ଭୁବନେଶ୍ୱର: ନବଦାସଙ୍କ ହତ୍ୟା ମାମଲାକୁ ଢାଲ କରି ମଙ୍ଗଳବାର ବିଜେପି ପକ୍ଷରୁ ଲୋୟର ପିଏମ୍ଜି ନିକଟରେ ଅନୁଷ୍ଠିତ ବିରାଟ ପ୍ରତିବାଦ ସଭାଟି ଏକ ରଣକ୍ଷେତ୍ରରେ ପାଲଟି ଯାଇଛି । ପୁଲିସ ଓ ବିଜେପି କର୍ମୀଙ୍କ ହାତାହାତି, ଠେଲାପେଲା, ଧସ୍ତାଧସ୍ତିରେ ଉଭୟ ପୁଲିସ ଓ କର୍ମୀମାନେ ଖଣ୍ଡିଆ ଖାବରା ହୋଇଛନ୍ତି । ପୁଲିସ ଉପରେ ବିଜେପି କର୍ମୀଙ୍କ ହମ୍ଲାକୁ ତୀବ୍ର ନିନ୍ଦା କରି ବିଜେଡିର ଜଣେ ନେତା କହିଛନ୍ତି, ‘ଆମ ନେତାକୁ ଆମେ ମାରିଲୁ, ତାଙ୍କ ପରିବାରକୁ ଆମେ ନ୍ୟାୟ ଦେବୁ । ତାକୁ କେନ୍ଦ୍ର କରି ବିଜେପି କର୍ମୀମାନେ ଲୋୟର ପିଏମ୍ଜିକୁ ଯୁଦ୍ଧକ୍ଷେତ୍ର କରିବା ଅନୁଚିତ ।’
ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ସଂପୃକ୍ତ ଘଟଣା ସଂପର୍କରେ ବିଧାନସଭାର ଦୃଷ୍ଟି ଆକର୍ଷଣ କରିଛନ୍ତି । ଜୟନାରାୟଣଙ୍କ ସୂଚନା ମୁତାବକ ଲୋୟର ପିଏମ୍ଜି ନିକଟରେ ପୁରୁଷ ପୁଲିସ କର୍ମଚାରୀ ମହିଳା ବିଜେପି କର୍ମୀଙ୍କୁ ମାଡ଼ ମାରିଛନ୍ତି ।
ରାଜ୍ୟରେ ମନ୍ତ୍ରୀ, ନେତା ଓ ଜନତା ସୁରକ୍ଷିତ ନାହାନ୍ତି । ଦିବାଲୋକରେ ମନ୍ତ୍ରୀଙ୍କୁ ଗୁଳି ମାରୁଥିବା ପୁଲିସ ଏବେ ନିରୀହ ଲୋକଙ୍କୁ ଗୋଡେ଼ଇ ଗୋଡେ଼ଇ ପିଟୁଛି । ପୁଲିସର କୌଣସି ଦୋଷତ୍ରୁଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟିରେ ପଡୁନି । ବିରୋଧୀ ଦଳକୁ ସଂଯମତାର ପାଠ ପଢ଼ାଉଥିବା ବିଜେଡି ନେତା ଦେବୀ ମିଶ୍ର ରାଜ୍ୟ ଗୃହ ବିଭାଗର ଦୋଷକୁ ଘୋଡ଼ାଇବାର ଅପଚେଷ୍ଟା କରୁଛନ୍ତି ।