ବସ୍ ମାଲିକଙ୍କୁ ଆହ୍ୱାନ: ଧର୍ମଘଟ ନୁହେଁ ନିର୍ବାଚନରେ ଲଢ଼ି ତାକତ୍ ଦେଖାଅ

ନଭେମ୍ବର ୨୨ ତାରିଖରୁ ଭୁବନେଶ୍ୱର ମାଷ୍ଟର କ୍ୟାଂଟିନ ପାଖରେ ଧାରଣା ଓ ଡିସେମ୍ବର ପହିଲାରୁ ରାଜ୍ୟବ୍ୟାପୀ ବସ୍‌ ଧର୍ମଘଟ । ରାଜ୍ୟ ବିଧାନସଭାର ଅଧିକାଂଶ ବିଧାୟକ ଅବା ସେମାନଙ୍କର ସଂପର୍କୀୟ ବସ୍‌ ବ୍ୟବସାୟ ସହିତ ଜଡ଼ିତ । ବସ୍‌ ମାଲିକଙ୍କର ବାସ୍ତବ ସମସ୍ୟା ସଂପର୍କରେ ସେମାନେ ଅବଗତ ।

ଦଶହରା ପୂର୍ବରୁ ରାଜ୍ୟସ୍ତରରେ ବସ୍‌ ଧର୍ମଘଟ କରିବାକୁ ଡାକରା ଦେଇ ବସ୍‌ ମାଲିକମାନେ ପରେ ନିଷ୍ପତି ବଦଳାଇବାକୁ ବାଧ୍ୟ ହେଲେ ।

ନଭେମ୍ବର ୨୨ ତାରିଖରେ ମାଷ୍ଟର କ୍ୟାଂଟିନ ପାଖରେ ମେଳି କଲେ ରାଜ୍ୟ ସରକାର ଆଣ୍ଠେଇ ପଡ଼ିବେ ବୋଲି ବସ୍‌ ମାଲିକ ମହାସଂଘ ଭାବୁଛି । ଡିସେମ୍ବର ପହିଲାରୁ ବସ୍‌ ଧର୍ମଘଟ କଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସଚିବାଳୟ ଯିବା ରାସ୍ତା ଜାମ୍‌ ହୋଇଯିବ?

ରାଜ୍ୟ ସରକାରଙ୍କ ନିଷ୍ପତିରେ ବସ ମାଲିକଙ୍କ ସ୍ୱାର୍ଥ ହାନି ଘଟୁଥିଲେ, ସିଧାସଳଖ ନିର୍ବାଚନକୁ ଓହ୍ଲାଇ ଶାସକ ଦଳର ପ୍ରାର୍ଥୀଙ୍କୁ ହରାଇ ଦିଅନ୍ତୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଫୁଟାଣି ଆପେ ଆପେ ମରିଯିବ ।

ରାଜ୍ୟବାସୀଙ୍କ ଯାତୟାତରେ ବାଧା ସୃଷ୍ଟି କରି କ୍ଷମତାସୀନ ଦଳକୁ ସାବାଡ୍‌ କରି ପାରିବେନି ବସ୍‌ ମାଲିକମାନେ । ତେଣୁ ରାଜ୍ୟବାସୀଙ୍କ ଭୋଟ ହାସଲ କରିବା ପାଇଁ ବସ୍‌ ଚଳାଚଳ କରିବା ସହିତ ନିର୍ବାଚନ ମଇଦାନକୁ ଓହ୍ଲାଇବା ଉଚିତ ହେବ ବୋଲି ବିଜୁ ଜଳକା ଦଳ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ରାଜ୍ୟ ସରକାରଙ୍କ ଝିଂଟିକା ମାରି ବଣି ପୋଷିବା ନୀତି କାରଣରୁ ବସ୍‌ ମାଲିକଙ୍କ ଚିନ୍ତା ବଢ଼ିଯାଇଛି । ନବୀନ ସରକାରଙ୍କ ଲକ୍ଷ୍ମୀ ବସ୍‌ ଚଳାଚଳ ଘରୋଇ ବସ୍‌ ମାଲିକଙ୍କୁ ବାଧିଛି । ଘରୋଇ ବସ୍‌ ମାଲିକଙ୍କ ଦାବି ହେଉଛି, ସରକାର ପଂଚାୟତକୁ ବ୍ଲକ ବା ସଦର ମହକୁମାକୁ ଲକ୍ଷ୍ମୀ ବସ୍‌ ଯୋଡ଼ନ୍ତୁ । ସଦର ମହକୁମାରୁ ଜିଲ୍ଲା ମୁଖ୍ୟାଳୟକୁ ଲକ୍ଷ୍ମୀ ବସ୍‌ ଚଳାଚଳ କରନ୍ତୁନି ।

ବସ୍‌ ମାଲିକଙ୍କ ମୁହଁ ଫୁଟାଣିକୁ ମାରିବା ପାଇଁ କ୍ଷମତାସୀନ ଦଳ ଉଚିତ ପଦକ୍ଷେପ ନେଇଛି ବୋଲି ବିଜଦ କହିଛି ।