ଲିଙ୍ଗରାଜ ମନ୍ଦିର: ସେବାୟତଙ୍କ ଗାଳି ଏକ ପରମ୍ପରା!

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଦର୍ଶନାଭିଳାଷୀଙ୍କୁ ହଇରାଣ କରିବା ସେବାୟତଙ୍କ ବାପଅଜା ଅମଳର ଅଧିକାର । ସେଥିରେ ବାଧା ସୃଷ୍ଟି କରିବା ଅର୍ଥ ହନୁମାନଙ୍କ ଲାଞ୍ଜରେ ନିଅାଁ ଲଗାଇବା । ଠାକୁରଙ୍କ ଦର୍ଶନ ଆଶାରେ ଆସୁଥିବା ଶ୍ରଦ୍ଧାଳୁଙ୍କ ପକେଟରୁ ମାଲ ନ ଖସାଇବା ପର୍ଯ୍ୟନ୍ତ ସେବାୟତମାନେ ପିଛା ଛାଡ଼ନ୍ତି ନାହିଁ । ମନ୍ଦିର ବାହାରେ ପୁଲିସ ଓ ମନ୍ଦିର ଭିତରେ ସେବାୟତଙ୍କ ଦାଉ ସହିବା ସୌଭାଗ୍ୟର କଥା । ଜିଲ୍ଲା ପ୍ରଶାସନ, ମନ୍ଦିର ପ୍ରଶାସନ ଓ ରାଜ୍ୟ ପ୍ରଶାସନ ମିଳିତ ପ୍ରୟାସରେ ଲିଙ୍ଗରାଜ ମନ୍ଦିର ଓ ପୁରୀ ଶ୍ରୀମନ୍ଦିର ରୂପରେଖ ବଦଳି ଯାଇଛି । ମନ୍ଦିର ଭିତରେ ଠାକୁର ଥାଆନ୍ତୁ କି ନଥାନ୍ତୁ, ମନ୍ଦିର ଭିତରକୁ ଯିବାକୁ ହେଲେ ଶ୍ରଦ୍ଧାଳୁଙ୍କୁ ସରକାରଙ୍କ କଥା ମାନିବାକୁ ପଡ଼ିବ ।  ଶ୍ରଦ୍ଧାଳୁଙ୍କ ପାଇଁ ଡ୍ରେସ କୋଡ୍‌ ଲାଗୁ କରାଯାଇଛି । ଶ୍ରଦ୍ଧାଳୁଙ୍କ ପ୍ରସାଦ ସେବନ ପାଇଁ ସୁନ୍ଦର ବ୍ୟବସ୍ଥା ହୋଇଛି । ଧାଡ଼ିରେ ଯାଇ ଠାକୁରଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କୁ ବାଧ୍ୟ କରାଯାଉଛି ।

ଏତେସବୁ ଭଲ ବ୍ୟବସ୍ଥାକୁ ବଦନାମ କରି ପକାଉଛି ସେବାୟତଙ୍କ ଜୁଲମ । ମନ୍ଦିର ପ୍ରଶାସନ ଯେତେ ଚେଷ୍ଟା କଲେ ମଧ୍ୟ ସେବାୟତଙ୍କ ମନପ୍ରାଣକୁ ସନ୍ତୁଷ୍ଟ କଲାଭଳି ଯୋଜନା କାର୍ଯ୍ୟକାରୀ କରୁନାହାନ୍ତି । କଥାରେ ଅଛି, ଗୋରୁ ବ୍ରାହ୍ମଣ ଓ ନାରୀଙ୍କୁ କେହି ସନ୍ତୁଷ୍ଟ କରିପାରିବେନି । ତାହା ଅକ୍ଷରେ ଅକ୍ଷରେ ସତ୍ୟ ପ୍ରମାଣିତ ହୋଇଛି ଲିଙ୍ଗରାଜ ମନ୍ଦିରରେ ।

ଡିସେମ୍ବର ୫ ତାରିଖ ଦୈନିକ ସମ୍ବାଦରେ ପ୍ରକାଶିତ ଖବର ଅନୁସାରେ ଓଡ଼ିଶା ବାହାରୁ ଆସିଥିବା ଜଣେ ପର୍ଯ୍ୟଟକଙ୍କୁ ଲିଙ୍ଗରାଜ ମନ୍ଦିରର କିଛି ସେବାୟତ ହଇରାଣ କରିଛନ୍ତି । ସଂପୃକ୍ତ ପର୍ଯ୍ୟଟକ ଜଣକ ଗଭୀର ଅସନ୍ତୁଷ୍ଟ ହୋଇ ଆମ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିଛନ୍ତି । ରାଜ୍ୟ ସରକାରଙ୍କ ସଂସ୍କାର ବଦଳାଇବାକୁ ଅନୁରୋଧ କରିଛନ୍ତି ।

ମନ୍ଦିରରେ ଦାନଥାଳି ବଦଳରେ ଦାନହୁଣ୍ଡି ବସାଇବାକୁ ଅନୁରୋଧ କରିଛନ୍ତି ।  ଅଭିଯୋଗ କର୍ତା ଲେଖିଛନ୍ତି ଯେ ସେ ତାଙ୍କ ପତ୍ନୀଙ୍କ ସହିତ ଲିଙ୍ଗରାଜ ମନ୍ଦିରକୁ ଯାଇଥିଲେ । ସେଠାରେ ଆଡକାଠ ନିକଟରେ ଦୁଇଜଣ ପୂଜାରୀ ଠିଆ ହୋଇଥିଲେ । ସେମାନେ ସଂପୃକ୍ତ ପର୍ଯ୍ୟଟକଙ୍କୁ ୫୦୦ ନଚେତ୍‌ ୧୫୦୦ ନଚେତ୍‌ ୨୦୦୦ ଟଙ୍କା ଥାଳିରେ ପକାଇବାକୁ ବାଧ୍ୟ କରିଥିଲେ ।

ପର୍ଯ୍ୟଟକ ଜଣକ ସେମାନଙ୍କ କଥା ଅମାନ୍ୟ କରିବାରୁ ଦୁଇ ପୂଜକ ପ୍ରବଳ ଗାଳିମନ୍ଦ କରିଥିଲେ ।

ଦୁଇ ପୂଜକଙ୍କ ଅସଦାଚରଣକୁ ଅନେକ ଭକ୍ତ ନିରବରେ ସହି ଯାଉଥିବାର ଦେଖି ସଂପୃକ୍ତ ପର୍ଯ୍ୟଟକ ଆଶ୍ଚର୍ଯ୍ୟ ହୋଇଥିଲେ । ଭାବିଲେ, ବୋଧହୁଏ ଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କୁ ଗାଳି କରିବାର ପରମ୍ପରା ରହିଛି ।