ନବୀନ, ଜଗନ, କେସିଆର ବିନା ନୀତୀଶଙ୍କ ମହାମେଳି ବୃଥା

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ଆୟୋଜିତ ମହାମେଳିକୁ ଯାଇନାହାନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ରେଡ୍ଡି, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ଓ ଜେଡିଏସ ନେତା କୁମାରସ୍ୱାମୀ ।

ଆଗାମୀ ନିର୍ବାଚନରେ ବିଜେପିକୁ ହରାଇବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦିଲ୍ଲୀରୁ ଦକ୍ଷିଣ ପର୍ଯ୍ୟନ୍ତ ଗସ୍ତ କଲେ । କଂଗ୍ରେସ ନେତାଙ୍କ ସମେତ ଅରବିନ୍ଦ କେଜ୍ରିୱାଲ, ମମତା ବାନାର୍ଜୀ, ନବୀନ ପଟ୍ଟନାୟକ, ହେମନ୍ତ ସୋରେନ, ଶରଦ ପୱାର, ଉଦ୍ଧବ ଠାକରେ, ଓମ୍‌ ପ୍ରକାଶ ଚୌଟାଲା, ଜୟନ୍ତ ଚୌଧୁରୀ, ମୌଲାନା ବଦରୁଦ୍ଦିନ୍‌ ଅଜମଲ ସମେତ ସିପିଆଇ, ସିପିଏମ୍‌ ନେତାଙ୍କୁ ଭେଟିଥିଲେ ।

ବୈଠକକୁ ପ୍ରାୟ ୧୮ଟି ଦଳକୁ ଡକା ଯାଇଥିଲା । ବୈଠକରେ ଯୋଗ ଦେବେନି ବୋଲି ନୀତୀଶଙ୍କୁ ସଫା ସଫା କହିଦେଲେ ନବୀନ ପଟ୍ଟନାୟକ, କେସିଆର, ଜଗନ ମୋହନ ଓ ଜେଡିଏସ୍‌ ନେତା କୁମାରସ୍ୱାମୀ।

ଜୁନ ୬ ତାରିଖରେ ବେଙ୍ଗାଲୁରୁରେ ଅନୁଷ୍ଠିତ ଏକ ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ା ଆଲୋଚନାରେ କହିଥିଲେ ଯେ ଦେଶରେ ଏପରି ଗୋଟିଏ ଦଳ ବାଦ ପଡ଼ିନି ଯାହା ସହିତ ବିଜେପିର ପ୍ରତ୍ୟକ୍ଷ ଅବା ପରୋକ୍ଷ ସଂପର୍କ ନାହିଁ ।

କର୍ଣ୍ଣାଟକରେ ଜେଡିଏସ ମଜଭୁତ ସ୍ଥିତିରେ ଥିଲା, ମାତ୍ର ଚଳିତ ନିର୍ବାଚନରେ ଜେଡିଏସକୁ ମାତ୍ର ୧୯ଟି ଆସନ ମିଳିଛି । ୧୯୯୯ରେ ପ୍ରତିଷ୍ଠିତ ଜେଡିଏସ୍‌ କ୍ରମେ ଲୋକପ୍ରିୟତା ହରାଇଲାଣି ।

୨୦୧୯ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ୱାଇଏସଆର କଂଗ୍ରେସ ୧୭୫ଟି ଆସନରୁ ୧୫୧ ଆସନ ଜିତିଥିଲା । ସଂସଦରେ ଜଗନ ମୋହନ ରେଡ୍ଡିଙ୍କ ଦଳର ସ୍ଥିତି ୨୨ । ବିରୋଧୀ ମେଂଟରେ ଜଗନ ସାମିଲ ନହେବାର ପରିଣାମ ବିଜେପିକୁ ଫାଇଦା ।

ବିରୋଧୀ ଗୋଠରେ ବିଜେଡି ସାମିଲ ନହେବା ବିଜେପିକୁ ଲାଭ । ନବୀନ ପଟ୍ଟନାୟକ ନା କଂଗ୍ରେସ ବିପକ୍ଷରେ ନା ବିଜେପି ବିପକ୍ଷରେ । ବିଧାନସଭା ନିର୍ବାଚନ ଏକାକୀ ଲଢ଼ିବ ବିଜେଡି । ନବୀନଙ୍କ ରାଜନୀତି କେବଳ ଓଡ଼ିଶାରେ କେନ୍ଦ୍ରଭୂତ । କେନ୍ଦ୍ରୀୟ ରାଜନୀତି ସହିତ ତାଙ୍କର କୌଣସି ମତଭେଦ ନାହିଁ । କଂଗ୍ରେସ ହେଉ ଅବା ବିଜେପି, ଯିଏ କେନ୍ଦ୍ରରେ ରହିବ, ତାକୁ ନବୀନଙ୍କ ସମର୍ଥନ ରହିବ ।

କଂଗ୍ରେସ ସହିତ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କର ମତଭେଦ ସମସ୍ତଙ୍କୁ ଜଣା । କର୍ଣ୍ଣାଟକ ସରକାରଙ୍କ ଶପଥ ଗ୍ରହଣ ଉତ୍ସବକୁ କଂଗ୍ରେସ ସମସ୍ତଙ୍କୁ ଆମନ୍ତ୍ରଣ କରିଥିଲା ମାତ୍ର କେସିଆରଙ୍କୁ ଡାକିି ନଥିଲା । କେନ୍ଦ୍ରୀୟ ରାଜନୀତିରେ ଆସ୍ଥାନ ଜମାଇବା ପାଇଁ କେସିଆର ଟିଆରଏସକୁ ବିଆରଏସ୍‌ କଲେ ।
ସଂକ୍ଷେପରେ କହିଲେ, ନୀତୀଶଙ୍କ ମହାମେଳିରେ ବିଜେଡି, ବିଆରଏସ, ୱାଇଏସଆର କଂଗ୍ରେସ ମିଶିବା ଜରୁରୀ, ତା’ ନହେଲେ ବିଜେପିକୁ ହରାଇବା ଅସମ୍ଭବ ।