ଭାରତକୁ ଗ୍ରାସିବ ମହା ମରୁଡ଼ି, ଆକାଶକୁ ଛୁଇଁବ ଦରଦାମ

ମୌସୁମୀ ଆଗମନ ମାତ୍ରକେ ସମସ୍ତଙ୍କ ମନକୁ ଘାରିଥାଏ- ଲା-ନିନୋ ଓ ଅଲ-ନୀନୋ । ଦୁଇଟି ଯାକ ସ୍ପେନ୍‌ ଭାଷା । ଜୁନ ୮ ତାରିଖରେ କେରଳରେ ପ୍ରଥମ ମୌସୁମୀ ବର୍ଷା ହୋଇଥିଲା । ସେହିଦିନ ଆମେରିକାର ପାଣିପାଗ ସଂସ୍ଥା ଜଣାଇ ଦେଇଥିଲା ଯେ ପ୍ରଶାନ୍ତ ମହାସାଗରରେ ଅଲ-ନୀନୋ ଆସିଛି । ଉକ୍ତ ଖବର ଶୁଣିବା ପରେ ଭାରତୀୟଙ୍କ ମନରେ ଚିନ୍ତା ବଢ଼ିଯାଇଛି ।

ଯୋଉ ଇଲାକାର ପାଣିପବନ ଗରମ ହେବ, ସେଗୁଡ଼ିକ ହାଲୁକା ହୋଇ ବାୟୁମଣ୍ଡଳର ଉପରସ୍ତରକୁ ଚାଲିଯିବ । ଆମ ଚାରିପାଖରେ ପ୍ରବାହିତ ବାୟୁ ହେଉ କି ସମୁଦ୍ର ଉପର ବାୟୁ । ଗରମ ବାୟୁ ଉପରକୁ ଉଠିବା ମାତ୍ରେ ଉକ୍ତ ସ୍ଥାନ ପୂରଣ କରିବା ପାଇଁ ଚାରିପାଖରୁ ଥଣ୍ଡା ବାୟୁ ବହିବା ଆରମ୍ଭ କରିବ ।
ସମୁଦ୍ର ଉପରଭାଗ ବାୟୁ ଗରମ ହୋଇ ଉପରକୁ ଉଠିବ, ସମୁଦ୍ର ପାଣି ବାଷ୍ପ ହୋଇ ଉପରକୁ ଉଠିବ । ସେହି ବାଷ୍ପ ଘନୀଭୂତ ହୋଇ ବାଦଲରେ ପରିଣତ ହେବ । ମୂଷଳ ଧାରାରେ ବର୍ଷା ହେବ । ସଂକ୍ଷେପରେ କହିଲେ, ଯୋଉଠି ଲୋ ପ୍ରେସର ସେଠି ପ୍ରବଳ ବର୍ଷା । ଯୋଉଠି ଗୁରୁଚାପ ସେଠାରେ ମରୁଡ଼ି ।

ଆମେରିକାର ପାଣିପାଗ ସଂସ୍ଥା କହିଥିବା ଅଲ-ନୀନୋ ବିଷୟରେ ଜାଣନ୍ତୁ । ଦକ୍ଷିଣ ଆମେରିକାର ପଶ୍ଚିମ ଉପକୂଳରୁ ଅଷ୍ଟ୍ରେଲିଆର ପୂର୍ବ ଉପକୂଳକୁ ଗରମ ସାମୁଦ୍ରିକ ବାୟୁ ପ୍ରବାହିତ ହୋଇଥାଏ । ତା’ ସହିତ ସମୁଦ୍ର ଜଳ ମଧ୍ୟ ଗରମ ହୋଇ ଅଷ୍ଟ୍ରେଲିଆ ଆଡକୁ ପ୍ରବଳ ବେଗରେ ମାଡ଼ିଚାଲେ । ଅଷ୍ଟ୍ରେଲିଆର ପୂର୍ବ ଉପକୂଳ ଓ ତା’ର ଆଖପାଖ ଅଂଚଳ ତପ୍ତପାଣିରେ ଭରପୁର ହୋଇଯାଏ ।
ଏହିଭଳି ପ୍ରଶାନ୍ତ ମହାସାଗର ଉପର ଭାଗ ପାଣି ପ୍ରବଳ ଗରମ ହୋଇ ଦକ୍ଷିଣ ଆମେରିକାରୁ ଅଷ୍ଟ୍ରେଲିଆ ଆଡ଼କୁ ବହିଯାଏ । ଦକ୍ଷିଣ ଆମେରିକାର ପଶ୍ଚିମ ଉପକୂଳ ସମୁଦ୍ରର ଗଭୀର ପ୍ରଦେଶରୁ ଥଣ୍ଡା ପାଣି ଉପର ସ୍ତରକୁ ଉଠିଆସେ । ଏହା ଫଳରେ ଅଷ୍ଟ୍ରେଲିଆରେ ପ୍ରବଳ ବର୍ଷା ହେବ ଓ ଦକ୍ଷିଣ ଆମେରିକାରେ ମହାମରୁଡ଼ି ଦେଖାଯିବ । ଏହାର ଭିନ୍ନଦିଗକୁ ଲକ୍ଷ୍ୟ କଲେ, ଗରମ ହାୱା ଦୁର୍ବଳ ହେଲେ ଓଲଟା ଦିଗକୁ ବହିବ । ସମୁଦ୍ର ଉପର ଭାଗ ପାଣି ଗରମ ହୋଇ ପ୍ରତିକୂଳ ଦିଗକୁ ପ୍ରବାହିତ ହେବ । ଫଳରେ ମରୁଡ଼ି ଅଂଚଳରେ ପ୍ରବଳ ବର୍ଷା ହେବ । ପାଣିପବନର ଏହି ଲୁଚକାଳି ଖେଳକୁ ଅଲ-ନୀନୋ କୁହାଯାଏ।

ଭାରତକୁ ଅଲ-ନୀନୋର ସିଧାସଳଖ ପ୍ରଭାବ ପଡେ଼ନାହିଁ । ମାତ୍ର ଦେଖିବାକୁ ମିଳିଛି, ଯେତେବେଳେ ପ୍ରଶାନ୍ତ ମହାସାଗରରେ ଅଲ-ନୀନୋ ଆସିଛି । ଭାରତ ମହାସାଗରରେ ମୌସୁମୀ ଦୁର୍ବଳ ହୋଇଯାଇଛି।

ଗତ ୬୫ ବର୍ଷ ଭିତରେ ପ୍ରଶାନ୍ତ ମହାସାଗରରେ ୧୪ ଥର ଅଲ-ନୀନୋ ଆସିଛି । ଭାରତରେ ୯ ଥର ଅକାଳ ମରୁଡ଼ି ପଡ଼ିଛି ଓ ୫ ଥର ସାମାନ୍ୟ ମରୁଡ଼ି ପଡ଼ିଛି । ୨୦୨୩ରେ ୧୯୯୧ ସମୟର ମରୁଡ଼ି ପରିସ୍ଥିତି ଆଶଙ୍କା କରାଯାଉଛି।