ଓଡିଶା ରାଜନୀତିରେ ମୋକିମ୍ ଧୂମକେତୁ: ୧୭ରେ ‘ବିଜୁ ଲିଗାସି’
ମହମ୍ମଦ ମୋକିମଙ୍କ ନୂଆ ରାଜନୈତିକ ଦଳ ଓଡିଶା ଜନତା କଂଗ୍ରେସ …..
ଭୁବନେଶ୍ୱର: ମହମ୍ମଦ ମୋକିମଙ୍କ ନୂଆ ରାଜନୈତିକ ଦଳ ଓଡିଶା ଜନତା କଂଗ୍ରେସ (ଓଜେସି) ମଇଦାନକୁ ଓହ୍ଲାଇଛି। ଏହା ସହ ଓଡିଶା ରାଜନୀତିରେ ଆଉ ଏକ ଆଂଚଳିକ ଦଳର ଅଭ୍ୟୁଦୟ ହୋଇଛି। ଆଗକୁ ‘ବିଜୁ ଲିଗାସି’କୁ ନେଇ କିଛି ବଡ ରାଜନୈତିକ ହଟଚମଟ ଦେଖିପାରେ ଓଡିଶା। ବିଜେଡିରୁ ବିତାଡିତ ଓ ଦୂରେଇ ଯାଇଥିବା କିଛି ହେଭିୱେଟ ନେତା ଏବେ ରାଜ୍ୟ ରାଜନୀତି ପାଣି ପରଖୁଛନ୍ତି। କିଛି ମାସ ଭିତରେ ବିଜୁ ଲିଗାସି ନାରା ଦେଇ ମଇଦାନକୁ ଡେଇଁପାରେ ଆଉ ଏକ ଆଂଚଳିକ ଦଳ। କ୍ଷମତାରୁ ହଟିବା ପରେ ରାଜ୍ୟର ସବୁଠାରୁ ବଳୁଆ ସଂଗଠନଧାରୀ ବିଜେଡିର ଗଡ ଓ ବଳ ଭାଙ୍ଗିବାରେ ଲାଗିଛି।
ଏପଟେ ୨୬ ବର୍ଷ କ୍ଷମତା ବାହାରେ ରହିବା ସତ୍ୱେ କଂଗ୍ରେସର ହାତ ଏକାଠି ହୋଇପାରୁନି। ଏମିତି ଏକ ସ୍ଥିତିରେ ନୂଆ ଆଂଚଳିକ ଦଳ ଗଢ଼ିବାକୁ ବହୁ ଭେଟେରାନ ନେତା ଲାଗି ପଡିଛନ୍ତି। ଆଜି ପ୍ରଥମ ଦଫାରେ ମୋକିମଙ୍କ ଓଜେସିର ମୂଳଦୁଆ ପଡିଲା। ହଜାର ହଜାର ଲୋକଙ୍କୁ ନେଇ ପ୍ରଦର୍ଶନୀ ପଡିଆରେ ମୋକିମ ଶକ୍ତି ପ୍ରଦର୍ଶନ କଲେ। କୌଣସି ବଡ ନେତା ଏଯାଏଁ ମୋକିମଙ୍କ ହାତ ଧରିନାହାନ୍ତି। ହେଲେ ମୋକିମ କହୁଛନ୍ତି, ତାଙ୍କ ଦଳରେ ବହୁ ଯୁବବର୍ଗ ସାମିଲ ହେଉଛନ୍ତି। ଅନ୍ୟପଟେ ଆସନ୍ତା ୧୭ ତାରିଖରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ରାଜ୍ୟ ରାଜନୀତିରେ ଉଲ୍ଲେଖନୀୟ ଘଟଣାକ୍ରମ ଦେଖିବାକୁ ମିଳିବ। ଗୋଟିଏ ପଟେ ଶଙ୍ଖ ଭବନ ସମେତ ସମଗ୍ର ରାଜ୍ୟରେ ବିଜେଡି ବିଜୁଙ୍କ ପାଇଁ ସଭା ଓ ରକ୍ତଦାନ ଶିବିର କରିବ। ଅନ୍ୟପଟେ ଭୁବନେଶ୍ୱରର ଓୟୁଏଟି ସମ୍ମିଳନୀ କକ୍ଷରେ ବରିଷ୍ଠ ନେତା ବିଜୟ ମହାପାତ୍ର, ଦିଲ୍ଲୀପ ରାୟ, ସୌମ୍ୟ ପଟ୍ଟନାୟକ, ପ୍ରଭାତ ତ୍ରିପାଠୀ, ଅମର ଶତପଥୀ, ରବି ପାଣି ପ୍ରମୁଖ ବିଜୁଙ୍କ ସ୍ମୃତିଚାରଣ କରିବ।
