ଲୋକଙ୍କୁ ଲୁଟି ବିଜେଡି ପାଣ୍ଠିକୁ ଟଙ୍କା ପଠାଉଛି ଟାଟା ପାୱାର

ମାତ୍ର ଟାଟା ପାୱାର ନଥିପତ୍ରରେ ସେ ବିଷୟ ଦର୍ଶାଯାଇନି…

ଭୁବନେଶ୍ୱର: ରାଜ୍ୟର ବିଜୁଳି ଉପଭୋକ୍ତାଙ୍କୁ ଆକଣ୍ଠ ଶୋଷିବା ପାଇଁ ଅନୁମତି ପାଇ ଟାଟା ପାୱାର ଆଉ କାହାକୁ ମାନିବାକୁ ନାରାଜ । ଟାଟା ପାୱାର ବ୍ୟବସାୟକୁ ଶୀର୍ଷରେ ପହଂଚାଇବା ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ବିଜୁଳି ଅଫିସ ମୁଖ୍ୟ ଫାଟକ ନିକଟରେ ମୁଚୁକୁନ୍ଦି ହସ ହସୁଛନ୍ତି । ଓଡ଼ିଶାର ବିଜୁଳି ଉପଭୋକ୍ତାଙ୍କଠାରୁ ଅତିରିକ୍ତ ୨୭୨୭ କୋଟି ଟଙ୍କା ଆଦାୟ କରିଛନ୍ତି ଚାରିଟି ବିଜୁଳି ବିତରଣ କମ୍ପାନୀ । ଆଜି ଓଇଆରସିଙ୍କ ଇଜଲାସରେ ଏହି ବିଷୟ ଉଠାଇ ଉପଭୋକ୍ତାଙ୍କୁ ସୁଧ ସମେତ ଅତିରିକ୍ତ ଟଙ୍କା ଫେରାଇବାକୁ ଦାବି କରାଯାଇଛି ।

ବିଦ୍ୟୁତ ଦର ସଂକ୍ରାନ୍ତ ଜନଶୁଣାଣି ପ୍ରକ୍ରିୟାରେ ଟାଟା ପାୱାର ଉତର ଓଡ଼ିଶା ବିତରଣ କମ୍ପାନୀର ଆବେଦନର ବିଚାର ଚାଲିଥିଲା । ଉପଭୋକ୍ତାଙ୍କ ସ୍ୱାର୍ଥ ବିଷୟ ଉଲ୍ଲେଖ କରି ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କେନ୍ଦ୍ରୀୟ ବିଦ୍ୟୁତ ଆଇନ, ୨୦୦୩ର ଧାରା ୬୨ (୬) ଉଲ୍ଲେଖ କରି ଉପଭୋକ୍ତାଙ୍କ ପକେଟ୍‌କୁ ଅତିରିକ୍ତ ଦେୟ କିଭଳି ଫେରିବ; ସେ ବିଷୟ ଓଇଆରସି ବିଚାର ପାଇଁ ଅନୁରୋଧ କରିଥିଲେ ।

ଉପଭୋକ୍ତାଙ୍କ ନିକଟରେ ବିନା ବାଧାରେ ବିଜୁଳି ପହଂଚାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରାୟ ୨୦ ହଜାର କୋଟି ଟଙ୍କା ଖଟାଇଛନ୍ତି । ମାତ୍ର ଟାଟା ପାୱାର ନଥିପତ୍ରରେ ସେ ବିଷୟ ଦର୍ଶାଯାଇନି । ଏଭଳି ବିବଦମାନ ତଥ୍ୟ ପଛରେ ରାଜ୍ୟ ସରକାରଙ୍କ ପ୍ରଚ୍ଛନ୍ନ ହାତ ରହିଥିବାର ଅନୁମାନ କରାଯାଉଛି । ରାଜ୍ୟ ସରକାରଙ୍କ କମ୍ପାନୀ ପ୍ରୀତି ଉପଭୋକ୍ତାଙ୍କୁ ଅଡୁଆରେ ପକାଉଛି ।