ହୁଗୁଳା ଶାସନ ସବୁଠି । ଠିକ ସମୟରେ ଚାଷୀମାନେ ସରକାରଙ୍କ ନିର୍ଦ୍ଧାରିତ ସମବାୟ ସମିତିରୁ ସାର ପାଉନାହାନ୍ତି । ଠିକ ସମୟରେ ଚାଷ କାମ ସରୁନି । ଠିକ ସମୟରେ ଫସଲ ଅମଳ ନହେଲେ, ଧାନ କିଣାବିକା ବାଧା ପ୍ରାପ୍ତ ହେବ ।
ଚାଷୀଙ୍କ ଆକାଉଂଟକୁ ଟଙ୍କା ଯାଇପାରିବନି । ତା’ ଭିତରେ ପୁଣି ମୋହନ ସରକାରଙ୍କ ଇନ୍ ପୁଟ୍ ବିଳମ୍ବ ହେବ । ଏମିତି ନାନା ଚିନ୍ତା ଭିତରେ ପେଶି ହୋଇ ଚାଷୀମାନେ ରାସ୍ତା ଅବରୋଧ କରୁଛନ୍ତି ।
ମୋହନ ସରକାରଙ୍କ ବିରୋଧରେ ରାଜ୍ୟର ଚାଷୀମାନେ ରାସ୍ତାକୁ ଓହ୍ଲାଇ ସାର ପାଉ ନଥିବା ଅଭିଯୋଗ କରୁଛନ୍ତି । ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଅଂଚଳର ଚାଷୀମାନେ ସାର ନପାଇ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ଚାଷୀଙ୍କ ସାର ସମସ୍ୟା ସଂପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁନାହାନ୍ତି କି ବିହିତ ପ୍ରତିକାର କରୁନାହାନ୍ତି ।
ବିଧାୟକ ହେବାକୁ କନକନ । କିନ୍ତୁ ଲୋକଙ୍କ ସମସ୍ୟା ପ୍ରତି ଉଦାସୀନ । ସୋମବାର ଦିନ ଦିଗପହଣ୍ଡି ଅଂଚଳର ଚାଷୀମାନେ ରାସ୍ତା ଅବରୋଧ କରି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ।
ସିଦ୍ଧେଶ୍ୱର ସମବାୟ ସମିତିରେ ସାର ଅଭାବକୁ ବିରୋଧ କରି ଚାଷୀମାନେ ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ଗଣିଆନାଳ ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ଚାଷୀମାନେ ଏତେ ମାତ୍ରାରେ ରାଗି ଯାଇଥିଲେ ଯେ ରୋଗୀଙ୍କୁ ଧରି ଡାକ୍ତରଖାନାକୁ ଯାଉଥିବା ଆଂବୁଲାନସକୁ ବାଟ ଛାଡ଼ି ନଥିଲେ ।
ଦିନ ଦିନ ଧରି ଅପେକ୍ଷା କରିବା ପରେ ମଧ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ଚାହିଦା ମୁତାବକ ସାର ଦିଆଯାଉନି । ଚାଷୀଙ୍କୁ ହଜାର ହଜାର ବସ୍ତାୟ ସାର ଦରକାର ପଡୁଥିଲା ବେଳେ ସରକାର ମାତ୍ର ୪୫୦ ବସ୍ତା ସାର ସମିତିକୁ ପଠାଇ ଦେଇ ଖୁସ ।