ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡିର ରେକର୍ଡ ସଂଖ୍ୟକ ଜିତାପଟ

ଦିପାଳୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡା : ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଝାରସୁଗୁଡ଼ା ଉପନିର୍ବାଚନରେ ରେକର୍ଡ ସଂଖ୍ୟକ ଭୋଟରେ ଜିତିଛି। ଦୀପାଳିଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କଠାରୁ ୪୮,୭୨୧ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି।

ବିଜୟ ପରେ ଗଣମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟା‌ରେ ଦୀପାଳି ଦାସ କହିଛନ୍ତି, ଏହି ବିଜୟ ପାଇଁ ମୁଁ ଝାରସୁଗୁଡ଼ାବାସୀଙ୍କୁ ନିଜର କୃତଜ୍ଞତା ଓ ହୃଦୟରୁ ଧନ୍ୟବାଦ ଜଣାଉଛି। ଏଥିସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛି। ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ , ବାପାଙ୍କୁ ସମସ୍ତେ କେତେ ଭଲ ପାଉଥିଲେ ତା’ ଉତ୍ତର ଆଜି ମିଳିଗଲା। ଝାରସୁଗୁଡାରେ ବିକାଶର ଦୀପାବଳି ଜଳିବା ପାଇଁ ଆଉ କେହି ଅଟକାଇ ପାରିବେ ନାହିଁ।

ଝାରସୁଗୁଡାବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ମୋ ଉପରେ ଭରସା କରିଛନ୍ତି। ବାପାଙ୍କ ପରି କାମ କରିକି ଦେଖେଇବାର ଅଛି ବୋଲି ମଧ୍ୟ କହିଛନ୍ତି ଦୀପାଳି ଦାସ। ଅନ୍ୟପଟେ ଦୀପାଳିଙ୍କ ଭାଇ ବିଶାଳ କହିଛନ୍ତି ଆଜି ବାପାଙ୍କ କଥା ମନେ ପଡ଼ିଯାଉଛି । ଝାରସୁଗୁଡ଼ାବାସୀ ଯେମିତି ବାପାଙ୍କୁ ଭଲ ପାଇବା ଦେଉଥିଲେ ଠିକ୍ ସେମିତି ଦୀପାଳିକୁ ବି ଭଲପାଇବା ଦେଇଛନ୍ତି । ବହୁତ ବହୁତ ଧନ୍ୟବାଦ ସମସ୍ତଙ୍କୁ।

ବିଜେଡିର ୩ ପର୍ଯ୍ୟବେକ୍ଷକ, ସମସ୍ତ ନେତା ଓ ସହଯୋଗୀମାନଙ୍କୁ ଧନ୍ୟବାଦ ଜଣାଉଛି। ବିଜୁ ଜନତା ଦଳ ସବୁବେଳେ ବିକାଶ ପାଇଁ ଲଢ଼ିଛି, ବିକାଶ ପାଇଁ ଠିଆ ହୋଇଛି। ଝାରସୁଗୁଡ଼ା ମାଟିରେ ବିକାଶ ପୁରୁଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଦ ପଡ଼ିଛି। ଏହି ଅଞ୍ଚଳରେ ବିକାଶକୁ ଆଉ କେହି ଅଟକାଇ ପାରିବେନି। ମୋ ବାପାଙ୍କ ସ୍ୱପ୍ନ ଥିଲା ଝାରସୁଗୁଡ଼ାର ନୂତନ ନିର୍ମାଣ। ତାହାର ସମସ୍ତ ଦାୟିତ୍ୱ ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ନିଶ୍ଚିତ ଭାବରେ ମୁଁ କରିବି।

BJD_Odisha

ସୂଚନାଯୋଗ୍ୟ, ଝାରସୁଗୁଡା ଉପନିର୍ବାଚନରେ ଦୀପାଳି ଦାସଙ୍କ ବିପୁଳ ବିଜୟ ପରେ ତାଙ୍କ ସହ ମୁଖ୍ୟମନ୍ତ୍ରୀ ଫୋନ ଯୋଗେ କଥାବାର୍ତ୍ତା ହୋଇ ଅଭିନନ୍ଦନ ଜଣାଇଛନ୍ତି । ଏହି ବିଜୟ ସହ ଝାରସୁଗୁଡାର ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବିଜେଡି ପ୍ରାର୍ଥିଙ୍କୁ ବିପୁଳ ଭୋଟରେ ବିଜୟ କରାଇଥିବାରୁ ଝାରସୁଗୁଡା ବାସୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି।