ମାଉସୀ ଘରେ ତିନିଠାକୁର ଖାଡ଼ା ଉପାସ
ପୁରୀ: ବୁଧବାର ମଧ୍ୟାହ୍ନ ସୁଦ୍ଧା ଗୁଣ୍ଡିଚା ମନ୍ଦିର ଆଗରେ ଲାଗିଛି ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ । ମାତ୍ର ତିନିଠାକୁରଙ୍କୁ ପାଛୋଟି ନେବାକୁ ମାଉସୀଙ୍କ ଘରେ ନାହାନ୍ତି କୋଉ ସେବାୟତ । ବିଚରା ବୁଢ଼ି ମାଉସୀଟି ଦାଣ୍ଡରେ କାନ୍ଦିବା ଛଡ଼ା ଆଉ କ’ଣ କରିପାରିବେ । ରଥ ଉପରେ ବଳଭଦ୍ର, ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥ ଅପେକ୍ଷା କରିଛନ୍ତି ସେବାୟତଙ୍କୁ ।
ନା ସେବାୟତ ଅଛନ୍ତି, ନା ମାଉସୀଙ୍କ ହାତ ତିଆରି ପିଠାପଣା ଆସୁଛି । ତିନି ଠାକୁରଙ୍କୁ ଜନ୍ମବେଦୀକୁ ନେବା ପାଇଁ ସେବାୟତଙ୍କ ଭିତରେ ଟଣାଓଟରା । ଅବଶ୍ୟ ଏଥିପାଇଁ ଖୋଦ ମହାବାହୁ ଦାୟୀ । ଜଣେ ଲୋକକୁ ଦୀର୍ଘ ୨୩ ବର୍ଷ କାଳ ମୁଖ୍ୟମନ୍ତ୍ରୀ ପଦରେ ରଖିବାର ପରିଣାମ ସେ ଭୋଗିବେନି ତ ଆଉ କିଏ ଭୋଗିବ?
ବଡ଼ଦାଣ୍ଡର ଧୂଳି ଟିକିଏ ମୁଣ୍ଡରେ ମାରି ଦେଇ ଭକ୍ତମାନେ ନିଜକୁ ମହା ଭାଗ୍ୟବାନ ମଣୁଥିଲେ । ହେଲେ ଏବେ ଯୋଉଆଡେ଼ ଦେଖିବ, ଚିକିମିକି ବଡ଼ଦାଣ୍ଡ । ଶରଧା ବାଲିର ଦେଖା ଦର୍ଶନ ନାହିଁ । ବହୁ ତାଗିଦ ପରେ ସନ୍ଧ୍ୟା ସମୟରେ ଠାକୁରଙ୍କ ପାଖରେ ଭୋଗ ବ୍ୟବସ୍ଥା ତ୍ୱରାନ୍ୱିତ ହୋଇଛି । ରାତିରେ ପ୍ରଭୁଙ୍କୁ ଜନ୍ମବେଦୀକୁ ନେବାର ବ୍ୟବସ୍ଥା କରାଯାଇଛି ।