ଧାମନଗର ଉପନିର୍ବାଚନ: ମୋଦୀଙ୍କ ଧର୍ମବଳ ବିଜେପିକୁ ଜିତାଇବ

ଏବେ ଧର୍ମେନ୍ଦ୍ରଙ୍କ ମାନସମ୍ମାନ ରକ୍ଷା କରିବା ପାଇଁ ମୋଦୀ ଧାମନଗରରେ ପାଦ ପକାଇବା ଉଚିତ…..

ଧାମନଗର: ଧର୍ମେନ୍ଦ୍ରଙ୍କ ପ୍ରଚାର ବଳରେ ନୁହେଁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଧର୍ମବଳରେ ବିଜେପି ପ୍ରାର୍ଥୀ ଧାମନଗର ଉପନିର୍ବାଚନ ଜିତିପାରନ୍ତି ବୋଲି ଏନ୍‌ୟୁବିସି ନେତା ସୀତାରାମ କହିଛନ୍ତି । ୨୦୧୯ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦୀ ଏତେ ପାପ କରିଥିଲେ ଯେ ତାଙ୍କୁ ସେହି ବର୍ଷ ମେ’ ମାସରେ ଉତରାଖଣ୍ଡସ୍ଥିତ କେଦାରନାଥ ପୀଠ ନିକଟରେ ଅବସ୍ଥିତ ରୁଦ୍ର ଗୁମ୍ଫାରେ ଗୋଟିଏ ଦିନ ଧ୍ୟାନ କରିବାକୁ ପଡ଼ିଥିଲା ।

କଥାରେ ଅଛି, ‘ଆଲ୍ଲା ମେହେରବାନ୍‌ ତୋ ଗଧା ପେହେଲମାନ୍‌’ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ମହାଦେବଙ୍କ କୃପା ରହିଛି । ସେ ଆରଡ଼ିସ୍ଥିତ ଆଖଣ୍ଡଳମଣି ବାବାଙ୍କ ପୀଠରେ ସାଷ୍ଟାଙ୍ଗ ପ୍ରଣିପାତ କରି ନିର୍ବାଚନ ପ୍ରଚାର କରିଥିଲେ ବିଜେପି ପ୍ରାର୍ଥୀ ଜିତିବା ସୁନିଶ୍ଚିତ ଥିଲା । ଭାରତର ପର୍ଯ୍ୟଟନ ଶିଳ୍ପକୁ ଶୀର୍ଷରେ ପହଂଚାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ବ୍ରାଣ୍ଡ୍‌ ଆମ୍ବାସାଡ଼ର ହୋଇଛନ୍ତି । ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣଠାରୁ ଆରମ୍ଭ କରି ଦୀପାବଳି ଅବସରରେ ୬୦ ହଜାର ଦୀପ ଜାଳିବା କାମରେ ମୋଦୀ ଆଗୁଆ ।

ସେ ରୁଦ୍ର ଗୁମ୍ଫାରେ ଧ୍ୟାନ କରିବା ଦିନଠାରୁ ତାହା ଏବେ ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣ ପାଲଟିଛି । ସମସ୍ତଙ୍କ ମୁହଁରେ ଗୋଟିଏ ଆଲୋଚନା, ରୁଦ୍ର ଗୁମ୍ପାରୁ ମହାଦେବଙ୍କ ଆଶୀର୍ବାଦ ପାଇବା ପରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଚଉକି ସମ୍ଭାଳି ପାରିଛନ୍ତି । ରାତିଅଧିଆ ବିମୁଦ୍ରାକରଣ ଘୋଷଣା କରି ଲୋକଙ୍କୁ ଯାବତୀୟ କଷ୍ଟ ଦେଇ ମୋଦୀ ଯୋଉ ପାପ ଅର୍ଜନ କରିଥିଲେ; ସେଥିରୁ ମୁକୁଳିବା ପାଇଁ ରୁଦ୍ରଙ୍କ ଶରଣରେ ଗୋଟିଏ ଦିନ ରହିଥିଲେ ମୋଦୀ । ଏବେ ଧର୍ମେନ୍ଦ୍ରଙ୍କ ମାନସମ୍ମାନ ରକ୍ଷା କରିବା ପାଇଁ ମୋଦୀ ଧାମନଗରରେ ପାଦ ପକାଇବା ଉଚିତ ।