ଆପଣମାନେ ଖୁସି ତ! ମମିତା ମେହେର ଅଧ୍ୟାୟ ଖତମ

୨୦୨୪ ମହାଯଜ୍ଞରେ ବଳି ପଡ଼ିଲା ଗୋବିନ୍ଦ

କଂଟାବାଜି: ୨୦୨୪ ନିର୍ବାଚନରେ ବିଜେଡିକୁ ଅକଳରେ ପକାଇବା ଭଳି ଚର୍ଚ୍ଚିିତ ଘଟଣାର ଯବନିକାପାତ ଘଟିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟିମର ଅନ୍ୟତମ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ଅପକର୍ମର ପ୍ରତ୍ୟକ୍ଷଦର୍ଶୀ ଗୋବିନ୍ଦ ସାହୁଙ୍କର ଅକାଳ ମୃତ୍ୟୁ ଘଟିଛି । ମମିତା ମେହେର ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ କଂଟାବାଜି ଜେଲ ଭିତରେ ବେକରେ ଗାମୁଛା ଗୁଡ଼ାଇ ଆତ୍ମହତ୍ୟା କରିଛି । ମନ୍ତ୍ରୀପଦରୁ ତଡ଼ା ଖାଇବା ପରେ ଦିବ୍ୟଶଙ୍କର ମିଶ୍ରଙ୍କ ରାଜନୈତିକ ଭବିଷ୍ୟତ ଏକପ୍ରକାର ଖତମ ହୋଇଯାଇଛି ।

ଦିବ୍ୟଶଙ୍କରଙ୍କଠାରୁ ବହୁତ କିଛି ଆଶା କରୁଥିଲା ଗୋବିନ୍ଦ । ଦିବ୍ୟଶଙ୍କର ମନ୍ତ୍ରୀପଦରେ ଥିବା ପର୍ଯ୍ୟନ୍ତ ବଡ଼ ଦମ୍ଭର ସହିତ ଜେଲରେ ରହୁଥିଲା ଗୋବିନ୍ଦ । ଏବେ ଆତ୍ମହତ୍ୟା ଉଦ୍ୟମ କରିବାର ମୁଖ୍ୟ କାରଣ କ’ଣ? ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛି କି ତାକୁ ହତ୍ୟା କରାଯିବା ପରେ ଆତ୍ମହତ୍ୟା ରୂପ ଦିଆଯାଇଛି? ଏଭଳି ବହୁ ପ୍ରଶ୍ନ ଆଜି ରାଜ୍ୟବାସୀଙ୍କ ମନରେ ଦେଖା ଦେଇଛି ।
ରାଜ୍ୟବାସୀଙ୍କ ନିକଟରେ ବିଜେଡିକୁ ସଚ୍ଚୋଟ ଓ ନିଷ୍ଠାପର ଦଳ ରୂପେ ଦେଖାଇବା ପାଇଁ ଗୋବିନ୍ଦ ସାହୁ ପାଟିକୁ ସବୁଦିନ ପାଇଁ ବନ୍ଦ କରି ଦିଆଯାଇଛି । ଗୋବିନ୍ଦ ସାହୁ ବଂଚିଥିଲେ ଦିଦ୍ୟଶଙ୍କର ମିଶ୍ରଙ୍କର ଯେତିକି କ୍ଷତି ହୋଇଥାନ୍ତା, ତା’ଠାରୁ ବଡ଼ କ୍ଷତି ହୋଇଥାନ୍ତା ବିଜେଡିର । ୨୦୨୪ ନିର୍ବାଚନକୁ ଜିତିବା ସହଜ ହେବନି ବୋଲି ମୁଖ୍ୟମନ୍ତ୍ରୀ ଭଲ ଭାବେ ଜାଣି ସାରିଲେଣି ।
ସାଢେ଼ ଚାରିକୋଟି ଲୋକଙ୍କୁ ଆଉ ବୋକା ବନାଇ ଶାସନ କରିବା ଅସମ୍ଭବ ବୋଲି ହୃଦୟଙ୍ଗମ କରିବା ପରେ ବିଜେଡିର ଅଭିଯୁକ୍ତ ନେତା, ମନ୍ତ୍ରୀ ଓ ବିଧାୟକଙ୍କୁ ଦୋଷମୁକ୍ତ ପ୍ରମାଣିତ କରି ସେହିମାନଙ୍କ ବଳରେ ନିର୍ବାଚନ ଜିତିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଚିତ ମଣିଛନ୍ତି । ଧାମନଗର ଉପନିର୍ବାଚନର ଫଳାଫଳ ପ୍ରକାଶ ପାଇବା ପରେ ‘ଦୈନିକ ସମ୍ବାଦ’ ଗୋଟିଏ ଚେତାବନୀ ମୂଳକ ଖବର ପ୍ରସାରଣ କରିଥିଲା ଯାହାର ଅର୍ଥ ହେଉଛି ବିଜେଡିକୁ ହରାଇବା ପାଇଁ ମାଳମାଳ ‘ରାଜୁଦାସ’ ମୁଣ୍ଡ ଟେକିଲେଣି ।

ଅଭିଯୁକ୍ତ ବିଜେଡି ନେତା, ବିଧାୟକ, ମନ୍ତ୍ରୀମାନେ ୨୦୨୪ ଟିକେଟ୍‌ ନପାଇଲେ, ରାଜୁଦାସ ଚରିତ୍ରରେ ଅବତୀର୍ଣ୍ଣ ହେବା ଆଶଙ୍କା କରି ‘ମୂଳୁ ମାଇଲେ ଯିବ ସରି’ ନୀତି ଆଦରିଛନ୍ତି । ମମିତା ମେହେର ଚାପ୍ଟର ରହିଲେ ସିନା ଗୋବିନ୍ଦ ସାହୁ ପୁରା ଦମ୍‌ରେ ଦିବ୍ୟଶଙ୍କରଙ୍କୁ ନଚାଇବ । ତାକୁ ମାରି ଦିଆଗଲେ, ଉଭୟ ବିଜେଡି, ଦିବ୍ୟଶଙ୍କର ଓ ନବୀନ ପଟ୍ଟନାୟକଙ୍କୁ ଫାଇଦା । ଖାଲି ସେତିକି ନୁହେଁ, ମମିତା ମେହେରଙ୍କ ଆତ୍ମା ଚିରଶାନ୍ତି ପାଇବା ସହିତ ତା’ଙ୍କ ପରିବାର ବି ଖୁସ । ଏବେ ଆପଣମାନେ ଖୁସି ତ!