ସାରା ଓଡ଼ିଶାରେ ଅସହ୍ୟ ତାତି । ଜନଜୀବନ ଅସ୍ତବ୍ୟସ୍ତ । ରବିବାର ସକାଳୁ ଭୁବନେଶ୍ୱର ତାପମାତ୍ରା ୩୩ ଡିଗ୍ରୀ । ଶନିବାର ସୋନପୁର ସହର ତାତି ୪୫.୭ ଡିଗ୍ରୀ ଯାହା ସବୁଠାରୁ ଅଧିକ ଥିଲା । ଭୁବନେଶ୍ୱର ତାପମାତ୍ରା ୪୪ ଡିଗ୍ରୀ ଟପିଥିଲା । ଆହୁରି ଦୁଇଦିନ ତାତି ରହିବ ବୋଲି ପାଣିପାଗ କାର୍ଯ୍ୟାଳୟ ପୂର୍ବାନୁମାନ କରିଛି।
ବର୍ଷା ନହେଲେ ପାଗ ତାତିବା ସ୍ୱାଭାବିକ । ସେଥିରେ ସରକାର କ’ଣ କରିପାରିବେ? ଆହା ଚୁ ଚୁ ଛଡ଼ା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ଆଉ ଅନ୍ୟ ଚାରା କ’ଣ ଅଛି? ସେ କ’ଣ ସୂର୍ଯ୍ୟଦେବଙ୍କ ଉପରେ ଫତୁଆ ଜାରି କରିବେ? ପ୍ରବଳ ତାତିରୁ ରକ୍ଷା କରିବାର ଯୁ କେବଳ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ରହିଛି । ମାତ୍ର ସେ ତ ଏବେ ଏବେ ସୁସ୍ଥ ହେଉଛନ୍ତି । ୧୯ ତାରିଖରେ ତାଙ୍କର ନବଯୌବନ ବେଶ । ଜରରୁ ଭଲ ହୋଇସାରିବା ପରେ ପାଟିରୁ ଅରୁଚି ଦୂର କରିବା ପାଇଁ ମାଉସୀ ମା’ଙ୍କ ଘରକୁ ଯିବେ ରଥଚଢ଼ି । ସାଙ୍ଗରେ ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ମଧ୍ୟ ନେବେ।
ପ୍ରବଳ ଗୁଳୁଗୁଳି ଓ ଗରମ ପବନ ସାଙ୍ଗକୁ ବିଜୁଳି କାଟ । ବାଃ ବୋଝ ଉପରେ ନଳିତା ବିଡ଼ା । ସାରା ଓଡ଼ିଶା ବିଜୁଳି କାଟକୁ କେନ୍ଦ୍ର କରି ଅସନ୍ତୁଷ୍ଟ । ରିଲାଏନ୍ସ କବଳରୁ ସାଢେ଼ ଚାରିକୋଟି ଜନତାଙ୍କୁ ମୁକୁଳାଇ ଟାଟା ପାୱାର ହାତରେ ଧରାଇଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଟାଟା ପାୱାର ସହିତ ବୁଝାମଣା କରିବା ପୂର୍ବରୁ ତା’ର ଦକ୍ଷତା ଓ ଯୋଗ୍ୟତା ବିଷୟରେ ମୁଖ୍ୟମନ୍ତ୍ରୀ ଭଲ କରି ଅନୁଧ୍ୟାନ କରିଥିବେ । ତାଙ୍କ ବିଶ୍ୱସ୍ତ ସଚିବ ପାଣ୍ଡିଆନ ଭଲ କରି ବୁଝାଇ ଦେଇଥିବେ।
ସୂର୍ଯ୍ୟଙ୍କ ଉପରେ ଫତୁଆ ଜାରି କରିବାର ଯୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ନାହିଁ । ମାତ୍ର ଟାଟା ପାୱାର ଉପରେ ଫତୁଆ ଜାରି କରିବାର କ୍ଷମତା ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଛି । ତଥାପି ସେ ସବୁ ଜାଣିଶୁଣି ଜଳକା ଭଳି ଅଭିନୟ କରୁଛନ୍ତି । କ’ଣ କିଛି ଟେବୁଲ ତଳିଆ ପାଇଛନ୍ତି?
ସାଢେ଼ ଚାରିକୋଟି ଜନତା ଟାଟା ପାୱାର ସଂସ୍ଥାର ବିଜୁଳି ଛାଟରେ ସାବାଡ଼ । ହେଲେ ସେଥିପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସାମାନ୍ୟ ଚିନ୍ତା ନାହିଁ । ସେ କାହିଁକି ଚିନ୍ତା କରିବେ? ସେ ତ ଶୀତତାପ ନିୟନ୍ତ୍ରିତ କକ୍ଷରେ ରହୁଛନ୍ତି । ୨୪ ଘଂଟିଆ ବିଜୁଳି ସେବା ପାଉଛନ୍ତି । ବାତାନୁକୁଳ ଗାଡ଼ିରେ ଚଳପ୍ରଚଳ କରୁଛନ୍ତି । ସୂର୍ଯ୍ୟର ତାପ ତାଙ୍କ ଲୋମ ମୂଳକୁ ଛୁଇଁପାରୁନି । ଜୟ ହୋ ନବୀନ, ଆପଣ ଆରାମରେ ରୁହନ୍ତୁ । ଆପଣ ଖୁସିରେ ରହିଲେ ଆମେ ଖୁସି।