River Gangua to get lost identity: ଠିକଣା ହଜାଇ ଠିକଣା ଖୋଜୁଛି ଗଙ୍ଗୁଆ
River Gangua to get lost identity: ଠିକଣା ହଜାଇ ଠିକଣା ଖୋଜୁଛି ଗଙ୍ଗୁଆ ନଦୀ ।
ଐତିହାସିକ ଚୁଡ଼ଙ୍ଗ ଗଡ଼ ଇଲାକାରୁ ବୋହି ଆସିଥିବା ଗଙ୍ଗୁଆ ନଦୀ ଏବେ ପ୍ରଦୂଷିତ ନାଳ ପରିଚୟ ବହନ କରିଛି ।
ଗଙ୍ଗୁଆ ଆଉ ନଦୀ ହୋଇ ରହିନାହିଁ, ତା’ର ଉଭୟ ପାଶ୍ୱର୍କୁ ମାଡ଼ି ବସିଛନ୍ତି କିଛି ଜମି ମାଲିକ ।
ଫଳରେ ନଦୀଟି ସଂକୁଚିତ ହୋଇ ପ୍ରାକୃତିକ ନାଳ ଭଳି ଦିଶୁଛି । ଏବେ ଭୁବନେଶ୍ୱର ସହରାଂଚଳର ଅଳିଆ ଆବର୍ଜନା ଓ ଶିଳ୍ପାଂଚଳସ୍ଥିତ କଳକାରଖାନାର ବିଷାକ୍ତ ରସାୟନଯୁକ୍ତ ପାଣିକୁ କୋଳରେ ଧରି ବହିଯାଉଛି ଗଙ୍ଗୁଆ ।
୫୦ ବର୍ଷ ପୂର୍ବେ ଚିରସ୍ରୋତା ଗଙ୍ଗୁଆ ଭୁବନେଶ୍ୱର ସହର ଉପକଣ୍ଠରେ ଅବସ୍ଥିତ ଗ୍ରାମବାସୀଙ୍କ ଦୈନନ୍ଦିନ କାମରେ ଲାଗୁଥିଲା । ଲୋକମାନେ ଗଙ୍ଗୁଆରେ ଗାଧୁଆ ପାଧୁଆ କରୁଥିଲେ । ଗଙ୍ଗୁଆ ଜଳକୁ ଚାଷକାମରେ ବ୍ୟବହାର କରୁଥିଲେ ।
କ୍ରମେ ଗୋଲାମ ନଗରୀ ଭୁବନେଶ୍ୱର କଳେବର ବୃଦ୍ଧି ପାଇଲା ।
ରସୁଲଗଡ଼, ଚକେଇସିହାଣୀ, ସମେଇଗାଡ଼ିଆ, ମଂଚେଶ୍ୱର, ପାଣ୍ଡରା, ପଟିଆ, ଡମଣା ଭଳି ଗ୍ରାମଗୁଡ଼ିକରେ ଚାଷଜମି ପରିମାଣ ସଂକୁଚିତ ହୋଇଗଲା ।
ଚାଷଜମିର କିସମ ବଦଳିଗଲା ଘରବାଡ଼ିକୁ । ଗଙ୍ଗୁଆର ଉଭୟ କୂଳରେ ଠିଆ ହୋଇଗଲା ମାଳ ମାଳ ବହୁତଳ ପ୍ରାସାଦ ।
ନନ୍ଦନକାନନ ପ୍ରାଣୀ ଉଦ୍ୟାନ ନିକଟ ବିରାଟ ଜଳାଶୟଟି ଗଙ୍ଗୁଆ ନଦୀର ଏକ ଅଙ୍ଗ ।
ଭୁବନେଶ୍ୱର ବୁଦ୍ଧିଜୀବୀ ମହଲ ଗଙ୍ଗୁଆ ନଦୀର ପୁନରୁଦ୍ଧାର ପାଇଁ ସରକାରଙ୍କ ନିକଟରେ ବାରମ୍ବାର ଦାବି କରି ଆସୁଛନ୍ତି ।
ପ୍ରତ୍ୟେକ ନିର୍ବାଚିତ ସରକାର ଗଙ୍ଗୁଆ ପୁନରୁଦ୍ଧାର ପ୍ରତିଶ୍ରୁତି ଦେଇ ଭୋଟ ହାସଲ କରୁଛନ୍ତି ।
ବିଧାୟକ ଓ ସାଂସଦମାନଙ୍କର ଜୀବନଶୈଳୀ ବଦଳି ଯାଉଛି, ମାତ୍ର ବଦଳୁନି ଗଙ୍ଗୁଆର ବିଷାକ୍ତ ପରିଚୟ ।
ଗଙ୍ଗୁଆର ପୂର୍ବ ଗୌରବକୁ ଫେରାଇ ଆଣିବା ପାଇଁ ବ୍ୟାପକ ଜନସଚେତନତାର ଆବଶ୍ୟକତା ରହିଛି ।