ରାଜନୈତିକ ବ୍ୟକ୍ତିବିଶେଷଙ୍କଠାରୁ ନେଇ ବିଭିନ୍ନ କ୍ଷେତ୍ରର ସୁନାମଧନ୍ୟ ବ୍ୟକ୍ତି ବିଶେଷ ଏହି କାର୍ଯ୍ୟକ୍ରମରେ ଯୋଡି ହେବେ। ଓଡିଶା ନାଗରିକ ମଂଚ ବ୍ୟାନର ତଳେ ଏହି କାର୍ଯ୍ୟକ୍ରମ ହେବ। ଏହା ପଛରେ କିଛି ଲିଗାସି ରାଜନୀତି ନାହିଁ ବୋଲି ସବୁ ଆୟୋଜକ ନେତାଏ ସ୍ପଷ୍ଟ କରିଛନ୍ତି। ମାତ୍ର ବିଜୁ ଲିଗାସିକୁ ନେଇ ଏମାନେ ଯେ ଆଗକୁ କିଛି ବଡ କରିବାକୁ ଯାଉଛନ୍ତି, ତାହାର ଆଭାସ ମିଳିସାରିଛି । ସୂତ୍ର ଅନୁସାରେ ବିଜେଡିରୁ ନିଲମ୍ବିତ ବିଧାୟକମାନେ ଏହି ଗୋଷ୍ଠୀ ସହ ଯୋଡି ହୋଇ ରହିଛନ୍ତି। ଦଳ ଭିତରେ ଅସନ୍ତୁଷ୍ଟ ଥିବା ନେତାଏ ବି ସମ୍ପର୍କରେ ଅଛନ୍ତି। କେବଳ ସୁଯୋଗକୁ ଅପେକ୍ଷା। ସମ୍ଭବତଃ ପଂଚାୟତ ନିର୍ବାଚନ ପୂର୍ବରୁ ଏହି ମଂଚ ନୂଆ ସାମ୍ମୁଖ୍ୟ ରୂପ ନେଇପାରେ। ଯେମିତି ମୋକିମଙ୍କ ଦଳ କଂଗ୍ରେସର ଭୋଟ ବ୍ୟାଙ୍କକୁ ସିଧା କ୍ଷତିଗ୍ରସ୍ତ କରିବା ଆଶଙ୍କା ରହିଛି, ସମ୍ଭାବ୍ୟ ସାମ୍ମୁଖ୍ୟ ବିଜେଡିର ବିଜୁ ଲିଗାସି ଭୋଟ ଭାଙ୍ଗିବ ବୋଲି କୁହାଯାଉଛି।
ଏବେ ପ୍ରଶ୍ନ ଉଠିଛି, ଓଡିଶାରେ କ’ଣ ନୂଆ ଆଂଚଳିକ ଦଳ ପାଇଁ ଏତେ ପର୍ଯ୍ୟାପ୍ତ କ୍ଷେତ୍ର ମୁକୁଳା ପଡିଛି? ୧୯୯୭ରେ ବିଜେଡି ଗଠନ ବେଳର ସ୍ଥିତି ଭିନ୍ନ ଥିଲା। ସାମ୍ନାରେ ଏକମାତ୍ର ପ୍ରତିପକ୍ଷ ଥିଲା କଂଗ୍ରେସ। ବିଜୁଙ୍କ ପରେ ଜନତା ଦଳ ସ୍ଥିତି ଦୋହଲି ଯାଇଥିଲା। କେନ୍ଦ୍ରରେ କ୍ଷମତାସୀନ ବିଜେପି ସହଯୋଗ ଦେଇଥିଲା। ବିଜୁଙ୍କ ଅବର୍ତମାନରେ ତାଙ୍କ ପୁଅ ଭାବେ ନବୀନଙ୍କ ପ୍ରତି ଓଡିଶାବାସୀ ଅକୁଣ୍ଠ ସମର୍ଥନ ବର୍ଷା କରିଥିଲେ। ଏବେ ସ୍ଥିତି ପୂରା ଭିନ୍ନ। ଶାସନରେ ଅଛି ଶକ୍ତିଶାଳୀ ବିଜେପି। ୨ ନମ୍ବରରେ ଥିବା ବିଜେଡି ସାଂଗଠନିକ ଦୃଷ୍ଟିକୋଣରୁ ଏବେ ବି ବେଶ୍ ଶକ୍ତିଶାଳୀ। ନବୀନଙ୍କ କ୍ରେଜ ଆଜି ମଧ୍ୟ ରହିଛି। ସେହିପରି ୩ ନମ୍ବରରେ ଥିବା କଂଗ୍ରେସ ତା’ର ସଂଘର୍ଷ ଜାରି ରଖିଛି। ରାଜ୍ୟସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସ ଯେମିତି ଏକାଠି ହେଲେ, ଆଗକୁ ମିଶିଲେ ନୂଆ ସମୀକରଣ ସୃଷ୍ଟି ହୋଇପାରେ। ବର୍ତମାନ ସ୍ଥିତିରେ ନୂଆ ଆଂଚଳିକ ଦଳ ଉଭା ହେଲେ, ୪ ନମ୍ବର କିମ୍ବା ୫ ନମ୍ବର ସ୍ଥାନରୁ ରେସ୍ ଆରମ୍ଭ କରିବ। କେବଳ ଅର୍ଥ ବଳ କିମ୍ବା ବଡ ନେତାଙ୍କ ମେଳି ନୁହେଁ, ତୃଣମୂଳ ସ୍ତରରେ ଶକ୍ତିଶାଳୀ କ୍ୟାଡର ବି ଦରକାର ପଡିବ। ଆସନ୍ତା ୧୭ ତାରିଖରେ କିଛି ନୂଆ ଦୃଶ୍ୟପଟ୍ଟ ନେଇ ରାଜ୍ୟ ରାଜନୀତି ଚଳଚଂଚଳ ଲାଗୁଛି।