୨୦୨୪ ନିର୍ବାଚନ ପାଇଁ ମୋଦିଙ୍କ ହୁଙ୍କାର

ଆମେରିକା ଓ ଇଜିପ୍ଟ ଗସ୍ତରୁ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଜନସଭାରେ ଯୋଗଦାନ କରି ଔପଚାରିକ ଭାବେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଆହ୍ୱାନ କରିଛନ୍ତି । ବୈଠକରେ ୟୁନିଭର୍ସାଲ ସିଭିଲ୍‌ କୋଡ୍‌, ମୁସଲିମଙ୍କୁ ସାଙ୍ଗରେ ଧରି ଆଗେଇବା ଓ ବିଜେପି ବିରୋଧରେ ବିରୋଧୀଙ୍କ ମେଂଟକୁ କଟାକ୍ଷ କରିଛନ୍ତି । ରାଜନାଥ ସିଂହ, ଜେପି ନଡ୍ଡା, ଶିବରାଜ ସିଂହ ଚୌହାନଙ୍କ ସମେତ ବିଜେପିର ବହୁ ବରିଷ୍ଠ ନେତାମାନେ ଉକ୍ତ ବୈଠକରେ ଯୋଗଦାନ କରିଥିଲେ ।

ସୂଚନା ମୁତାବକ ମଧ୍ୟପ୍ରଦେଶର ଭୋପାଳରୁ ଆରମ୍ଭ ହୋଇଛି ବିଜେପିର ଅଭିଯାନ ‘ମୋ ବୁଥ ସବୁଠାରୁ ମଜଭୁତ’ । ଉକ୍ତ ଅଭିଯାନକୁ ସବୁଜ ପତାକା ଦେଖାଇଥିଲେ ପ୍ରଧାନମନ୍ତ୍ରୀ ମୋଦିଜୀ ।
ମୋଦି କହିଛନ୍ତି, ଗୋଟିଏ ପରିବାରରେ ଦୁଇଟି ଅଲଗା ଅଲଗା ରୀତିନୀତି ପାଳନ କରିବା ସମ୍ଭବ କି? ଗୋଟିଏ ଦେଶରେ ଦୁଇଟି ଆଇନ ପ୍ରଚଳନ କରିବା ଆଦୌ ଗ୍ରହଣୀୟ ନୁହେଁ । ବିରୋଧୀ ଦଳଗୁଡ଼ିକ ସଂଖ୍ୟାଲଘୁ ସମୁଦାୟକୁ ବିଭ୍ରାନ୍ତ କରୁଛନ୍ତି । ଆମ ସମ୍ବିଧାନ ସମସ୍ତଙ୍କୁ ସମାନ ଅଧିକାର ଦେଇଛି । ଏପରିକି ସୁପ୍ରିମକୋର୍ଟ ମଧ୍ୟ ୟୁନଭର୍ସାଲ ସିଭିଲ କୋଡ୍‌ ସମର୍ଥନ କରିଛନ୍ତି ।

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଓ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ବିଜେପିର ଏଜେଣ୍ଡା ଥିଲା । ୟୁନିଭର୍ସାଲ ସିଭିଲ୍‌ କୋଡ୍‌ (ୟୁସିସି) ମଧ୍ୟ ବିଜେପିର ଅନ୍ୟ ଏକ ଆଦର୍ଶ ଏଜେଣ୍ଡା । ଗୋଆ, ଗୁଜରାଟ, ଉତରାଖଣ୍ଡ ଓ ମଧ୍ୟପ୍ରଦେଶ ଭଳି ବିଜେପି ଶାସିତ ରାଜ୍ୟଗୁଡ଼ିକ ୟୁସିସି ପାଇଁ ଆବଶ୍ୟକ ପଦକ୍ଷେପ ଆରମ୍ଭ କରିଦେଲେଣି । ବିଜେପି ମନଇଛା କିଛି କରୁନାହିଁ । ଆଇନ ଆୟୋଗ ସୁପାରିଶକୁ କାର୍ଯ୍ୟକାରୀ କରୁଛି ମାତ୍ର ।