ବିଧାନସଭା ନିର୍ବାଚନ: କଂଗ୍ରେସର ପ୍ରଥମ ତାଲିକାରେ ୩ ରାଜ୍ୟର ୨୨୯ ପ୍ରାର୍ଥୀ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନାର ୨୨୯ଟି ବିଧାନସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ପ୍ରଥମ ତାଲିକା ଜାରି କରାଯାଇଛି । ତା’ ଭିତରୁ ମଧ୍ୟପ୍ରଦେଶର ୧୪୪, ଛତିଶଗଡ଼ର ୩୦ ଓ ତେଲଙ୍ଗାନାର ୫୫ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ପ୍ରକାଶ ପାଇଛି ।
ସୂଚନା ମୁତାବକ ପୂର୍ବତନ ମୁଖ୍ୟମନ୍ତ୍ରୀ କମଳ ନାଥଙ୍କୁ ଛିନ୍ଦୱାଡାରୁ ଟିକେଟ୍ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କ ବିପକ୍ଷରେ କଂଗ୍ରେସ ନେତା ବିକ୍ରମ ମସ୍ତଲଙ୍କୁ ପ୍ରାର୍ଥୀ କରାଯାଇଛି । ମସ୍ତଲଙ୍କ ପରିଚୟ ହେଉଛି ସେ ୨୦୦୮ରେ ପ୍ରସାରିତ ରାମାୟଣରେ ହନୁମାନଙ୍କ ଚରିତ୍ରରେ ଅଭିନୟ କରିଥିଲେ । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କୁ ତାଙ୍କ ପାରମ୍ପରିକ ଆସନ ପାଟନରୁ ଲଢ଼ିବା ପାଇଁ ଅନୁମତି ମିଳିଯାଇଛି । ଉପ ମୁଖ୍ୟମନ୍ତ୍ରୀ ଟିଏସ ସିଂହଦେଓଙ୍କୁ ଅମ୍ବିକାପୁର ଆସନରୁ ପ୍ରାର୍ଥୀ କରାଯାଇଛି।
ନିର୍ବାଚନ କମିଶନ ଅକ୍ଟୋବର ୯ ତାରିଖ ଦିନ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ । ମଧ୍ୟପ୍ରଦେଶରେ ୧୭ ନଭେମ୍ବର, ଛତିଶଗଡ଼ରେ ନଭେମ୍ବର ୭ ଓ ୧୭ ତାରିଖରେ ମତଦାନ ଗ୍ରହଣ କରାଯିବ । ରାଜସ୍ଥାନରେ ନଭେମ୍ବର ୨୫ ତାରିଖ, ମିଜୋରାମରେ ନଭେମ୍ବର ୭ ଓ ତେଲଙ୍ଗାନାରେ ନଭେମ୍ବର ୩୦ ତାରିଖରେ ମତଦାନ ଗ୍ରହଣ କରାଯିବ । ଡିସେମ୍ବର ୩ ତାରିଖରେ ମତଗଣନା ଓ ଫଳାଫଳ ଗଣନା କରାଯିବ।