ରାଜ୍ୟ କଂଗ୍ରେସରେ ତେଜୁଛି ଅସନ୍ତୋଷ

ନିର୍ବାଚନ ବେଳେ ଏକ ହୋଇ ଲଢ଼ୁଥିବା କଂଗ୍ରେସ ଦଳ ଏବେ ସମ୍ପୂର୍ଣ୍ଣ ଦୁଇ ଫାଳ । କିଛି ନେତା ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ସମର୍ଥକ କରୁଥିବା ବେଳେ ହାତ ଗଣତି କିଛି ନେତା ବିରୋଧ କରିବା ଆରମ୍ଭ କରିଛନ୍ତି । କେଉଁଠି ପୋଡାଜଳା ତ ଆଉ କେଉଁଠି କାଳିମାଡ । ନିର୍ବାଚନ ଫଳାଫଳକୁ ନେଇ ଅସନ୍ତୁଷ୍ଟ କର୍ମୀ କାଳିମାଡ କରିଥିବା ଚର୍ଚ୍ଚା ମଧ୍ୟ ହେଉଥିଲା । ପିସିସି ପୂର୍ବତନ ସମ୍ପାଦକ ଶିଳ୍ପୀଶ୍ରୀ ହରିଚନ୍ଦନ ଢେଙ୍କାନାଳରେ ଶରତ ପଟ୍ଟନାୟକ ହଟାଅ, କଂଗ୍ରେସ ବଞ୍ଚାଅ ବ୍ୟାନର ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କୁଶ ପୁତ୍ତଳିକା ଦାହ କରିବା ସହିତ ସମର୍ଥକଙ୍କ ସ‌ହିତ ନାରାବାଳି ବି କରିଥିଲେ । ପରବର୍ତ୍ତୀ ସମୟରେ ଶିଳ୍ପୀକ୍ଷାଙ୍କୁ ପିସିସି ଶୃଙ୍ଖଳା କମିଟି ଦଳରୁ ୬ ବର୍ଷ ପାଇଁ ବହିଷ୍କାର କରିଛି ।

 

ସେପଟେ କାଳିମାଡ ଘଟଣା ମଧ୍ୟ ଚର୍ଚ୍ଚାରେ ରହିଛି । ଯଦିଓ ପିସିସି ସଭାପତି ଏଥିପାଇଁ ବିଜେପିକୁ ଦାୟୀ କରିଛନ୍ତି, ହେଲେ ଏହି ଅସନ୍ତୋଷ ଆଗାମୀ ଦିନରେ ଆହୁରୀ ବ୍ୟାପକ ହେବ ବୋଲି ଅସନ୍ତୁଷ୍ଟ କର୍ମୀମାନେ ଚେତାବନୀ ଦେଇଛନ୍ତି । ଉତ୍ତର ଓଡ଼ିଶା ଏବଂ ଉପକୂଳର କିଛି ନେତା ଦିଲ୍ଲୀରେ ଡେରା ପକାଇଥିବା ଚର୍ଚ୍ଚା ହେଉଛି । ପିସିସି ସଭାପତି ଓ ଓଡ଼ିଶା କଂଗ୍ରେସ ପ୍ରଭାରୀଙ୍କୁ ବଦଳାଇବାକୁ ଦାବି କରୁଛନ୍ତି ।

ଅନ୍ୟପଟେ ପିସିସି ସଭାପତି ଶରତ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ସାଂସଦ ଅନନ୍ତ ସେଠୀଙ୍କ ସହ ବାଲେଶ୍ଵର ଯାଇ ଶାନ୍ତି ପ୍ରତିଷ୍ଠା ପାଇଁ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି । ତେବେ ନିର୍ବାଚନ ପରେ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ବଢିଯାଇଛି । ନିର୍ବାଚନ ଖରାପ ପ୍ରଦର୍ଶନ ଦ୍ୱାରା ପିସିସି ସଭାପତିଙ୍କୁ ହେଉଲଛି ତୀବ୍ର ବିରୋଧ ।