ଭାରତୀୟ ଦର୍ଶନରେ କୂଟସ୍ଥ ଆତ୍ମା

କୂଟର ଅଧିଷ୍ଠାନ ବା ଆଧାର..

କୁଟସ୍ଥ – ଭାରତୀୟ ଦର୍ଶନରେ ଆତ୍ମା , ପୁରୁଷ , ବ୍ରହ୍ମ ତଥା ଈଶ୍ବର ପାଇଁ ପ୍ରଯୁକ୍ତ ଏକ ଶବ୍ଦ ଯାହା ପରମ ସତ୍ତାର ସ୍ୱରୂପକୁ ବ୍ୟକ୍ତ କରେ । କୂଟସ୍ଥର ଅର୍ଥ ହେଲା କୂଟର ଅଧିଷ୍ଠାନ ବା ଆଧାର । ଯେଉଁ ବସ୍ତୁ ବାହାରକୁ ଉତ୍ତମ ପ୍ରତୀତ ହୁଏ କିନ୍ତୁ ଭିତରେ ଦୋଷପୂର୍ଣ୍ଣ ଥାଏ , ତାହାକୁ କୂଟ କୁହାଯାଏ । ବେଦାନ୍ତ ଦର୍ଶନରେ କୂଟ ଶବ୍ଦଟି ମାୟା ଅଥବା ଈଶ୍ବରଙ୍କ ନିମନ୍ତେ ବ୍ୟବହୃତ ହୁଏ । ମାୟା ଜୀବର ଜନ୍ମ , ମରଣ , ଅଜ୍ଞାନ , ଦୁଃଖ ଆଦିର କାରଣ ହୋଇଥିବାରୁ ଦୋଷଯୁକ୍ତ ହୋଇଥାଏ। ମାୟାର ଅଧିଷ୍ଠାନ ହୋଇଥିବା କାରଣରୁ ଆତ୍ମା , ବ୍ରହ୍ମ ଅଥବା ଈଶ୍ବରଙ୍କୁ କୂଟସ୍ଥ କୁହାଯାଏ ।

କୂଟସ୍ଥର ଅନ୍ୟ ଏକ ଅର୍ଥ ମଧ୍ୟ ଏହା ଯେ ଯାହା ନିଷ୍କ୍ରିୟ ରୂପରେ କୌଣସି ସ୍ଥାନରେ ଢେର ବା ଗଦା ହୋଇ ରହିଛି । ବ୍ରହ୍ମ ଅଚଳ ଓ ନିତ୍ୟ ଅଟେ । ଏହା ସଦାସର୍ବଦା ଏକ ରୂପରେ ରହୁଥିବା ପରମାର୍ଥିକ ତତ୍ତ୍ୱ ଅଟେ । ଶଙ୍କରାଚାର୍ଯ୍ଯଙ୍କ ଅନୁସାରେ ବ୍ରହ୍ମରେ ପରିଣାମ କିମ୍ବା ପରିବର୍ତ୍ତନ ସମ୍ଭବ ନୁହେଁ କାରଣ ସେ କୂଟସ୍ଥ ଅଟେ । ସେ ବିନା ପରିବର୍ତ୍ତନରେ ନିଜର ମାୟା ଶକ୍ତି ଦ୍ୱାରା ଜଗତାଦି ଅନେକ ରୂପରେ ବ୍ୟକ୍ତ ହୁଏ । ସଂସାରର ସମସ୍ତ ପଦାର୍ଥ ଦେଶକାଳରେ ସୀମିତ ତଥା କାର୍ଯ୍ୟକାରଣ ସିଦ୍ଧାନ୍ତରେ ନିୟନ୍ତ୍ରିତ ହୁଏ କିନ୍ତୁ କୂଟସ୍ଥ ବ୍ରହ୍ମ ଏମାନଙ୍କଠାରୁ ପୂର୍ଣ୍ଣରୂପରେ ସ୍ୱତନ୍ତ୍ର ଅଟେ । ସେ ସମସ୍ତ ବିଶ୍ୱକୁ ଘୋଡାଇ ରଖିଛି କିନ୍ତୁ ସବୁଠାରୁ ଅଲଗା । ପ୍ରକୃତିରୁ ଉତ୍ପନ୍ନ ସମସ୍ତ ପଦାର୍ଥ କ୍ଷର ତଥା ନଶ୍ବର ଅଟେ କିନ୍ତୁ କୂଟସ୍ଥ ବ୍ରହ୍ମ ଅକ୍ଷର ତଥା ଅବିନାଶୀ ଅଟେ । ଏହା ଶୁଦ୍ଧ ଚେତନ ଅଟେ । ସେ କେବଳ ଜ୍ଞାତା ଅଟେ , ଜ୍ଞେୟ ନୁହେଁ । ଇନ୍ଦ୍ରିୟ , ମନ , ବୁଦ୍ଧି ଦ୍ୱାରା ତାହାକୁ ଜାଣି ହେବ ନାହିଁ କାରଣ ସେ ହିଁ ଏ ସବୁର ମୂଳ ଆଧାର ଅଟେ । ସେହି ଚେତନ ତତ୍ତ୍ୱର ଚେତନାର ପ୍ରକାଶରେ ଏ ସମସ୍ତ ପ୍ରକାଶିତ ହୁଅନ୍ତି ।

