହାତଛଡ଼ା ହୋଇଯିବା ଆଶଙ୍କାରେ ଝିଅଟିକୁ ଅଳ୍ପ ବୟସରୁ ବିବାହ କରି ଦିଆଯାଉଛି । ପୁରୀରେ ବାଲ୍ୟବିବାହ ବୃଦ୍ଧି ପଛରେ ବଡ କାରଣ ଗରିବି । ସର୍ବେକ୍ଷଣରୁ ମିଳିଥିବା ତଥ୍ୟ ମୁତାବକ, ଗରିବ ମା’ବାପା ଆର୍ଥିକ ବୋଝରୁ ତ୍ରାହି ପାଇବା ଆଶାରେ ଝିଅଟିକୁ କମ୍ ବୟସରୁ ବିବାହ କରି ଦେଉଛନ୍ତି । ଝିଅଟିଏ ପାଠ ପଢ଼ା ପରେ ତା’ର ଭବିଷ୍ୟତ ଗଢ଼ିବା ପୂର୍ବରୁ ବୋହୂ ହୋଇ ଚାଲିଯାଉଛି । ଏପରିକି ବିଦ୍ୟାଳୟ ଶିକ୍ଷା ଶେଷ ହେବା କ୍ଷଣି ଝିଅ ପାଇଁ ବରଦେଖା ଆରମ୍ଭ ହୋଇଯାଉଛି ।

ଏବେ ସୁଦ୍ଧା ଅନେକ ଗ୍ରାମାଂଚଳରେ କଲେଜ ନାହିଁ । ଝିଅଟିକୁ ଦୂର କଲେଜରେ ପଢ଼ାଇବା ବଦଳରେ ବିବାହ କରାଇଦେବାକୁ ଅଧିକ ପରିବାର ପସନ୍ଦ କରୁଛନ୍ତି । ସରକାରୀ ସ୍ତରରେ ବାଲ୍ୟବିବାହ ରୋକିବାକୁ ନାନା ପ୍ରଯତ୍ନ କରାଯାଉଛି । ମାତ୍ର ସେଗୁଡ଼ିକ ଧର୍ମକୁ ଆଖିଠାର । ଆଇନ ପ୍ରଣୟନ କରାଯାଇଛି । ମାତ୍ର ତାହାକୁ କଡ଼ାକଡ଼ି ପାଳନ କରିବାର ସତ୍ସାହସ କୌଣସି ସରକାର ନିକଟରେ ନାହିଁ । ସରକାର କେବଳ ସଚେତନତା ସୃଷ୍ଟି କରିପାରିବେ, ତା’ଠାରୁ ଆଉ ଅଧିକ କିଛି କରିପାରିବେନି । ଏବେ ସାପ୍ତାହିକ ଅଦ୍ୱିକା କାର୍ଯ୍ୟକ୍ରମ ମାଧ୍ୟମରେ ବାଲ୍ୟବିବାହ ନ କରିବା ପାଇଁ କିଶୋରୀଙ୍କୁ ସଚେତନ କରାଯାଉଛି ।

ବିଦ୍ୟାଳୟ ସ୍ତରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଅନେକ ସ୍ଥାନରେ ସଚେତନତାର ଅଭାବ । ବାଲ୍ୟ ବିବାହ ରୋକିବା ଦିଗରେ କାର୍ଯ୍ୟରତ ୟୁନିସେଫର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ଗରିବୀ ଓ ଶିକ୍ଷାର ଅଭାବ ହିଁ ବାଲ୍ୟ ବିବାହର ମୁଖ୍ୟ କାରଣ । ତା’ ସହିତ ସାମାଜିକ କାରଣ ଅନ୍ୟତମ । ଧାର୍ମିକ ଓ ପାରମ୍ପରିକ କାରଣ ଯେପରିକି ‘କନ୍ୟାଦାନ ମହାପୁଣ୍ୟ’ ଭାବିବା, ନାତି ଅଣନାତି ଦେଖିଲେ ସ୍ୱର୍ଗପ୍ରାପ୍ତି ହେବାର ଧାରଣା ଅଧିକାଂଶ ପରିବାରକୁ ନାବାଳିକା ବିବାହ ଆଡକୁ ଟାଣିନେଉଛି ।

ପ୍ରଶାସନକୁ ଦୋଷମୁକ୍ତ କରାଯାଇ ନପାରେ । କମ୍ ଉପସ୍ଥାନ ବିଶିଷ୍ଟ ସ୍କୁଲ ବନ୍ଦ କରି ଦିଆଯିବା ଫଳରେ ବହୁ ଅଭିଭାବକ ଝିଅକୁ ଦୂର ସ୍କୁଲକୁ ନ ଛାଡି ବିବାହ କରାଇଦେବା ଉପଯୁକ୍ତ ମଣୁଛନ୍ତି । ଆବାସିକ ବିଦ୍ୟାଳୟରେ ଅଧ୍ୟୟନରତ ଝିଅମାନେ ସରକାରୀ ସୁବିଧା ସୁଯୋଗରୁ ବଂଚିତ ହୋଇ ପାଠପଢ଼ା ଛାଡ଼ି ଦେଉଛନ୍ତି । ଏଭଳି ଅନେକ ବିନ୍ଦୁ ପ୍ରତି ଗୁରୁତ୍ୱ ଦେଲେ ଏବଂ ସଚେତନତା ବୃଦ୍ଧି କଲେ ବାଲ୍ୟ ବିବାହକୁ ରୋକା ଯାଇପାରିବ ବୋଲି ଜଣେ ସରକାରୀ ଅଧିକାରୀ କହନ୍ତି ।