ଗରିବ ଭୋଟର କେବଳ ଭୋଟ ଦେବାକୁ ଯୋଗ୍ୟ

ଭୁବନେଶ୍ୱର: ଏକା ବିଜେଡି ଗରିବ ଭୋଟରଙ୍କୁ ହୀନ ଦୃଷ୍ଟିରେ ଦେଖୁନାହିଁ । ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସ ମଧ୍ୟ କେବଳ ଭୋଟ ପାଇବା ପାଇଁ ଗରିବ ଲୋକଙ୍କୁ ବଂଚାଇ ରଖିଛି । ବିଜେଡି, ବିଜେପି ଓ କଂଗ୍ରେସ ମତରେ ବିଧାନସଭା ଓ ସଂସଦ ଭିତରକୁ ପ୍ରବେଶ କରିବାର ଅଧିକାର ଗରିବ ଭୋଟରକୁ ମିଳିବା ଅନୁଚିତ । ଏମିତି ତ ଆମ ନିର୍ବାଚନ କମିଶନ ନିର୍ବାଚନ ଖର୍ଚ୍ଚ ପରିସୀମାକୁ ଏତେମାତ୍ରାରେ ବୃଦ୍ଧି କରିଛନ୍ତି ଯୋଉଠି ଗରିବ ଲୋକଟିଏ ବିଧାୟକ ଅବା ସାଂସଦ ହେବାର ସ୍ୱପ୍ନ ଦେଖିବାକୁ ସାହସ କରିପାରିବନି ।

କଙ୍କଡ଼ାକୁ ଗୋଳିପାଣି ସୁହାଇଛି । ଗରିବ ଭୋଟରଙ୍କ ପ୍ରତି ନିର୍ବାଚନ କମିଶନଙ୍କ ନିଷ୍ଠୁର ଉପହାସ ଦେଶର ସବୁ ରାଜନୈତିକ ଦଳଗୁଡ଼ିକୁ ସୁହାଇଛି । ଯୋଉ ଦେଶର ସଂସଦ ଅବା ବିଧାନସଭାକୁ ଅପରାଧିମାନେ ନିୟନ୍ତ୍ରଣ କରୁଛନ୍ତି; ସେ ଦେଶର ଜନତା ଏମିତି ଆଧୁନିକ କ୍ରୀତଦାସ ଭଳି ବଂଚି ରହିଥିବେ ।

ଯୋଉ ଗରିବ ଭୋଟରଙ୍କ ବଳରେ ନବୀନ ପଟ୍ଟନାୟକ ୫ ଥର ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ପାଇଛନ୍ତି । ସେମାନଙ୍କ ପ୍ରତି ନବୀନ ପଟ୍ଟନାୟକଙ୍କ ମନରେ ଏମିତି ଘୃଣା କାହିଁକି? ଗରିବ ଭୋଟର ତାଙ୍କୁ ୫ ଥର ମୁଖ୍ୟମନ୍ତ୍ରୀ ହେବାକୁ ସୁଯୋଗ ଦେଇଛନ୍ତି । ଅଥଚ ଦୀର୍ଘ ୨୫ ବର୍ଷର ରାଜନୀତି ଭିତରେ ଜଣେ ବି ବିପିଏଲ ହିତାଧିକାରୀଙ୍କୁ ଦଳୀୟ ଟିକେଟ୍‌ ଦେଇ ବିଧାନସଭା ଅବା ସଂସଦକୁ ପଠାଇବାକୁ ଉଚିତ ମଣିଲେନି ନବୀନ ପଟ୍ଟନାୟକ ।

ରାଷ୍ଟ୍ରୀୟ ପରିବର୍ତନ ଦଳ ବା ଆରପିଡି ସବୁବେଳେ ଗରିବଙ୍କ ଦଳ ହୋଇ ରହିଛି । ରାଜ୍ୟର ୧୪୭ଟି ଆସନରେ ପ୍ରାର୍ଥୀ ଠିଆ କରିବାର ତାକତ୍‌ ଆରପିଡି ପାଖରେ ନାହିଁ । ମାତ୍ର ଆରପିଡିର ଜଣେ ବିଧାୟକ ସାରା ଓଡ଼ିଶାର ଗରିବ ଜନତାଙ୍କ ପ୍ରତିନିଧି ଭାବେ ବିଧାନସଭାରେ କାମ କରିବେ ବୋଲି ଆରପିଡି ଆବାହକ ଆଚାର୍ଯ୍ୟ ଧର୍ମରାଜ କହିଛନ୍ତି ।