ବେଦାନ୍ତରେ ଆତ୍ମାକୁ ହିଁ କୁଟସ୍ଥ ବୋଲି କୁହାଯାଇଛି । କୂଟ ଅର୍ଥ ବଡ଼ ଲୁହା ଖଣ୍ଡ ବା ଏଷଣା ଯାହା ଉପରେ କମାର ଉତ୍ତପ୍ତ ଲୌହଖଣ୍ଡକୁ ରଖି ହାତୁଡିରେ ପିଟି ପିଟି ତାକୁ ବିଭିନ୍ନ ଆକାର ଦିଏ । ହାତୁଡିର ପ୍ରହାରର ପ୍ରଭାବ ଲୌହଖଣ୍ଡ ଉପରେ ତ ପଡ଼େ; କିନ୍ତୁ
ଏଷଣା ଉପରେ ତାହାର କୌଣସି ପ୍ରଭାବ ପଡ଼େ ନାହିଁ । ସେ ନିଜେ ଅବିଚଳ, ସ୍ଥିର ରହି ଲୌହଖଣ୍ଡକୁ ଅନେକ ଆକାର ଦେବାରେ ସାହାଯ୍ୟ କରେ । ଏହିପରି ଭାବରେ କୂଟସ୍ଥର ଅର୍ଥ ହେଲା ଯିଏ କୂଟ ପରି ସର୍ବଦା ଅବିଚଳ ଓ ଅବିକାରୀ ସମଭାବରେ ସ୍ଥିତ ରହେ ।
ଜ୍ଞାନୀ ପୁରୁଷ କୂଟସ୍ଥ ଆତ୍ମାକୁ ଜାଣି ନିଜେ ମଧ୍ୟ ସବୁ ପରିସ୍ଥିତିରେ କୂଟସ୍ଥ ଭାବରେ ସ୍ଥିତ ରହେ । ସେ ସମଦର୍ଶୀ ହୋଇଯାଏ । ତା ପାଇଁ ମାଟି , ପଥର ଓ ସୁନା ସବୁ ସମାନ ଥାଏ । ଅଜ୍ଞାନୀ ଏ ସବୁଥିରେ ରାଗଦ୍ୱେଷ କରି ପ୍ରିୟ-ଅପ୍ରିୟର ପ୍ରାପ୍ତି କିମ୍ବା କ୍ଷତିରେ ସୁଖୀ- ଦୁଃଖୀ ହୁଅନ୍ତି । ପ୍ରତ୍ୟେକ ପରିସ୍ଥିତିରେ ସମଭାବରେ ରହିବା ହେଲା ଜ୍ଞାନର ମାପଦଣ୍ଡ। ସ୍ୱପ୍ନାବସ୍ଥାରେ କେହି କେତେ ଧନ ଅର୍ଜନ କଲେ କିମ୍ବା ସମ୍ପତ୍ତି ନଷ୍ଟ ହୋଇଗଲେ ମଧ୍ୟ ଜାଗ୍ରତ ଅବସ୍ଥାକୁ ଆସିବା ପରେ ସେହି ଧନର ଲାଭ କିମ୍ବା ହାନିର କିଛି ଅର୍ଥ ରହେ ନାହିଁ । ସେହିପରି ଜ୍ଞାନୀ ପାଇଁ ଭୌତିକ ବସ୍ତୁର ଜଗତ ପରେ ମାଟି, ପଥର ଓ ସୁନାର କୌଣସି ଅର୍ଥ ରହେ ନାହିଁ । ସେହି ସବୁ ଜିନିଷ ତାର ଆନନ୍ଦରେ ବୃଦ୍ଧି କିମ୍ବା କ୍ଷୟ କରିପାରେ ନାହିଁ । ସେ ପରମାନନ୍ଦର ଏକମାତ୍ର ସ୍ୱାମୀ ହୋଇଯାଏ । ସ୍ୱର୍ଗର କୋଷାଧ୍ୟକ୍ଷ କୁବେରଙ୍କ ପାଇଁ ପୃଥିବୀର ସମ୍ପତ୍ତି କିଛି ବଡ଼ କଥା ନୁହେଁ ଯାହାପାଇଁ ସେ ଖୁସିରେ ନାଚି ଉଠିବେ ।

ଭଗବଦଗୀତା ଅନୁସାରେ ଆତ୍ମସାକ୍ଷାତକାର କରିଥିବା ଯୋଗୀ ସ୍ଵୟଂ କୂଟସ୍ଥ ଓ ଜିତେନ୍ଦ୍ରିୟ ହୋଇଯାଆନ୍ତି । ଜୀବନର କୌଣସି ଦ୍ୱନ୍ଦ୍ୱ ତାଙ୍କୁ ବିଚଳିତ କରିପାରେ ନାହିଁ । ସେ କର୍ମବନ୍ଧନରୁ ସର୍ବଦା ମୁକ୍ତ ରହନ୍ତି ଓ ଅନ୍ତତଃ ମୋକ୍ଷକୁ ପ୍ରାପ୍ତ ହୁଅନ୍ତି ।