ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଶର ସର୍ବୋଚ୍ଚ ସମ୍ମାନ

‘ଅର୍ଡର ଅଫ ଦ ନାଇଲ୍‌’

ମିଶର ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାକାର ସର୍ବୋଚ୍ଚ ସମ୍ମାନ ଲାଭ କରିଛନ୍ତି । ମିଶର ରାଷ୍ଟ୍ରପତି ଅବଦଲ ଫତହ ଅଲ-ସିସି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ଅର୍ଡର ଅଫ୍‌ ନାଇଲ’ ସମ୍ମାନରେ ସମ୍ମାନିତ କରିଛନ୍ତି । ତ୍ରୟୋଦଶ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦି ବିଦେଶୀ ରାଷ୍ଟ୍ରରୁ ସର୍ବୋଚ୍ଚ ସମ୍ମାନ ପାଇଛନ୍ତି।

ସୂଚନା ମୁତାବକ ୧୯୧୫ ମସିହାରେ ମିଶର ସୁଲତାନ ହୁସେନ୍‌ କାମେଲ ‘ଅର୍ଡର ଅଫ୍‌ ନାଇଲ’ର ମୂଳଦୁଆ ପକାଇଥିଲେ । ୧୯୫୩ରେ ମିଶରରେ ରାଜତନ୍ତ୍ର ସମାଧି ନେଇଥିଲା। ଗଣତନ୍ତ୍ର ଶାସନକୁ ଆଦରି ନେବା ପରେ ପୁଣି ଥରେ ‘ଅର୍ଡର ଅଫ୍‌ ଦି ନାଇଲ’ର ପୁନର୍ଗଠନ କରାଯାଇଛି।

ବିଶେଷ କରି ଏହି ସମ୍ମାନ ରାଷ୍ଟ୍ରପତି, ରାଜକୁମାର ଓ ଉପରାଷ୍ଟ୍ରପତିଙ୍କୁ ପ୍ରଦାନ କରିବାର ବ୍ୟବସ୍ଥା ରହିଛି । ଖାଂଟି ସୁନାର ଏକ ହାରରେ ତିନି ବର୍ଗାକାର ବିଶିଷ୍ଟ ସୁନା ଲକେଟ୍‌ ରହିଛି ଯାହାକୁ ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଉଥିବା ବ୍ୟକ୍ତିତ୍ୱଙ୍କ ଗଳାରେ ଲମ୍ବାଇ ଦିଅନ୍ତି ମିଶର ରାଷ୍ଟ୍ରପତି।