‘ଆସ ହେ ନବୀନ ଏନ୍‌ଡିଏ ଗୋଠକୁ’

ବିଜେପିର ଏହି ଉଦ୍ୟମ ନେହୁରୁଙ୍କ ରେକର୍ଡକୁ ଟପିବା ନିଶାକୁ ବୁଝାଉଛି…..

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୁହନ୍ତି, ତାଙ୍କ କ୍ୟାବିନେଟ୍‌ର ଜଣେ ମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏନ୍‌ଡିଏ ଗୋଠରେ ମିଶିବାକୁ ଅନୁରୋଧ କରିଛନ୍ତି । ଆପଣମାନେ ଠିକ ବୁଝିଛନ୍ତି, ଆମ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେଙ୍କ କଥା କହୁଛୁ । ନବୀନବାବୁଙ୍କ ବାରମ୍ବାର ଦିଲ୍ଲୀ ଗସ୍ତ ଓଡ଼ିଶାବାସୀଙ୍କ ମନରେ ନାନା କୌତୁହଳ ସୃଷ୍ଟି କରୁଥିଲା । ମାତ୍ର ରାମଦାସଙ୍କ ତେଲମରା କଥା ଶୁଣିବା ପରଠାରୁ ରାଜ୍ୟ ବିଜେପି ନେତାମାନେ ଚିନ୍ତାପଡ଼ି ଯାଇଛନ୍ତି । ୨୦୦୯ରେ ନବୀନଙ୍କଠାରୁ ଗୋଇଠା ଖାଇ ରାଜ୍ୟ ବିଜେପି ଏକପ୍ରକାର ହଟହଟା ହୋଇ ସାରିଲାଣି । ନବୀନଙ୍କୁ ହଟାଇବା ଅସମ୍ଭବ ଜାଣିବା ପରେ କେନ୍ଦ୍ର ବିଜେପି ଏବେ ହାତଯୋଡ଼ିବା ସ୍ଥିତିକୁ ଆସିଛି । ଏପରି ମଉକା ହାତଛଡ଼ା କରିବା ନବୀନଙ୍କ ପକ୍ଷେ ଉଚିତ ହେବନି ବୋଲି ରାଜନୀତି ବିଶାରଦମାନେ କହିଛନ୍ତି ।

କାରଣ ନବୀନଙ୍କ ଦଳର ବହୁ ତୁଙ୍ଗନେତାଙ୍କ ମୁଣ୍ଡ ଉପରେ ସିବିଆଇ ଖଣ୍ଡା ଝୁଲୁଛି । କେତେବେଳେ କାହା ମୁଣ୍ଡ ଉପରେ ଖସିବ, କିଛି ଜଣାନାହିଁ । ଚିଟ୍‌ଫଣ୍ଡ ଠକେଇ ସମେତ ବହୁ ଦୁର୍ନୀତିର ମୁଖ୍ୟ କାର୍ପଟଦାର ତଥା ଅଭିଯୁକ୍ତ ରାଜନେତାଙ୍କୁ ସିବିଆଇ ଖଣ୍ଡାରୁ ବଂଚାଇବାର ଏକମାତ୍ର ବାଟ ହେଉଛି ଏନ୍‌ଡିଏ ଗୋଠରେ ସାମିଲ । ସେପରି କଲେ, ବିଜେଡିକୁ ଅଧିକ ଫାଇଦା ମିଳିବାର ସମ୍ଭାବନା । ବିରୋଧୀ ଶୂନ୍ୟ ଓଡ଼ିଶାରେ ନବୀନ ଏକଛତ୍ରବାଦୀ ଶାସକ ପାଲଟିଯିବେ । ଅପରପକ୍ଷେ ରାଜ୍ୟ ବିଜେପି ଫାଇଦା ପାଉ କି ନପାଉ, କେନ୍ଦ୍ର ବିଜେପି ୩୫୦ ସାଂସଦ ଜୁଟାଇବା ଲକ୍ଷ୍ୟରେ ରହିଛି । ବିଜେପିର ଏହି ଉଦ୍ୟମ ନେହୁରୁଙ୍କ ରେକର୍ଡକୁ ଟପିବା ନିଶାକୁ ବୁଝାଉଛି । ସ୍ୱାଧୀନ ଭାରତର ପ୍ରଥମ ନିର୍ବାଚନରେ ନେହୁରୁଙ୍କୁ ସର୍ବାଧିକ ଆସନ ମିଳିଥିଲା । ଏବେ ପ୍ରଧାନମନ୍ତ୍ରୀ ମୋଦୀ ନେହୁରୁଙ୍କ ରେକର୍ଡ ଭାଙ୍ଗି ଭାରତର ଅଦ୍ୱିତୀୟ ପ୍ରଧାନମନ୍ତ୍ରୀ ହେବାର ଆଶା ରଖିଛନ୍ତି ।