ନବୀନବାବୁ କାହାର? ଓଡ଼ିଶାର ନା ଟାଟା ଗ୍ରୁପର

ଉକ୍ତ ନିର୍ଦ୍ଦେଶନାମାକୁ ମାନିବା ପାଇଁ ସବୁ ରାଜ୍ୟକୁ କୁହାଯାଇଛି….

ଭୁବନେଶ୍ୱର: ନବୀନ ପଟ୍ଟନାୟକ ଓଡ଼ିଶାର ସାଢେ଼ ୨ କୋଟି ଭୋଟରଙ୍କ ବଳରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ମାତ୍ର ଟାଟା ଗ୍ରୁପ ପାଇଁ କାମ କରୁଛନ୍ତି । ଶ୍ରୀମନ୍ଦିର ଭିତର ଓ ବାହାରକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଟାଟା ଗ୍ରୁପର ବିଶେଷଜ୍ଞଙ୍କୁ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶାର ବିଦ୍ୟୁତ ଉପଭୋକ୍ତାଙ୍କୁ ନାନା ଉପାୟରେ ଲୁଟିବାର ଯୋଜନା କରି ଡାକିଆଣିଲେ ଟାଟା ପାୱାରକୁ । ସତେ ଯେମିତି ରାଜ୍ୟର ପ୍ରତ୍ୟେକଟି କାର୍ଯ୍ୟରେ ଟାଟା ମୋହର ବାଜିବା ଜରୁରୀ ।

ନବୀନବାବୁଙ୍କ ଦୃଷ୍ଟିରେ ଆଉ କୌଣସି କମ୍ପାନୀ ନିକଟରେ ଲୋକଙ୍କୁ ଲୁଟିବାର ସତ୍‌ସାହସ ନାହିଁ । ଟାଟା ଗ୍ରୁପକୁ ଖୁସି କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଗରିବ ଆଦିବାସୀ ଜନତାଙ୍କ ଉପରକୁ ଗୁଳି ଚଳାଇବାକୁ ପଛାଇ ନାହାନ୍ତି । ଏବେ ବିଦ୍ୟୁତ ଦର ନିର୍ଦ୍ଧାରଣ କ୍ଷେତ୍ରରେ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ଖବରକାଗଜରେ ପ୍ରକାଶିତ ହେବାପରେ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗର ଅସଲ ଚେହେରା ଧରାପଡ଼ିଛି ।

ତା’ ସହିତ ଧରାପଡ଼ିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଭୋଟରଙ୍କୁ ଲୁଟିବା କାରସାଦି । ସରଳ ଭୋଟରଙ୍କ ରକ୍ତକୁ ବିଭିନ୍ନ ବାଟରେ ଶୋଷିବାର କୌଶଳ ଶିଖାଇବା ପାଇଁ ନବୀନବାବୁଙ୍କ ପାଣ୍ଡବ ଅଛନ୍ତି । ଟାଟା ପାୱାର ବନାମ ମହାରାଷ୍ଟ୍ର ବିଦ୍ୟୁତ ନିୟାମକ ମଧ୍ୟରେ ଚାଲିଥିବା ବିବାଦର ବିଚାର କରି ସୁପ୍ରିମକୋର୍ଟ ୯୦ ପୃଷ୍ଠାର ରାୟ ପ୍ରକାଶ କରିଛନ୍ତି । ଉକ୍ତ ନିର୍ଦ୍ଦେଶନାମାକୁ ମାନିବା ପାଇଁ ସବୁ ରାଜ୍ୟକୁ କୁହାଯାଇଛି । ସୁପ୍ରିମକୋର୍ଟଙ୍କ ଆଦେଶ ଅମାନ୍ୟ କଲେ ରାଜ୍ୟ ସରକାର ଓ ବିଦ୍ୟୁତ ବିତରଣ କମ୍ପାନୀକୁ କାଠଗଡ଼ାରେ ଠିଆ ହେବାକୁ ପଡ଼ିବ ।

ବିଦ୍ୟୁତ ଦର ନିର୍ଦ୍ଧାରଣ ସଂକ୍ରାନ୍ତ ମାର୍ଗଦର୍ଶିକା ପ୍ରସ୍ତୁତ ସମୟରେ ନିୟାମକ ଆୟୋଗ ଜାତୀୟ ବିଦ୍ୟୁତ ଆଇନ, ୨୦୦୩ର ଧାରା ୬୧ ଅନ୍ତର୍ଗତ ୯ଟି ସିଦ୍ଧାନ୍ତକୁ ମାନିବା ପାଇଁ ବାଧ୍ୟ ରହିବେ । ଦେଶର ସବୁ ରାଜ୍ୟର ବିଦ୍ୟୁତ ନିୟାମକଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମାନିବାକୁ ପଡ଼ିବ । ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ଗଠନ ହେବା ପରଠାରୁ ଉପଭୋକ୍ତାଙ୍କ ସ୍ୱାର୍ଥ ତୁଳନାରେ ବିତରଣ କମ୍ପାନୀର ସ୍ୱାର୍ଥକୁ ସର୍ବାଧିକ ଗୁରୁତ୍ୱ ଦେଇଆସିଛି ।

ମାଛତେଲରେ ମାଛ ଭାଜିବା ଭଳି ସଂସ୍ଥା ହେଉଛି ବିଦ୍ୟୁତ ବିଭାଗ । ବିଗତ ଦିନରେ ମୁକେଶ ଅମ୍ବାନୀ ରାଜ୍ୟ ଉପଭୋକ୍ତାଙ୍କ ଭଲ ଭାବରେ ଲୁଟି ଏସିଆର ଏକନମ୍ବର ଧନୀ ହୋଇପାରିଛନ୍ତି । ଏବେ ରାଜ୍ୟର ଚାରିକୋଟି ଉପଭୋକ୍ତାଙ୍କୁ ଝୁଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟାଟା ପାୱାରର ବ୍ରାଣ୍ଡ ଆମ୍ବାସାଡ଼ର ବନିଛନ୍ତି । ସତରେ କି ବିଚିତ୍ର ଆମ ଗଣତନ୍ତ୍ର । ଭୋଟ ନେବେ ଭୋଟରଠାରୁ । ଗୁଣ ଗାଇବେ ଘରୋଇ କମ୍ପାନୀର ।