ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଉ ଦଳକୁ ପରିଚାଳନା କରୁଛନ୍ତି; ସେ ଦଳ ସହିତ ଆମର କୌଣସି ସଂପର୍କ ନାହିଁ । ଆମେ ଦଳକୁ ବିଜେଡି କହି ଅପମାନିତ କରନ୍ତୁନି ବୋଲି ବିଜୁ ଜଳକା ଦଳ ଆବାହକ ସୀତାରାମ ବେହେରା କିଛି ଗଣମାଧ୍ୟମକୁ ସ୍ପଷ୍ଟ କରି ଦେଇଛନ୍ତି ।
ସୀତାରାମ କହିଛନ୍ତି, ବିଜେଡି ହେଉଛି ବିଜୁ ଜନତା ଦଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତା’ର ସଭାପତି ଦାୟିତ୍ୱ ତୁଲାଉଛନ୍ତି । ରାଜ୍ୟର ତଥାକଥିତ ବିକାଶ କାମଗୁଡ଼ିକର ଶ୍ରେୟ ବିଜେଡି ମୁଣ୍ଡାଉଛି । ରାଜ୍ୟର ବିକାଶ ସହିତ ବିଜେଡି ନାମ ଯୋଡ଼ି ହୋଇଯାଇଛି ।
ତଥାପି ରାଜ୍ୟର ତିନିକୋଟି ଜନତାଙ୍କ ଭବିଷ୍ୟତରେ କୌଣସି ପରିବର୍ତନ ଘଟୁନାହିଁ । ରାଜ୍ୟର ବିକାଶ ସହିତ ତିନିକୋଟି ଲୋକଙ୍କର କୌଣସି ସଂପର୍କ ନାହିଁ । ଦୀପତଳ ଅନ୍ଧାର ଭଳି ମୁଖ୍ୟମନ୍ତ୍ରୀଙ୍କର ବିକାଶ ରଥ ଯୋଉଠି ଗଡୁଛି, ତା’ରି ଛାଇରେ ଲୁଚି ରହିଯାଉଛି ବିନାଶ ।
ବିଜେଡିର ବିକାଶ ସହିତ ସାମାନ୍ୟ ସଂପର୍କ ରହି ନଥିବା ଲୋକଙ୍କୁ ନେଇ ଗଢ଼ାଯାଇଛି ବିଜୁ ଜଳକା ଦଳ । ବିଜୁ ଜଳକା ଦଳର ସବୁ ସଭ୍ୟମାନେ ରାଜ୍ୟ ସରକାରଙ୍କ ଜନକଲ୍ୟାଣମୂଳକ ଯୋଜନାକୁ କେବଳ ଜଳଜଳ କରି ଦେଖିପାରନ୍ତି । କ୍ଷମତାସୀନ ଦଳ ବିରୋଧରେ ପାଟି ଫିଟାଇବାର ସାହସ ସେମାନଙ୍କ ନିକଟରେ ନାହିଁ । କ୍ଷମତାସୀନ ଦଳ ବିପକ୍ଷରେ ନିର୍ବାଚନ ମଇଦାନକୁ ଓହ୍ଲାଇବାର ସାହସ ସେମାନଙ୍କ ନିକଟରେ ନାହିଁ ।
ବିଜୁ ଜଳକା ଦଳକୁ ବିଜଦ କହିବା ଉଚିତ ହେବ । ତାକୁ ବିଜେଡି କହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଗୌରବମୟ ଅଧ୍ୟାୟକୁ କଳଙ୍କିତ କରନ୍ତୁନି ।