ଇସଲାମାବାଦ: ବିଦେଶରୁ ପାଣ୍ଠି ସଂଗ୍ରହ ଅଭିଯୋଗରେ ଦୋଷୀ ପ୍ରମାଣିତ ହେବା ପରେ ନିର୍ବାଚନ କମିଶନ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଓ ତାଙ୍କ ରାଜନୈତିକ ଦଳ ତେହେରିକ୍-ଏ-ଇନ୍ସାଫ୍ (ପିଟିଆଇ)କୁ ଅଯୋଗ୍ୟ ଘୋଷଣା କରିପାରନ୍ତି । ଫଳରେ ପାକିସ୍ତାନ ରାଜନୀତିରୁ ଇମ୍ରାନ ସନ୍ନ୍ୟାସ ନେବା ସୁନିଶ୍ଚିତ । ତା’ ସହିତ ତାଙ୍କ ଦଳ ମଧ୍ୟ ନିର୍ବାଚନ ପ୍ରକ୍ରିୟାରୁ ବାଦ ପଡ଼ିବ ।
ଆଠବର୍ଷ ତଳେ ବିଦେଶୀ ପାଣ୍ଠି ସଂଗ୍ରହ ଅଭିଯୋଗରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଓ ତାଙ୍କ ରାଜନୈତିକ ଦଳ ତେହରିକ୍-ଏ-ଇନସାଫ୍ (ପିଟିଆଇ)କୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ପାକ୍ ନିର୍ବାଚନ କମିଶନ୍ ଇମ୍ରାନଙ୍କ ନିକଟକୁ ନୋଟିସ୍ ପଠାଇ ତାଙ୍ଗକର ସବୁ ବ୍ୟାଙ୍କ ଜମାଖାତାକୁ କାହିଁକି ବାଜ୍ୟାପ୍ତି କରା ନଯିବ, ସେ ସମ୍ପର୍କୀତ କୈଫିୟତ ତଲବ କରିଛନ୍ତି । ଇମ୍ରାନଙ୍କ ଦଳ ୩୪ ଜଣ ବିଦେଶୀ ନାଗରିକ ଓ ୩୫୧ କମ୍ପାନୀଠାରୁ ଚାନ୍ଦା ସଂଗ୍ରହ କରିଥିଲେ ମଧ୍ୟ କେବଳ ୮ଟି ବ୍ୟାଙ୍କ ଜମାଖାତା ବିଷୟରେ ତଥ୍ୟ ପ୍ରଦାନ କରିଥିଲେ । ମାତ୍ର ୧୩ଟି ବ୍ୟାଙ୍କ ଜମାଖାତା ବିଷୟରେ କମିଶନଙ୍କୁ ଜଣାଇ ନଥିଲେ । ଲୁଚାଇ ଦିଆଯାଇଥିବା ୧୩ଟି ବ୍ୟାଙ୍କ ଆକାଉଂଟରେ ଇମ୍ରାନ୍ କଳାଧନ ରଖିଥିବା କମିଶନ ସନ୍ଦେହ କରିଛି । ଏହାବାଦ ଇମ୍ରାନ୍ ଆହୁରି ତିନୋଟି ଜମାଖାତା ବିଷୟ ଗୁପ୍ତ ରଖିଛନ୍ତି, ଯାହା ତଦନ୍ତ ସାପେକ୍ଷ । ନିର୍ବାଚନ କମିଶନଙ୍କ ନିକଟରେ ଇମ୍ରାନ୍ ମିଛ ଶପଥପାଠ ଦାଖଲ କରିଥିବା କୁହାଯାଉଛି । ନିର୍ବାଚନ କମିଶନ୍ ସୂଚନା ଅନୁସାରେ ଇମ୍ରାନ୍ ଓ ତାଙ୍କ ଦଳ ପିଟିଆଇ ଆମେରିକାରେ ବସବାସ କରୁଥିବା ମୂଳ ଭାରତୀୟ ମହିଳା ବ୍ୟବସାୟୀ ରୋମିତା ସେଟ୍ଟିଙ୍କଠାରୁ ପ୍ରାୟ ୧୪ ହଜାର ଡଲାର ଚାନ୍ଦା ନେଇଥିଲେ ।
ଭାରତ ସମେତ ବହୁ ଦେଶରୁ କୋଟିକୋଟି ଟଙ୍କାର ଚାନ୍ଦା ସଂଗ୍ରହ କରିଥିଲେ ମଧ୍ୟ ଇମ୍ରାନ୍ ଓ ତାଙ୍କ ଦଳ ପାକ୍ ନିର୍ବାଚନ କମିଶନଙ୍କୁ ସେ ବିଷୟ ଜଣାଇ ନଥିଲା । ତା’ ସହିତ ପାକ୍ ସରକାର ଓ ଅର୍ଥ ମନ୍ତ୍ରଣାଳୟକୁ ମଧ୍ୟ ଅନ୍ଧାରରେ ରଖିଥିଲେ । କୌତୁହଳର ବିଷୟ ହେଉଛି, ଚାରିମାସ ତଳେ ଇମ୍ରାନ୍ ମୁଖ୍ୟ ନିର୍ବାଚନ କମିଶନର ସିକନ୍ଦର ସୁଲତାନ୍ ରାଜାଙ୍କ ଗୁଣଗାନ କରିବାକୁ ପଛାଉ ନଥିଲେ । ମାତ୍ର ନିଜେ କ୍ଷମତାରୁ ହଟିଯିବା ପରେ ରାଜାଙ୍କ ବରଖାସ୍ତ ଦାବି କରୁଥିଲେ ।