ପୁଲିସ ବାବୁଙ୍କ ମୁହଁ ଟାଣ ଜବାବ ‘ଲାଂଚ ଦେଇଛି, ଲାଂଚ ନେଲିତ କ୍ଷତି କ’ଣ’

ପୁଲିସ ପ୍ରଶାସନର କଳା କାରନାମା..

ବୌଦ୍ଧ: ଜନୈକ ଗଣମାଧ୍ୟମ ପ୍ରତିନିଧିଙ୍କର ପ୍ରଶ୍ନବାଣରେ ଘାଇଲା ହୋଇ ଭିଜିଲାନ୍ସ ହାତରେ ଧରା ପଡ଼ିଥିବା ପୁଲିସ ଅଧିକାରୀ ମଦନ ମୋହନ ପ୍ରଧାନଙ୍କ ପାଟିରୁ ବାହାରିଗଲା ଛାତିତଳର କଥା, ‘ଲାଂଚ ଦେଇ ପୁଲିସ ଚାକିରି କରିଛି । ଲାଂଚ ନେଲି ତ କ’ଣ ଅସୁବିଧା ହେଲା? ଡିପାର୍ଟମେଂଟରେ କିଏ ଲାଂଚ ନଖାଉଛି? ବେଳା ଖରାପ ଧରାପଡ଼ିଲି ।’

ବାବୁ ମଦନ ମୋହନ ହେଉଛନ୍ତି ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ଜହ୍ନପଙ୍କ ଫାଣ୍ଡି ଅଧିକାରୀ । ଗୋଟିଏ ମାମଲାର ତଦନ୍ତ ପାଇଁ ୧୫ ହଜାର ଟଙ୍କା ଲାଂଚ ନେଉଥିଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଗଲେ । ଏବେ ଭିଜିଲାନ୍ସ ତାଙ୍କର ସବୁ ଆଡ୍ଡା ଉପରେ ଚଢ଼ଉ ଜାରି ରଖିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦକ୍ଷ ଶାସନର ନିଚ୍ଛକ ଚେହେରା ଏବେ ମଦନ ମୋହନଙ୍କ କଥାରେ ଛନ୍ଦି ହୋଇଯାଇଛି । ତାଙ୍କ କହିବାର ଅର୍ଥ ହେଉଛି ପୁଲିସ ଚାକିରି କରିବାକୁ ହେଲେ ଲାଂଚ ଦେବାକୁ ପଡେ଼ । ଲାଂଚ ଅର୍ଥ ଫେରିପାଇବା ପାଇଁ ଲାଂଚ ଖାଇବା ନିହାତି ଜରୁରୀ ।

କଥାଟିର ଭିତରକୁ ଗଲେ ପୁଲିସ ପ୍ରଶାସନର କଳା କାରନାମା ଧରାପଡ଼ିଯିବ । ଛାଡ଼ନ୍ତୁ, ଔଷଧ ବିକଳରେ ମଦନ ମୋହନ ବାବୁ ତାଟିଆ ସାଉଁଟୁଥିବେ ଆମେ ଏତେ ଭିତରକୁ ଯିବା ଦରକାର ନାହିଁ । କଥା କ’ଣ କି, ବୌଦ୍ଧ ନୂଆସାହିର ବ୍ୟବସାୟୀ ସ୍ୱପ୍ନେଶ୍ୱର ଖୁଂଟିଆଙ୍କ ନିକଟରେ କାମ କରୁଥିବା ଜଣେ କର୍ମଚାରୀ ୩ ଲକ୍ଷ ଟଙ୍କା ଧରି ପଳାୟନ କରିଛି । ତାକୁ ଧରିବା ପାଇଁ କୋର୍ଟ ଆଦେଶ ପାଇବା ପରେ ପୁଲିସବାବୁ ମଦନ ମୋହନଙ୍କ ଲାଂଚଖିଆ ଗୁଣ ପ୍ରକାଶ ପାଇଥିଲା । ୧୫ ହଜାର ଟଙ୍କା ପାଇଲେ ତଦନ୍ତ କରିବେ ନହେଲେ ମାମଲା ଚାପିଦେବାର ଧମକ ଦେଲେ ।

ବିଚରା ସ୍ୱପ୍ନେଶ୍ୱର କରିବେ କ’ଣ? ଜଣେ ତ ୩ ଲକ୍ଷ ଟଙ୍କା ଧରି ଛୁ । ଆଉ ଜଣେ ୧୫ ହଜାର ନପାଇଲେ ଚୁ । ଭିଜିଲାନ୍ସ ଅଫିସକୁ ଯିବା ଉଚିତ ହେବ ଭାବି ସଂପୃକ୍ତ ବ୍ୟବସାୟୀ ଜାଲ ବିଛାଇଲେ । ଫଳ ଆପଣଙ୍କ ସାମ୍ନାରେ । ନବୀନବାବୁଙ୍କର ଗୋଟିଏ ଉପଦେଶ, ନେଇଆଣି ଥୋଇପାରିଲେ ଲାଂଚ ଖାଇବା ଭଲ ।