ଉପକୂଳ ଓଡ଼ିଶାକୁ ସମୁଦ୍ର କବଳରୁ ରକ୍ଷା କର ହେ ମୋହନ

ଉପକୂଳ ଓଡ଼ିଶାକୁ ସମୁଦ୍ର କବଳରୁ ରକ୍ଷା କରିବା ପାଇଁ ମେଳି ଆରମ୍ଭ ହୋଇଛି । ମେଳି ବିନା ସରକାରଙ୍କ ଆଖି ଖୋଲିବନି ।

କେନ୍ଦ୍ରାପଡ଼ା, ଜଗତସିଂପୁର, ପୁରୀ, ଗଂଜାମ ଭଳି ଓଡ଼ିଶାର ଉପକୂଳ ଇଲାକା ପ୍ରତି ମହାବିପଦ ସୃଷ୍ଟି ହୋଇଛି । ସାମୁଦ୍ରିକ ଢେଉ କୂଳ ଲଂଘନ କରି ଜନବସତି ଆଡକୁ ମାଡ଼ି ଆସୁଚି ।

ସାମୁଦ୍ରିକ ଜୁଆର ମାଡ଼ରେ ଉପକୂଳ ଧୋଇ ଯାଉଛି । ସମୁଦ୍ର କୂଳରେ ଥିବା ଜମିଜମା, ଗାଁ ଗଣ୍ଡା, ହାଟ ବଜାର ସବୁକିଛି ସମୁଦ୍ର ଗର୍ଭକୁ ଚାଲିଯାଉଛି ।

୧୯୯୯ ମସିହା ମହାବାତ୍ୟା ପରଠାରୁ ବଙ୍ଗୋପ ସାଗର କ୍ରମେ ଅଶାନ୍ତ ଲଗାମଛଡ଼ା ଓ ଉଗ୍ର ହୋଇଉଠିଛି ।

ରାଜ୍ୟ ସରକାର ଓ କେନ୍ଦ୍ର ସରକାର ସବୁ ଜାଣିଛନ୍ତି, ନିରବ ରହିଛନ୍ତି । ଉପକୂଳ କ୍ଷୟ ସମସ୍ୟାର ସ୍ଥାୟୀ ପ୍ରତିକାର କରାଯାଉନି । ଫଳରେ ଲୋକଙ୍କ ମନରେ ଅସନ୍ତୋଷର ଦାନା ବାନ୍ଧୁଛି ।

ଏକର ଏକର ବ୍ୟାପୀ ଚାଷଜମି ସମୁଦ୍ର ଗର୍ଭକୁ ଚାଲିଯାଉଛି ।

କୂଳ ଲଂଘନ କରି ସାମୁଦ୍ରିକ ଢେଉ ସ୍ଥଳଭାଗ ଆଡକୁ ପ୍ରାୟ ଅଧ କିଲୋମିଟର ବା ଏକ କିଲୋମିଟର ପର୍ଯ୍ୟନ୍ତ ମାଡ଼ି ଆସୁଚି ।

ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ମିତ ୱାଚ୍ ଟାୱାର ମଧ୍ୟ ସମୁଦ୍ର ଗର୍ଭରେ ଲୀନ ହୋଇଯାଉଛି ।

ଜଗତସିଂପୁର ଜିଲ୍ଲାର ରାମତରା ନିକଟରେ ସାମୁଦ୍ରିକ ଢେଉ ଦିନକୁ ଦିନ ଅଶାନ୍ତ ହେଉଛି । ରାମତରା, ପଦ୍ମପୁର, ଗଡ଼ ହରିଶପୁର, ସର୍ବାନ୍ତ, କଳାବେଦୀ ଗ୍ରାମଗୁଡ଼ିକ ସମୁଦ୍ରରେ ଲୀନ ହୋଇଗଲାଣି ।

ଉପକୂଳ ଗ୍ରାମଗୁଡ଼ିକ କ୍ରମେ ଫାଙ୍କା ହୋଇଯାଉଛି । ଜୀବନ ବିକଳରେ ପିଲା ପରିବାରକୁ ଧରି କିଛି ଗ୍ରାମବାସୀ ଅନ୍ୟତ୍ର ଚାଲି ଯାଉଛନ୍ତି ।

ରାଜ୍ୟ ପ୍ରଶାସନ ଏତିକି ବେଳୁ ସ୍ଥାୟୀ ପ୍ରତିକାର ନକଲେ, ଆଗାମୀ ଦିନରେ ଉପକୂଳକୁ ମଣ୍ଡନ କରିଥିବା ଗାଁ ଗଣ୍ଡା ଇତିହାସ ବହିକୁ ମଣ୍ଡନ କରିବ ।