ଆଚରଣ ବିଧି ଉଲଘଂନକାରୀ ସରକାରୀ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବି: ବିଜେପି

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଲା ବିଜେପି

ଭୁବନେଶ୍ୱର : ଗଣତନ୍ତ୍ର ରାଷ୍ଟ୍ରରେ ନିର୍ବାଚନ ପ୍ରକ୍ରିୟାକୁ ନିରପେକ୍ଷ ଭାବେ ପରିଚାଳନା କରିବା ଉଚିତ୍‌ । କିନ୍ତୁ ଧାମନଗର ଉପନିର୍ବାଚନରେ ସରକାରୀ କଳ ଓ ପ୍ରଶାସନକୁ ପ୍ରଚାର କାର୍ଯ୍ୟରେ ଶାସକ ବିଜେଡି ବ୍ୟବହାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଦଣ୍ଡନୀୟ ଅପରାଧ । ଧାମନଗର ଉପନିର୍ବାଚନ ଆରମ୍ଭ ଦିନରୁ ବିଜୁ ଜନତା ଦଳ ଖୋଲାଖୋଲି ଭାବେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଥିବାରୁ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତାମାନେ ନିୟମିତ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଇଆସୁଛନ୍ତି ।

ଧାମନଗର ଉପନିର୍ବାଚନ ପାଇଁ ଏସ୍‌ଏଚଜି ମହିଳା ଟଙ୍କା ବାଂଟିବା ଏବଂ ରାଧାବଲ୍ଲଭପୁରଠାରେ ଏକ କର୍ମୀ ସମ୍ମିଳନୀରେ ଗ୍ରାମଉନ୍ନୟନ ମନ୍ତ୍ରୀ ତଥା ବିଜେଡି ସାଂସଦଙ୍କ ଉପସ୍ଥିତିରେ ଯେଉଁ ପଂଚାୟତ ବିଜେଡିକୁ ଜିତାଇବ ସେହି ପଂଚାୟତକୁ କୋଟିଏ ଟଙ୍କା ପୁରସ୍କାର ଦେବା ପାଇଁ ଘୋଷଣା କରିଥିଲେ । ଏହି ୨ ଘଟଣାକୁ ନେଇ ତଥ୍ୟ, ପ୍ରମାଣ ସହ ପୂର୍ବରୁ ବିଜେପି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଥିଲା । ଏହି ଦୁଇଟି କେସକୁ ଅନୁଧ୍ୟାନ କରିବା ସହ ୨ଟି ମାମଲା ଉପରେ କେସ୍‌ ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି ବୋଲି ସିଇଓ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ବିଜୁ ଜନତା ଦଳ ଭାରତୀୟ ଜନତା ପାର୍ଟିକୁ ଟକ୍କର ଦେବା ଲାଗି ମିଛ ଅଭିଯୋଗ ନେଇ ସିଇଓଙ୍କୁ ଭେଟୁଛନ୍ତି ବୋଲି ଆଜି ସ୍ପଷ୍ଟ ହୋଇଯାଇଛି ବୋଲି ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି । ଯେଉଁମାନେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲଘଂନ କରି ଟଙ୍କା ବାଂଟୁଛନ୍ତି ବା ସାଧାରଣରେ ଲାଂଚ ଘୋଷଣା କରୁଛନ୍ତି ତାଙ୍କ ବିରୋଧରେ କେବଳ ଏଫଆଇଆର ଦେଲେ ହେବ ନାହିଁ ବରଂ ତାଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ବିଜେପି ଦାବି କରିଛି ।

ଚଳିତ ଧାମନଗର ଉପନିର୍ବାଚନରେ ଶାସକ ବିଜେଡି ତରଫରୁ ସାଧାରଣ ଭୋଟରଙ୍କୁ ଜୋର ଜବରଦସ୍ତ ପ୍ରଭାବିତ କରି ଭୋଟ ହାତେଇବାର ପ୍ରଚେଷ୍ଟା ଜାରି ରହିଛି । ଧାମନଗର ନିର୍ବାଚନ ମଣ୍ଡଳୀର ୨୬ଟି ଅତି ସମ୍ବେଦନଶୀଳ ଓ ୮୭ ସମ୍ବେଦନଶୀଳ ଥିବା ବୁଥ୍‌ ତାଲିକା ଆଜି ସିଇଓଙ୍କୁ ବିଜେପି ଲିଖିତ ଅବଗତ କରିଛି । ଏହି ବୁଥ୍‌ ଗୁଡିକରେ ସିସିଟିଭି କ୍ୟାମେରା ବ୍ୟବସ୍ଥା ସହ କେନ୍ଦ୍ରୀୟ ଫୋର୍ସ ମୁତୟନ କରି ଏକ ଅବାଧ ଓ ମୁକ୍ତ ନିର୍ବାଚନ କରାଇବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିବେଦନ କରିଥିବା ଡ. ଲେଖାଶ୍ରୀ କହିଛନ୍ତି । ସରକାରୀ ବେତନପ୍ରାପ୍ତ ରାଜ୍ୟ ରାଜକୋଷରୁ ଅର୍ଥ ଗ୍ରହଣ କରୁଥିବା ସ୍ଥାୟୀ ଓ ଠିକା କର୍ମଚାରୀ ଯେଉଁମାନେ କି ସେହି ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ନିର୍ବାଚନ ପରିଚାଳନା କାର୍ଯ୍ୟରୁ ଦୂରେଇ ରଖିବାକୁ ସିଇଓଙ୍କୁ ବିଜେପି ଦାବି କରିଛି । ସେହିପରି ଯେଉଁ ସରକାରୀ କର୍ମଚାରୀମାନେ ଦଳୀୟ କାର୍ଯ୍ୟକ୍ରମରେ ସମ୍ପୃକ୍ତ ହେଉଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡ. ଲେଖାଶ୍ରୀ ଦାବି କରିଛନ୍ତି ।

ଏହି ପ୍ରତିନିଧି ମଣ୍ଡଳୀରେ ରାଜ୍ୟ ଉପସଭାନେତ୍ରୀ ଅନିତା ଶୁଭଦର୍ଶୀନି ପଟ୍ଟନାୟକ, ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ,
ଲିଗାଲ ସେଲ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।