ନାମିବିୟାରୁ ଭାରତକୁ ଆସିଥିବା ଚିତାବାଘ ଭିତରୁ ଗୋଟିଏ ମରିଗଲା

ନାମିବିୟାରୁ ଅଣା ଯାଇଥିବା ଆଠଟି ଚିତାବାଘକୁ କୁନୋ ନ୍ୟାସନାଲ ପାର୍କରେ ଛଡ଼ାଯାଇଛି । ସେହି ଚିତାବାଘ ଭିତରୁ ଗୋଟିଏ ୫ ବର୍ଷ ବୟସର ମାଈ ଚିତାବାଘ ସଶା ମୃତ୍ୟୁବରଣ କରିଛି । ବାଘଟି କିଡ୍‌ନୀଜନିତ ରୋଗରେ ପୀଡ଼ିତ ଥିବାର ପଶୁ ଡାକ୍ତର କହିଛନ୍ତି । ସୋମବାର ସକାଳ ସାଢେ଼ ୮ଟାରେ ବାଘଟିକୁ ମୃତ ଅବସ୍ଥାରେ ଠାବ କରାଯାଇଥିଲା । ଗତ ସେପ୍ଟେମ୍ବରରେ ନାମିବିୟାରୁ ସଶା ସମେତ ୮ଟି ଚିତା ୧୭ ତାରିଖରେ ଭାରତରେ ପହଂଚିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ସେଗୁଡ଼ିକୁ ପିଞ୍ଜରାରୁ ମୁକ୍ତ କରି ଅଭୟାରଣ୍ୟକୁ ଛାଡ଼ିଥିଲେ । ନିକଟରେ ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତାକୁ ଅଣାଯିବା ପରେ ଦ୍ୱିତୀୟ ପର୍ଯ୍ୟାୟରେ କୁନୋରେ ଛଡ଼ାଯାଇଛି ।

ବନ ବିଭାଗ ଅଧିକାରୀ ଜେଏନ୍‌ କଂସୋଟିଆ କହିଛନ୍ତି, କେଉଁ କାରଣରୁ ଚିତାବାଘଟି ମରିଗଲା; ତାହା ଏବେ ସ୍ପଷ୍ଟ କହି ହେବନି । ଭୋପାଳରୁ ବନ ଓ ପଶୁ ଡାକ୍ତର ମଣ୍ଡଳୀ କୁନୋରେ ପହଂଚିଛନ୍ତି । ସେମାନେ ବାଘଟିକୁ ବ୍ୟବଚ୍ଛେଦ କରି ରିପୋର୍ଟ ଦେବାପରେ ମୃତ୍ୟୁର କାରଣ ଜଣାପଡ଼ିବ ।

ବିଦେଶରୁ ବନ୍ୟପ୍ରାଣୀ କିଣାଯିବା ପୂର୍ବରୁ ସେଗୁଡ଼ିକର ଡାକ୍ତରୀ ପରୀକ୍ଷା ଜରୁରୀ ଥିଲା । ଭାରତ ସରକାର ଅସୁସ୍ଥ ଚିତାବାଘ କିଣିଥିବା କିଛି ପଶୁପ୍ରେମୀ ଆଶଙ୍କା ପ୍ରକାଶ କରିଛନ୍ତି । ଦୁଇବର୍ଷ ତଳୁ ସଶାର କିଡ୍‌ନୀ ସଂକ୍ରମଣ ହୋଇଥିଲା; ନାମିବିୟା ସରକାର ଜାଣିଶୁଣି ଉକ୍ତ ବିଷୟକୁ ଲୁଚାଇ ରଖିଥିଲେ ।

ସୂଚନା ମୁତାବକ ଗତ ନଭେମ୍ବର ୨୮ ତାରିଖ ଦିନ କୁନୋ ନ୍ୟାସନାଲ ପାର୍କର ବଡ଼ ଖୁଆଡ଼ ୫ ନମ୍ବର କମ୍ପାର୍ଟମେଂଟରେ ତିନୋଟି ମାଈ ଚିତାବାଘ ସବାନା, ସଶା ଓ ସିୟାୟାକୁ ଛଡ଼ା ଯାଇଥିଲା । ତିନିହେଁ ଏକାଠି ମିଶି ପଶୁ ଶିକାର କରୁଥିଲେ । ଜାନୁଆରୀ ୨୩ ତାରିଖରେ ସଶା ଅସୁସ୍ଥ ହେଲା । ତାକୁ ଚିକିତ୍ସା କରିବା ପାଇଁ ଭୋପାଳରୁ ଡାକ୍ତର ଟିମ କୁନୋରେ ପହଂଚି ଥିଲେ । ଡାକ୍ତରମାନେ ପରୀକ୍ଷା କରିବା ପରେ ସଶା କିଡ୍‌ନୀ ସଂକ୍ରମଣରେ ପୀଡ଼ିତ ଥିବା ଜଣାପଡ଼ିଥିଲା ।

ଦକ୍ଷ ପଶୁ ବିଶେଷଜ୍ଞଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତା’ର ଚିକିତ୍ସା ଚାଲିଥିଲା । ସେ ଧୀରେଧୀରେ ସୁସ୍ଥ ହେଉଥିବା ବିଷୟ ଡାକ୍ତର କହୁଥିଲେ । ମାତ୍ର ହଠାତ୍‌ ସେ ମରିଯିବାରୁ ଡାକ୍ତର ଆଶ୍ଚର୍ଯ୍ୟ ହୋଇଛନ୍ତି । କୁନୋରେ ଚିତାବାଘ ସଂଖ୍ୟା ୨୦ ଥିଲା । ସଶା ମରିଯିବାରୁ ସେମାନଙ୍କ ସଂଖ୍ୟା ୧୯କୁ ଖସିଯାଇଛି ।