ନବୀନ ଓଡ଼ିଶା’: ଅପପୁଷ୍ଟିର ଠିକଣା ନଗଡ଼ା

ବିଜୁବାବୁଙ୍କ ପୁଅ ନବୀନ ପଟ୍ଟନାୟକ କ୍ରମାଗତ ୫ ପାଳି ମୁଖ୍ୟମନ୍ତ୍ରୀ ହେଲେଣି । ଦୀର୍ଘ ୨୪ ବର୍ଷ କାଳ ମୁଖ୍ୟମନ୍ତ୍ରୀ ଆସନରେ ବସିବା ଭିତରେ ବିଜୁବାବୁଙ୍କ ସ୍ୱପ୍ନ ତାଲିକା ହଜାଇ ଦେଇଛନ୍ତି ନବୀନବାବୁ । ଖାସ୍‌ ସେଇଥିପାଇଁ ବିଜୁବାବୁଙ୍କ ଓଡ଼ିଶାକୁ ସମାଧି ଦେଇ ‘ନବୀନ ଓଡ଼ିଶା’ର ସୂତ୍ରପାତ । ସବୁ ଉଦ୍ୟମ ସତ୍ୱେ ବାପାଙ୍କ ଫଟୋ ବିନା ଓଡ଼ିଶାବାସୀଙ୍କ ମନକୁ ଜିଣିବାକୁ ସାହସ ଜୁଟାଇ ପାରୁନାହାନ୍ତି । ଦିଅଁ ଗଢୁ ଗଢୁ ତାହା ପ୍ରତିଥର ବାନ୍ଦର ହୋଇଯାଉଛି । ପ୍ରଥମେ ଜୟ ଜଗନ୍ନାଥ, ତା’ ପରେ ‘ଘରେ ଘରେ ଶଙ୍ଖ’ । ତା’ ପରେ ‘ନବୀନ ଓଡ଼ିଶା’ । ଏବେ ନବୀନ ଓଡ଼ିଶା ପୂର୍ବରୁ ଲେଖାଯାଉଛି ‘ନୂଆ-ଓ’ । ତଥାପି ସ୍ଲୋଗାନଟା ଭିତରେ କୋଉଠି ଗୋଟିଏ କିନ୍ତୁ ରହିଯାଉଛି ।

୨୪ ବର୍ଷର ଶାସନ ଭିତରେ ନବୀନ ପଟ୍ଟନାୟକ ଯେତେଗୁଡ଼ିଏ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ତା’ ଭିତରୁ ମାଗଣା ଚାଉଳ ଓ କାଳିଆ ଟଙ୍କା ଛଡ଼ା ଆଉ କୌଣସି ଯୋଜନା ଶତକଡ଼ା ଶହେକୁ ଶହେ ସଫଳ ହୋଇନି । ନଗଡ଼ା ଗ୍ରାମର ଦାନମାଝି କଥା ମନେଅଛି ତ? ପତ୍ନୀଙ୍କ ମୃତଦେହକୁ କାନ୍ଧରେ ବୋହି ଦୀର୍ଘ ୧୨ କିଲୋମିଟର ବାଟ ଅତିକ୍ରମ କରି ସାରାବିଶ୍ୱକୁ ଚହଳ ପକାଇ ଦେଇଥିଲେ ଦାନମାଝି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟ ଶାସନର ଅସଲ ଚେହେରାକୁ ବିଶ୍ୱ ଦରବାରରେ ଖୋଲି ଦେଇଥିଲେ ଦାନମାଝି । ଆନ୍ତର୍ଜାତିକ ଗଣମାଧ୍ୟମର କୃପାଲାଭ କରି ଦାନ ମାଝି ମାସ କେଇଟାରେ ଲକ୍ଷପତି ହୋଇଗଲେ । ୟା’ ଭିତରେ ବେଶ କିଛିବର୍ଷ ବିତିଗଲାଣି ।

ନଗଡ଼ାର ବିକଳ ଚେହେରା ଦୂର କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଲା । ମାତ୍ର ସମୟ ସୁଅରେ ନଗଡ଼ାକୁ ସମସ୍ତେ ଭୁଲିଗଲେ । ରାଜ୍ୟ ସରକାର ନଗଡ଼ାର କଦର୍ଯ୍ୟ ଚେହେରାକୁ ସବୁଜ ରଙ୍ଗରେ ଘୋଡ଼ାଇ ପକାଇଲେ ।  ନଗଡ଼ାର ଜଣେ ଦାନମାଝିଙ୍କ ଭାଗ୍ୟ ବଦଳିଗଲା । ମାତ୍ର ନଗଡ଼ାର ଶତାଧିକ ଦାନମାଝି ଆଜି ମଧ୍ୟ ଦୟନୀୟ ଜୀବନ ଯାପନ କରୁଛନ୍ତି । ସେମାନଙ୍କ ପିଲାପିଲିଙ୍କୁ ମିଳୁନି ପୁଷ୍ଟିକର ଖାଦ୍ୟ ।

