ନବୀନଙ୍କ ଦୃଷ୍ଟିରେ ପୋକରା ଚାଉଳ ସ୍ୱାସ୍ଥ୍ୟକର

ମଧ୍ୟାହ୍ନଭୋଜନରେ ରନ୍ଧାଯାଉଛି ପୋକରା ଚାଉଳ

ଉମରକୋଟ: ପିଲାମାନଙ୍କୁ ସୁସ୍ଥ ଓ ସବଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଷ୍ଟିକର ଚାଉଳ ଦେଉଛନ୍ତି । ଅଣ୍ଡା ବିତରଣ କରୁଛନ୍ତି । ନବୀନବାବୁଙ୍କ ପୁଷ୍ଟିକର ଚାଉଳ ତାଲିକାରେ ପୋକରା ଚାଉଳ ଏକନମ୍ବରରେ ରହିଛି । ସହରାଂଚଳ ଓ ଗ୍ରାମାଂଚଳ ପିଲାମାନଙ୍କ ପାଇଁ ଗୋଟିଏ ବ୍ୟବସ୍ଥା ଲାଗୁ କରିବା ସମ୍ଭବ ହୋଇପାରୁନି । ଆମ ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ୍‌ ଅନ୍ତର୍ଗତ ମୁର୍ତୁମା ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟର ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଜଣାଇବାକୁ ବାଧ୍ୟ ହେଉଛୁ । ପୋକ ସାଲୁବାଲୁ ହେଉଥିବା ଚାଉଳକୁ ରାନ୍ଧୁଛି ସ୍ୱୟଂ ସହାୟକ ଗୋଷ୍ଠୀ । ସେହି ଭାତକୁ ପିଲାମାନଙ୍କୁ ଖାଇବାକୁ ଦିଆଯାଉଛି । ସ୍ଥାନୀୟ ଅଭିଭାବକମାନେ ଏ ବିଷୟ ଜାଣିବା ପରେ ବିଦ୍ୟାଳୟରେ ପହଂଚି ପୋକରା ଚାଉଳ ଜବତ କରିଛନ୍ତି । ବିଦ୍ୟାଳୟ କର୍ତୃପକ୍ଷ ଓ ମଧ୍ୟାହ୍ନଭୋଜନ ଦାୟିତ୍ୱରେ ଥିବା ମା’ ଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀ ଜାଣତରେ ସବୁ ଚାଲିଛି ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି ।

ଦୋଷ ଛଡ଼ାଇବାକୁ ଯାଇ ମା’ ଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀ ସଭ୍ୟା ସୁମିତ୍ରା ଘୋଷ କହିଛନ୍ତି ଯେ ବିଦ୍ୟାଳୟକୁ ତିନିମାସର ଚାଉଳ ଏକକାଳୀନ ଦିଆଯାଉଛି । ଚାଉଳ ସାଇତି ରଖିବା ପାଇଁ ବିଦ୍ୟାଳୟରେ ସେଭଳି ସୁବିଧା ନଥିବାରୁ ପୋକ ଲାଗିଯାଉଛି । ପୋକ ଲାଗିଥିଲେ ମଧ୍ୟ ତାକୁ ପଲିସିଂ କରି ପିଲାଙ୍କ ପାଇଁ ରନ୍ଧା ଯାଉଛି ।

ଖବର ପାଇଁ ଉମରକୋଟ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ପୁରୁଷୋତମ ମାଝି ବିଦ୍ୟାଳୟରେ ପହଂଚିଥିଲେ । ସେ ରିପୋର୍ଟ ତିଆରି କରି ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦେବା ପାଇଁ କହିଛନ୍ତି । ତେବେ କଥା ଉଠୁଛି, ସରକାରଙ୍କ ଚାଉଳରେ ଏତେ ଜଲଦି ପୋକ ଲାଗିଯିବାର କାରଣ କ’ଣ? ଜଣେ ଗ୍ରାମବାସୀ କହିଥିଲେ ଯେ ସ୍ୱାଦିଷ୍ଟ ଓ ପୁଷ୍ଟିକର ଚାଉଳରେ ଶୀଘ୍ର ପୋକ ଲାଗିଯାଆନ୍ତି । ସ୍ୱାଦିଷ୍ଟ ଓ ପୁଷ୍ଟିକର ଚାଉଳରେ ଯଦି ଏତେ ଶୀଘ୍ର ପୋକ ଲାଗିଯାଉଛନ୍ତି । ତେବେ ୨୫ ବର୍ଷର ବିଜେଡିରେ ପୋକ ଲାଗିବା ସୁନିଶ୍ଚିତ । ବିଜେଡି ଶିଶୁ ଅବସ୍ଥାରେ ଥିଲାବେଳେ ବେଶ ସୁସ୍ଥ ଥିଲା; ମାତ୍ର ଗଛଟି ଯେତେ ବଡ଼ ହେଲା, ସେଥିରେ ବିଭିନ୍ନ ପ୍ରଜାତିର ଚୋର, ଟାଉଟର, ଡକାୟତ ଆସି ବସା ବାନ୍ଧି ରହିଲେଣି । ବିଜୁବାବୁଙ୍କ ଆଦର୍ଶରେ ଯଦି ପିଲାମାନେ ପୋକରା ଚାଉଳ ଖାଇବା ଠିକ୍‌; ସେଇଆ ହେଉ ।