Nuapada Voice: ନୂଆପଡ଼ା ମନକଥା, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସିଲେ ଭୋଟ ଦେବୁ’
Nuapada Voice: ନୂଆପଡ଼ା ମନକଥା: ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆପଡ଼ାକୁ ଆସି ଆମକୁ ଭୋଟ ମାଗିଲେ ଆମେ ବିଜେପିକୁ ଭୋଟ ଦେବୁ । ତାଙ୍କ ଛଡ଼ା ଆଉ କାହାକୁ ଭୋଟ ଦବୁନି ।’
ନୂଆପଡ଼ା ଭୋଟରଙ୍କ ମୁହଁରୁ ଏପରି କଥା ଶୁଣି ରାଜ୍ୟ ବିଜେପିର ହେଭି ୱେଟ୍ ନେତାଙ୍କ ମୁଣ୍ଡ କାମ କରୁନି ।
ମୋଦୀଙ୍କୁ ନୂଆପଡ଼ା ଆଣିବା କ’ଣ ସହଜ କଥା? ନୂଆପଡ଼ା ପରୀକ୍ଷା ହଲରେ ପରୀକ୍ଷା ଦେବାକୁ ଯାଉଛି ବିଜେପି, ବିଜେଡି, କଂଗ୍ରେସ । ସ୍ୱାଧୀନ ପ୍ରାର୍ଥୀଙ୍କ ପକେଟକୁ ୫ ହଜାର ଭୋଟ ଯିବାର ଆଶଙ୍କା କରାଯାଉଛି ।
ଅଢ଼େଇ ଲକ୍ଷ ଭୋଟରଙ୍କ ଭିତରୁ ସବୁଥର ଭଳି ଉପନିର୍ବାଚନରେ ସର୍ବାଧିକ ୬୫ ଭାଗ ଭୋଟର ମତଦାନ କରିପାରନ୍ତି । ପ୍ରତିଥର ଭଳି ୩୫ ଭାଗ ଭୋଟର ମତଦାନ କରିବେନି ।
ଗଣତାନ୍ତ୍ରିକ ରାଷ୍ଟ୍ରରେ ମତଦାନ କରୁ ନଥିବା ଭୋଟରଙ୍କୁ ଦେଶଦ୍ରୋହୀ ଘୋଷଣା କରି ଦେଶାନ୍ତର କରି ଦିଆଯିବା ଜରୁରୀ । ଏଭଳି ଦୁଃସାହସ ଭାରତର କୌଣସି କ୍ଷମତାସୀନ ମେଂଟ ନିକଟରେ ନାହିଁ ।
ନୂଆପଡ଼ାରେ ପ୍ରାୟ ଦେଢ଼ଲକ୍ଷ ଭୋଟର ମତଦାନ କରିପାରନ୍ତି ।
ନୂଆପଡ଼ା ମଇଦାନରେ ଅବତୀର୍ଣ୍ଣ ବିଜେପି, ବିଜେଡି ଓ କଂଗ୍ରେସ ପରୀକ୍ଷାର୍ଥୀଙ୍କୁ କପି ଯୋଗାଇବା ପାଇଁ ରୀତିମତ ଅଭ୍ୟାସ ଚାଲିଛି । ବିଜେପି ପରୀକ୍ଷାର୍ଥୀ ଜୟ ଢୋଲକିୟାଙ୍କୁ କପି ଯୋଗାଇବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଓଡ଼ିଶାର ଦୁଇଜଣ ଉପ-ମୁଖ୍ୟମନ୍ତ୍ରୀ, ବିଜେପି ସଭାପତି ଡେରା ପକାଇଛନ୍ତି ।
ଜୟ ଢୋଲକିଆଙ୍କ ଉପରେ ମୁଖ୍ୟମନ୍ତ୍ରୀ ମାଝିଙ୍କ ହାତ ରହିଥିବାରୁ ତାଙ୍କର ବିଜୟ ସୁନିଶ୍ଚିତ ଧରି ନିଆଯାଉଛି । ବିଜେପି ନେତା ବସନ୍ତ ପଣ୍ଡାଙ୍କ ପାଟିକୁ ବନ୍ଦ କରି ଦିଆଯାଇଛି । କେନ୍ଦ୍ରୀୟ ନେତାଙ୍କ ଚାପ ନିକଟରେ ପଣ୍ଡା ଥଣ୍ଡା ।
ନୂଆପଡ଼ା ଆସନଟି ବିଜେଡି କବଳରେ ଥିଲା । ରାଜେନ୍ଦ୍ର ଢ଼ୋଲକିଆଙ୍କ ନିଧନ ପରେ ତାଙ୍କ ପୋଷ୍ୟପୁଅ ଜୟ ବିଜେପିକୁ କୁଦା ମାରିଛନ୍ତି । ଜୟଙ୍କ ବଳରେ ନୂଆପଡ଼ାକୁ ଦଖଲ କରିବା ବିଜେପିର କୂଟନୀତି ।
ଅବଶ୍ୟ ଉପନିର୍ବାଚନ ଘୋଷଣା କରାଯିବାର ଠିକ ଦୁଇଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନୂଆପଡ଼ା ହାତକୁ ୧୪୦୦ କୋଟି ଟଙ୍କାର ମିଠା ଟେକି ଦେଇଛନ୍ତି ।
ନିର୍ବାଚନ କି ଉପ-ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଜାତୀୟ ବକସିସ୍ ଓ ଆଂଚଳିକ ବକସିସ୍ ଦିଆଯିବା ଏକ ପରମ୍ପରା ହୋଇଗଲାଣି । ଆମ ଭୋଟରମାନେ ଦିଆନିଆ ପରମ୍ପରା ପ୍ରତି ଅଧିକ ସଚେତନ ।
ନିର୍ବାଚନ ହାଟରେ ଭୋଟ ବିକାକିଣା ପ୍ରଥାଟି ଏକ ଦୁର୍ନୀତିଖୋର ଗଣତନ୍ତ୍ରକୁ ସୁହାଇଛି ।
ମୁଖ୍ୟମନ୍ତ୍ରୀ ପଦବୀ ବିନା ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ନବୀନ ପଟ୍ଟନାୟକଙ୍କ ପକ୍ଷେ ଅସମ୍ଭବ । ଦେବୀ ମିଶ୍ର, ପ୍ରତାପ ଜେନା, ପ୍ରଣବ ଦାସଙ୍କ ଭଳି ବିଜେଡି ନେତାମାନେ ସେହ୍ନାଙ୍ଗିନୀଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି । ମାତ୍ର ସେମାନେ ସ୍ନେହାଙ୍ଗିନୀଙ୍କ ପାଇଁ କେତେ ଭୋଟ ସଂଗ୍ରହ କରିପାରିବେ, ତାହା ଏକ ହେଭିୱେଟ୍ ପ୍ରଶ୍ନ ।
୨୦୨୪ ବିଧାନସଭା ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ ଘାସିରାମ ମାଝି । ଏବେ ଘାସିରାମ ମାଝି କଂଗ୍ରେସ ପକ୍ଷରୁ ଉପନିର୍ବାଚନ ଲଢୁଛନ୍ତି । ମାତ୍ର କଂଗ୍ରେସର ରାଜ୍ୟ ସଭାପତି ଭକ୍ତ ଦାସଙ୍କୁ ନୂଆପଡ଼ା ଭୋଟର ସହଜରେ ଗ୍ରହଣ କରି ପାରୁନାହାନ୍ତି ।