ସାରା ଓଡ଼ିଶାରେ ପ୍ରାୟ ୨ ହଜାରରୁ ଅଧିକ ନଗଡ଼ା ଆଉ ଜଣେ ଦକ୍ଷ ମୁଖ୍ୟମନ୍ତ୍ରୀଙ୍କୁ ଅପେକ୍ଷା କରିଛି । ଅପପୁଷ୍ଟି କବଳରେ କଲବଲ ହେଉଥିବା ଗରିବ ଓଡ଼ିଶା ଆଜି ତା’ର ଭାଗ୍ୟକୁ ନିନ୍ଦୁଛି । ବିଜୁବାବୁଙ୍କ ରକ୍ତ ନିକଟରୁ ବିକଶିତ ଓଡ଼ିଶା ଆଶା କରିବା ବୃଥା ବୋଲି ଓଡ଼ିଶାର ୩ କୋଟି ୩୦ ଲକ୍ଷ ଭୋଟର ଜାଣି ସାରିଲେଣି ।

ଖଣିଖାଦାନ ଭରା ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକର ନଗଡ଼ାକୁ ଭୁଲିପାରୁନି ଅପପୁଷ୍ଟି । ଦାନମାଝିଙ୍କ ଠିକଣାକୁ ସାଢେ଼ ସାତବର୍ଷ ହୋଇଗଲାଣି; ତାରି ଭିତରେ ପ୍ରତିବର୍ଷ କେହି ନା କେହି ଅପପୁଷ୍ଟିର ଶିକାର ହେଉଛନ୍ତି । ସୂଚନା ମୁତାବକ ତଳନଗଡ଼ାର ମଙ୍ଗୁଳୁ ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟ ଶାସନରେ ଅତିଷ୍ଠ ହୋଇ ପୁଲିସ ଓ ଡାକ୍ତର ଦଳକୁ ହଲାପଟା କରିଥିଲେ । ମଙ୍ଗୁଳୁଙ୍କ ସପ୍ତମ ଛୁଆ ଓ ଅପପୁଷ୍ଟି ଭିତରେ ନିବିଡ଼ ସଂପର୍କ ରହିଛି । ମଙ୍ଗୁଳୁଙ୍କ ସପ୍ତମ ଶିଶୁକନ୍ୟାର ଜନ୍ମ ସମୟରେ ଓଜନ ଥିଲା ୨ କିଲୋ ୪୦୦ ଗ୍ରାମ । ଏବେ ତା’ର ଓଜନ ୧ କିଲୋ ୭୦୦ ଗ୍ରାମ । ପିଲାଟି ସାଂଘାତିକ ଅପପୁଷ୍ଟିର ଶିକାର ହୋଇଛି ବୋଲି ଡାକ୍ତରମାନେ କହୁଛନ୍ତି ।

ପୁଷ୍ଟିକର ଖାଦ୍ୟ ନପାଇ ଶିଶୁକନ୍ୟାଟିର ଅବସ୍ଥା ବିଗିଡ଼ିଯାଇଛି । ପିଲାଟିକୁ ଡାକ୍ତରଖାନାକୁ ନେଇ ଚିକିତ୍ସା କରିବା ପାଇଁ ଯାଜପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଯଥାସାଧ୍ୟ ଉଦ୍ୟମ କରି ବିଫଳ ହୋଇଛନ୍ତି । କଥା ହେଉଛି, ସବୁ ସମସ୍ୟା ପ୍ରତି ଆଖିବୁଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରାମରେ ବସିଯିବାର ପ୍ରତିଫଳନକୁ ସାରା ଓଡ଼ିଶା ଦେଖିବାର ସୁଯୋଗ ପାଇଛି ।

ବିଜୁବାବୁଙ୍କ ପୁଅ ଭାବି ଭୋଟ ଦେଇଦେଲେ, ଗରିବ ଓଡ଼ିଶାର ଦୁଃଖ ଦୂର ହେବନି । ଗରିବଙ୍କ ମନକୁ ଚିହ୍ନିବା ଭଳି ଲୋକଟିଏ ଦରକାର । ବିଜେପି, କଂଗ୍ରେସ ଓ ବିଜେଡି ଦଳରେ ଗରିବଙ୍କ ମନକୁ ଚିହ୍ନିବା ଭଳି ଲୋକ କ’ଣ ନାହାନ୍ତି?