ବିଜେଡିକୁ କ୍ଷମତାରୁ ହଟାଇବ ବିଜେଡି (ବିଜୁ ଜଳକା ଦଳ)

ଆସନ୍ତା ବିଧାନସଭା ଓ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଗଠନ କରାଯାଇଛି ବିଜୁ ଜଳକା ଦଳ । ନିର୍ବାଚନ ଠିଆ ହେବା ବଦଳରେ ବିଜୁ ଜନତା ଦଳର କଳା କାରନାମାକୁ ପଦାରେ ପକାଇବା ବିଜୁ ଜଳକା ଦଳର ମୁଖ୍ୟ ପ୍ରସଙ୍ଗ ହେବ । ବିଜେଡି ମୁଖିଆ ଉପରକୁ ଦେଖିବାକୁ ଯେମିତି, ବାସ୍ତବରେ ସେମିତି ନୁହନ୍ତି ବୋଲି ଲୋକଙ୍କୁ ବୁଝାଇବାକୁ ପଡ଼ିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଅସଲ ଉଦ୍ଦେଶ୍ୟ ‘ଗରିବ ଭୋଟରଙ୍କ ଆଗରେ ରୁଟିଖଣ୍ଡେ ପକାଇ ରାଜ୍ୟର ଜମି, ଜଳ, ଜଙ୍ଗଲ, ଖଣିଖାଦାନକୁ ବଡ଼ ବଡ଼ ବ୍ୟବସାୟୀଙ୍କ ହାତକୁ ଟେକିଦେବା । ରାଜ୍ୟର ସାଢେ଼ ଚାରିକୋଟି ଜନତାଙ୍କ ଝାଳବୁହା ଧନକୁ ଲୁଟିନେବା ।’ ଆସନ୍ତା ନିର୍ବାଚନରେ ବିଜେଡିକୁ ପରାଜିତ କରିବା ବିଜୁ ଜଳକା ଦଳ (ବିଜେଡି)ର ପ୍ରଧାନ କାମ ହେବ ।

ମାରିନେଲେ ମହାପାତ୍ରେ; ଆମେ ଚାହିଁ ଚାହିଁ ହେଲୁ ଜଳକା । ବିଜେଡିର ଉପରମୁଣ୍ଡିଆ ନେତାମାନେ ଆପଣା ଆପଣା ସ୍ୱାର୍ଥକୁ ନେଇ ମାତିଲେ । ଆମେ ତଳିଆ କର୍ମୀମାନେ ଜଳକା ହୋଇ ଅନାଇବା ଛଡ଼ା ଆଉ କିଛି କରିପାରିଲୁନି । ନେତା, ମନ୍ତ୍ରୀ, ବିଧାୟକ, ସାଂସଦଙ୍କର ଦୋଷତ୍ରୁଟିକୁ ଘୋଡ଼ାଇ ଘୋଡ଼ାଇ ଆମ ଅମଳ କଟିଗଲା । ହେଲେ ଆମ ଉପରେ କାହାରି ଶୁଭ ଦୃଷ୍ଟି ପଡ଼ିଲାନି । ଆମ ଭିତରୁ କାହାକୁ ବିଧାୟକ ଅବା ସାଂସଦ କରିବା ପାଇଁ ବିଜେଡି ମୁଖିଆଙ୍କ ମୁଣ୍ଡରେ ବୁଦ୍ଧି ପଶିଲାନି ।
ମହାଦେବଙ୍କ ଚାରିକଡେ଼ ଯିଏ ଗଣେଶଙ୍କ ଭଳି ବୁଲିଲା, ତା’ ଉପରେ ନବୀନବାବୁଙ୍କ ଆଶୀର୍ବାଦ ଅଜାଡ଼ି ହୋଇପଡ଼ିଲା ।

ଗଣତନ୍ତ୍ର ଶାସନରେ ରାଜତନ୍ତ୍ର ପ୍ରଥା ଚାଲିଛି । ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ତାଙ୍କ ପୁଅ ନବୀନ ପଟ୍ଟନାୟକଙ୍କୁ ରାଜ୍ୟବାସୀ ଆଦରି ନେଲେ । ଗଣତନ୍ତ୍ର ଶାସନରେ ରାଜତନ୍ତ୍ର ପ୍ରଥାର ମୂଳଦୁଆ ପକାଇଲେ ତକ୍ରାଳୀନ ନେତା ବିଜୟ ମହାପାତ୍ର, ଦିଲୀପ ରାୟ, ଶ୍ରୀକାନ୍ତ ଜେନା, ରାମକୃଷ୍ଣ ପଟ୍ଟନାୟକ, ଅଶୋକ ଦାସ, ପ୍ରଫୁଲ୍ଲ ଘଡେ଼ଇଙ୍କ ଭଳି କିଛି ବିଜୁପ୍ରିୟ ନେତା ।

