ଫେସବୁକ୍ ଆକାଉଣ୍ଟରେ ଅଶ୍ଳୀଳ ଓ ଅପମାନଜନକ ମନ୍ତବ୍ୟ ଯୁବକଙ୍କୁ ପଡ଼ିଲା ମହଙ୍ଗା । ଏନେଇ ଅଭିଯୋଗକାରୀ ଲିଟୁ ଦାସଙ୍କ ଲିଖିତ ଅଭିଯୋଗ ଆଧାରରେ ଲିଙ୍ଗରାଜ ଥାନା ପୁଲିସ ଏକ ମାମଲା ରୁଜୁକରି ଏହାର ତଦନ୍ତ କରିବା ସହ ଅଭିଯୁକ୍ତ ଅମର କୁମାର ଷଢଙ୍ଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନାଯୋଗ୍ୟ, ଅଭିଯୋଗକାରୀ ଲିଟୁ ଦାସ ଲିଙ୍ଗରାଜ ଥାନା ଅନ୍ତର୍ଗତ ନାଗେଶ୍ୱର ଟାଙ୍ଗୀ ଅଞ୍ଚଳରେ ରୁହନ୍ତି । ସେ ଲିଟୁ ଦାସ ନାମରେ ଫେସବୁକରେ ଏକ ସୋସିଆଲ ମିଡିଆ ଆକାଉଣ୍ଟ ବ୍ୟବହାର କରୁଥିଲେ । ଅଭିଯୁକ୍ତ ଅମର କୁମାର ଷଢଙ୍ଗୀ ସାଧାରଣ ବର୍ଗର ତଥା ବ୍ରାହ୍ମଣ ହୋଇଥିବା ବେଳେ, ସେ ଅମର କୁମାର ଷଢଙ୍ଗୀ ନାମରେ ଫେସବୁକ ଆକାଉଣ୍ଟ ବ୍ୟବହାର କରନ୍ତି । କିଛି ଦିନ ପୂର୍ବରୁ ଜଣେ ପ୍ରସିଦ୍ଧ ଓଡ଼ିଆ ଗାୟକଙ୍କ ମୃତୁ୍ୟକୁ ନେଇ ସାଧାରଣ ଲୋକମାନେ ସୋସିଆଲ ମିଡିଆରେ ନିଜ ନିଜ ମତାମତ ପ୍ରକାଶ କରୁଥିଲେ ।
ସେହି ପ୍ରସଙ୍ଗରେ ଅଭିଯୋଗକାରୀ ମଧ୍ୟ ତାଙ୍କ ଫେସବୁକ୍ ଆଇଡିରେ ନିଜର ମତାମତ ରଖିଥିଲେ । ଏହା ପରେ ଅଭିଯୁକ୍ତ ଅମର କୁମାର ଷଢଙ୍ଗୀ ଅଭିଯୋଗକାରୀଙ୍କ ଫେସବୁକ ଆଇଡି ଲିଟୁ ଦାସକୁ ଟ୍ୟାଗ୍ କରି କମେଣ୍ଟ ସେକ୍ସନରେ ଅଶ୍ଳୀଳ ଓ ଅପମାନଜନକ ମନ୍ତବ୍ୟ ଦେଇଥିଲେ । ସେ ତାଙ୍କ ପ୍ରତି ବିଭିନ୍ନ ଅପଶବ୍ଦ ବ୍ୟବହାର କରିବା ସହ ଜାତିଆଣ ଆକ୍ଷେପ କରିଥିଲେ । ସେହିପରି ଡକ୍ଟର ବି ଆର ଆମ୍ବେଦକରଙ୍କ ପ୍ରତି ମଧ୍ୟ ଅପଶବ୍ଦ ବ୍ୟବହାର କରି ଅଭିଯୋଗକାରୀଙ୍କୁ ଟ୍ୟାଗ୍ କରିଥିଲେ । ଏପରି ଅପମାନଜନକ ମନ୍ତବ୍ୟ ଦେଖି ଅଭିଯୋଗକାରୀ ତାହାର ବିରୋଧ କରିବା ପୂର୍ବକ ମନ୍ତବ୍ୟ ଗୁଡ଼ିକୁ ଡିଲିଟ୍ କରିବା ସହ ସର୍ବସାଧାରଣରେ ଏପରି ଶବ୍ଦ ବ୍ୟବହାର ନ କରିବା ଲାଗି ଅଭିଯୁକ୍ତଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ଅଭିଯୁକ୍ତ ସେଥିପ୍ରତି କର୍ଣ୍ଣପାତ କରିନଥିଲେ । ଫଳରେ ଅଭିଯୋଗକାରୀ ଅଭିଯୁକ୍ତଙ୍କ ବିରୁଦ୍ଧରେ ଆବଶ୍ୟକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ କରିବା ସହ ଅଭିଯୁକ୍ତ ଅମର କୁମାର ଷଢଙ୍ଗୀଙ୍କୁ ମଙ୍ଗଳବାର ଗିରଫ କରିଥିବା ବେଳେ, ତାଙ୍କ ମୋବାଇଲ ଫୋନକୁ ଜବତ କରାଯାଇଛି ।