ସାମ୍ନାକୁ ଆସିଲା ମୋଦୀ-ଶାହଙ୍କ ବୈଠକର ଏଜେଣ୍ଡା

ନୂଆଦିଲ୍ଲୀ,୧୨/୦୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ମନ୍ତ୍ରୀଙ୍କ କାର୍ଯ୍ୟଶୈଳୀର ସମୀକ୍ଷା କରୁଛନ୍ତି । ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ କେନ୍ଦ୍ର ମନ୍ତ୍ରୀମଣ୍ଡଳର ସଂପ୍ରସାରଣ ହୋଇପାରେ, ଏବେସୁଦ୍ଧା ୨୪ ମନ୍ତ୍ରୀଙ୍କ କାର୍ଯ୍ୟର ସମୀକ୍ଷା ସରିଯାଇଛି । ଅତିଶୀଘ୍ର ଅନ୍ୟ ସବୁ ମନ୍ତ୍ରୀଳୟର ସମୀକ୍ଷା ଶେଷ ହୋଇଯିବ । ଭାରତୀୟ ସମ୍ବିଧାନ ଅନୁସାରେ ୭୯ ଜଣ ମନ୍ତ୍ରୀ ରହିପାରିବେ । ମୋଦୀ ସରକାରରେ ଏବେ ୬୦ ମନ୍ତ୍ରୀ ଅଛନ୍ତି ।
ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦୀ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ଅନେକ ସମୟରେ ମନ୍ତ୍ରୀ ଓ ସେମାନଙ୍କ କାର୍ଯ୍ୟର ସମୀକ୍ଷା କରିଥାନ୍ତି । କିନ୍ତୁ ଚଳିତ ଥର ମନ୍ତ୍ରୀମଣ୍ଡଳର ସଂପ୍ରସାରଣ ହୋଇପାରେ ବୋଲି ସୂଚନା ମିଳୁଛି ।
ସଂପ୍ରସାରଣରେ କିଛି ସହଯୋଗୀ ଦଳଙ୍କୁ ସ୍ଥାନ ମିଳିପାରେ । ଗତ ୧ ବର୍ଷ ଧରି କରୋନା କାରଣରୁ ମନ୍ତ୍ରୀ ମଣ୍ଡଳର ସଂପ୍ରସାରଣ ହୋଇନାହିଁ । ଟିମ୍‌ରେ ଏବେ ୨୧ କ୍ୟାବିନେଟ୍, ୯ ଷ୍ଟ୍ରମନ୍ତ୍ରୀ(ସ୍ୱାଧିନ) ଓ ୨୯ ରାଷ୍ଟ୍ରମନ୍ତ୍ରୀ ରହିଛନ୍ତି । କିଛି ମନ୍ତ୍ରୀଙ୍କ ପାଖରେ ଏକାଧିକ ମନ୍ତ୍ରାଳୟ ରହିଛି । ସୂତ୍ରାନୁସାରେ, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ୱାଲ, ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଶିଲ ମୋଦୀ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନାମ ଚର୍ଚ୍ଚାରେ ରହିଛି । ଓଡିଶାର ଜଣେ ପୂର୍ବତନ ସାଂସଦଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । ଏହି ଦଳଡିଆଁ ନେତା ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିରେ ମିଶିଥିଲେ । ଏବେ ସେ ଜୋରସୋରରେ ନିଜ ପାଇଁ ଲବି କରିବା ସହ ବିଜେପି କାର୍ଯାଳୟରେ ଚକ୍କର କାଟୁଛନ୍ତି । ଜେଡିୟୁର କିଛି ନେତା ମଧ୍ୟ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇପାରନ୍ତି । ବିଜେପିର କୌଣସି ସହଯୋଗୀ ଦଳର ସାଂସଦଙ୍କୁ ଗୋଟିଏ ହେଲେ କ୍ୟାବିନେଟ୍ ମନ୍ତ୍ରୀ ମିଳିନାହିଁ । କେବଳ ରିପବ୍ଲିକାନ୍ ପାର୍ଟିର ରାମଦାସ ଅଠଓ୍ୱାଲେ ରାଜ୍ୟମନ୍ତ୍ରୀ ଅଛନ୍ତି ।

ରାଜନୈତିକ ସୂତ୍ରାନୁସାରେ, ଚଳିତ ମାସର ଶେଷ କିମ୍ବା ଜୁଲାଇ ଆରମ୍ଭରେ ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହେବ । ମୋଦୀ ମଧ୍ୟ ଗତ କିଛିଦିନ ଧରି ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା କରୁଛନ୍ତି । ତେବେ କେଉଁ ନେତାମାନେ ମନ୍ତ୍ରୀମଣ୍ଡଳରେ ସାମିଲ ହେବେ ତାହା ଆଉ କିଛି ଦିନ ପରେ ଜଣାପଡିବ ।