ମାଗି ଆଣିଥିବା ତିଅଣ ସୁଡୁକାଏ ଭଳି ନବୀନ ପଟ୍ଟନାୟକ ଯୋଉ ବାଟ ଦେଇ ରାଜନୀତିକୁ ପଶିଲେ; ସେଇ ବାଟକୁ ଆଜି ଯ।।ଏ ଆଦରି ଚାଲିଛନ୍ତି । ଯୋଉ ବିଧାୟକ ମଲେ, ତାଙ୍କ ସ୍ଥାନରେ ସଂପୃକ୍ତ ବିଧାୟକଙ୍କର ପୁଅ ଅବା ପତ୍ନୀଙ୍କୁ ବିଧାୟକ କରି ଦିଆଯାଉଛି । ଗଣତନ୍ତ୍ର ଭିତରେ ରାଜତନ୍ତ୍ର ପ୍ରଥାଟିକୁ ଜାବୁଡ଼ି ରଖିବା ଆଦୌ ଉଚିତ ନୁହେଁ ।

ଗଣତନ୍ତ୍ର ଶାସନରେ ସାଧାରଣ ଭୋଟର ସବୁଠାରୁ ଶକ୍ତିଶାଳୀ ବୋଲି କୁହାଯାଉଛି । କିନ୍ତୁ ବାସ୍ତବରେ ସରକାରୀ କର୍ମଚାରୀ ଓ ପ୍ରଶାସନିକ ଅଧିକାରୀମାନେ ସବୁଠାରୁ ଶକ୍ତିଶାଳୀ । ଥାନାରେ ମାମୁଲି କନଷ୍ଟେବଲ ପାଖରେ ଯୋଉ ଅଧିକାର ରହିଛି, ସାଧାରଣ ଭୋଟର ପାଖରେ ସେତିକି ଅଧିକାର ନାହିଁ ।

ଏଭଳି ରୋଗାକ୍ରାନ୍ତ ଗଣତନ୍ତ୍ରକୁ ସୁଧାରିବାକୁ ହେବ । ବିଜେଡିର ହାତଗଣତି କ୍ଷମତାପାଗଳ ନେତାଙ୍କ ହାତରୁ ଶାସନକୁ ବଂଚାଇ ରଖିବା ପାଇଁ ବିଜୁ ଜଳକା ଦଳ ଗଠନ କରାଯାଇଛି । ଗରିବ ଲୋକଙ୍କ ବଳ ବୋଲାଉଥିବା ବିଜୁ ଜନତା ଦଳ ଆଉ ସ୍ୱଚ୍ଛ ହୋଇ ରହିନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ମନମାନି ଶାସନକୁ ବିଜେଡିର ୫୦ ଲକ୍ଷ ତଳିଆ କର୍ମୀ ଜଳକା ଭଳି ଦେଖୁଛନ୍ତି ।

  •  ଆଦର୍ଶ ବିଦ୍ୟାଳୟରେ ଲାଗିଥିବା ଶସ୍ତା କମ୍ୟୁଟର ମାତ୍ର ଦିନ କେଇଟାରେ ଅକାମୀ ହୋଇଯାଉଛି ।
  •  ଆଦର୍ଶ ବିଦ୍ୟାଳୟରେ ଆଦର୍ଶ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି କରାଯାଉନି ।
  • ରାଜ୍ୟସାରା ବସୁଧା ଯୋଜନାର ଫଳକ ଦିଶୁଛି, ମାତ୍ର ସବୁ ଘରକୁ ପାଇପ ପାଣିି ଯାଇ ପାରିଲାନି ।
  •  ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ବିଜୁଳି ଭଳି ଅତ୍ୟାବଶ୍ୟକ ବିିଭାଗକୁ ଘରୋଇ ସଂସ୍ଥ। ହାତରେ ଟେକି ଦିଆଯିବାର ପ୍ରଥାକୁୁ ସମାଧି ଦେବାର ସଂକଳ୍ପ ନେଇ ବିଜୁ ଜଳକା ଦଳ ସାମ୍ନାକୁ ଆସିଛି ।