କର୍ଣ୍ଣାଟକରେ ସରକାର ଗଠନ କରି ପାରିବନି ବିଜେପି

ବେଙ୍ଗାଲୁରୁ: ସୋମବାର ସଂରକ୍ଷଣ ବିଷୟକୁ କେନ୍ଦ୍ର କରି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦିୟୁରାପ୍ପାଙ୍କ ଘର ଉପରକୁ ପଥରମାଡ଼ କରାଯାଇଛି । ଶୁଣିବାକୁ ମିଳିଛି, କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପିକୁ ସଂଖ୍ୟା ଗରିଷ୍ଠତା ମିଳିବା ସହଜ ହେବନାହିଁ । ଯାଯାବର ଓ ଭୋବି ସମୁଦାୟର ଲୋକମାନେ ଶିବମୋଗାରେ ୟେଦିୟୁରାପ୍ପାଙ୍କ ଘର ଓ ଅଫିସ ବାହାରେ ବିକ୍ଷୋଭ କରିବାରୁ ପୁଲିସ ପ୍ରଶାସନ ପକ୍ଷରୁ ସେଠାରେ ଧାରା ୧୪୪ ଜାରି କରାଯାଇଛି । ଅଧିସୂଚୀତ ଜାତିଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷିତ ଆସନକୁ ବିଭିନ୍ନ ଜାତି ଭିତରେ ବାଂଟି ଦେବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଥିବାରୁ ଯାଯାବର ଓ ଭୋବି ସମୁଦାୟର ଲୋକମାନେ କ୍ଷୋଭ ପ୍ରକାଶ କରିଛନ୍ତି ।

ବିଜେପି ନେତା ୟେଦିୟୁରାପ୍ପା କହିଛନ୍ତି, ଯାଯାବର ସମୁଦାୟର ନେତାମାନେ ବିଭ୍ରାନ୍ତରେ ପଡ଼ି ଏଭଳି ହିଂସା ଆଚରଣ କରୁଛନ୍ତି । ମୁଁ ବ୍ୟକ୍ତିଗତ ଭାବେ ସେମାନଙ୍କୁ ଧରି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଯିବି । ମୋତେ ମୁଖ୍ୟମନ୍ତ୍ରୀ କରିବା ପଛରେ ଯାଯାବର ଶ୍ରେଣୀର ଲୋକମାନଙ୍କର ବିରାଟ ଅବଦାନ ରହିଛି । ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ପାଇଁ ମୁଁ ପୁଲିସ ଅଧିକ୍ଷକଙ୍କୁ ପରାମର୍ଶ ଦେଇଛି । ଏହି ଘଟଣା ପାଇଁ ମୁଁ କଂଗ୍ରେସ ଅବା ଅନ୍ୟ ଦଳକୁ ଦାୟୀ କରିବି ନାହିଁ ।

କର୍ଣ୍ଣାଟକ ରାଜନୀତିରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇଛି । ସବୁ ବର୍ଗର ଲୋକଙ୍କୁ ସଂରକ୍ଷଣ ବ୍ୟବସ୍ଥାରେ ସନ୍ତୁଷ୍ଟ କରିବା ଅସମ୍ଭବ ଥିବାରୁ ଆଗାମୀ ବିଧାନସଭା ନିର୍ବାଚନରେ ବିଜେପିକୁ ସଂଖ୍ୟା ଗରିଷ୍ଠତା ମିଳିବା କଷ୍ଟକର ହୋଇପଡ଼ିବ ବୋଲି ସେଠାକାର ରାଜନୀତି ବିଶାରଦମାନେ କହିଛନ୍ତି ।