ସତ କହିଲେ ମଲ: ଭୋକ ବିକୁଛି ବିଜେପି-ବିଜେଡି

ଭୋଟରଙ୍କ ଆଖିରେ ଅନ୍ଧପୁଟୁଳି ବାନ୍ଧି ଭୋଟ ନେବାକୁ ବସିଛି ବିଜେପି । ଓଡ଼ିଶାକୁ ସାବତ ମା’ ମଣି କେନ୍ଦ୍ର ବିଜେପି ଯୋଉ ଭୁଲ କରୁଛି, ତା’ର ପରିଣାମ ରାଜ୍ୟ ବିଜେପିକୁ ଭୋଗିବାକୁ ପଡୁଛି । କେନ୍ଦ୍ରରେ ଦୁଇପାଳି ଶାସନ କରିବା ଭିତରେ ମୋଦି ସରକାର ଓଡ଼ିଶାର ରେଳ ପ୍ରକଳ୍ପ ପ୍ରତି ଆନ୍ତରିକତା ଦେଖାଇନାହାନ୍ତି ।

ଆମ ଜାଣତରେ ଓଡ଼ିଶାର ସାତୋଟି ରେଳ ପ୍ରକଳ୍ପକୁ ଶୀତଳ ଭଣ୍ଡାରରେ ରଖାଯାଇଛି । ପ୍ରତି ପ୍ରକଳ୍ପକୁ ଟୋକନ ମନି ବାବଦକୁ ଏକ ହଜାର ଟଙ୍କା ପଇଠ କରି କେବଳ ବଂଚାଇ ରଖାଯାଇଛି । ଟୋକନ ମନି ଜରିଆରେ ବିକଶିତ ଭାରତର ବୃଥା ପ୍ରଚାର ଚାଲିଛି କି?

ବିଲେଇ କପାଳକୁ ଶିକା ଛିଣ୍ଡିବା ଭଳି କେନ୍ଦ୍ର ସରକାରଙ୍କ ନିରବତାକୁ ଅସ୍ତ୍ର କରି ରାଜ୍ୟର ବିଜେଡି ସରକାର ଆପଣା ମୁଣ୍ଡରୁ ଦୋଷ ଛଡ଼ାଇ ଦେଉଛନ୍ତି । କେନ୍ଦ୍ରକୁ ଚିଠି ପଠାଇ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଡ୍ୟୁଟି ସାରି ଦେଉଛନ୍ତି ।

ସାତୋଟି ପ୍ରକଳ୍ପ ଭିତରୁ ଆମେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜିଲ୍ଲା ଭାବରେ ପରିଚିତ ମୟୂରଭଞ୍ଜ ଜିଲ୍ଲାର ରୁପ୍‌ସା-ବାଙ୍ଗିରିପୋଷି ରେଳପଥ କଥା ଆଲୋଚନା କରୁଛୁ । ବୁଢ଼ାମରାଠାରୁ ଚକୁଳିଆ ପର୍ଯ୍ୟନ୍ତ ପ୍ରାୟ ୫୦ କିଲୋମିଟର ଟ୍ରେନ ଲାଇନ ନିର୍ମାଣ ପାଇଁ ୬୦୫ କୋଟି ଟଙ୍କା ଅଟକଳ କରାଯାଇଥିଲା । ୨୦୨୩-୨୦୨୪ ଆର୍ଥିକ ବର୍ଷରେ ମୋଦି ସରକାର ସେହି ପ୍ରକଳ୍ପକୁ ମାତ୍ର ଏକ ହଜାର ଟଙ୍କା ମଞ୍ଜୁର କରିଛନ୍ତି । ତା’ ପୂର୍ବ ଆର୍ଥିକ ବର୍ଷରେ ମଧ୍ୟ ମୋଦି ସରକାର ଏକ ହଜାର ଟଙ୍କାର ଅନୁଦାନ ରାଶି ଘୋଷଣା କରିଥିଲେ । ମୟୁରଭଞ୍ଜ ଜିଲ୍ଲାର ଆଉ ଦୁଇଟି ରେଳ ପ୍ରକଳ୍ପକୁ ମଧ୍ୟ ଅଣଦେଖା କରିଛନ୍ତି ମୋଦି ସରକାର । ଜନଜାତିଙ୍କ ଭୋଟକୁ ଆଶା କରୁଥିବା ମୋଦି ସରକାର ଜନଜାତିଙ୍କ ଅଂଚଳକୁ ରେଳ ଲାଇନ ସମ୍ପ୍ରସାରଣ କରିବାକୁ ରାଜି ନୁହନ୍ତି । ମନମୋହନ ସରକାରଙ୍କ ଅମଳରେ ବାଙ୍ଗିରିପୋଷି-ଗୋରୁମହିଷାଣୀ ଓ ବାଦାମପାହାଡ଼-କେନ୍ଦ୍‌ୁଝରଗଡ଼ ଦୁଇଟି ରେଳ ଲାଇନର ସର୍ଭେ କାମ ସରିଥିଲା । ସେହି ଦୁଇଟି ଲାଇନକୁ ସମ୍ପ୍ରସାରଣ କରିବା ଆଳରେ ଅଟକାଇ ଦିଆଯାଇଛି । ସାତୋଟି ରେଳ ପ୍ରକଳ୍ପ କାମକୁ ଅଟକାଇ କେନ୍ଦ୍ର ବିଜେପି ଓଡ଼ିଶାର ୨୧ଟି ଲୋକସଭା ଆସନ ପାଇବା ଆଶା ରଖିଛନ୍ତି । ପ୍ରକଳ୍ପକୁ ୧ ହଜାର ଟଙ୍କା ଦେଇ ବୃଥା ପ୍ରଚାର ବାବଦକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯିବା ମାନେ କ’ଣ? ମିଛ କହିବା ମୋଦି ସରକାରଙ୍କର ଦେହସୁହା ହୋଇଗଲାଣି