ମହାଭାରତ ରେ ବିଶ୍ଵରୂପ
କୁରୁ ରାଜପ୍ରସାଦରେ ଦୁର୍ଯ୍ୟୋଧନ-ପ୍ରଦତ୍ତ ରାଜଆତିଥ୍ୟ ପ୍ରତ୍ୟାଖ୍ୟାନ କରିବା ପରେ ବିଦୂରଙ୍କ ବାସଭବନରେ ପହଞ୍ଚିଲେ ଶ୍ରୀକୃଷ୍ଣ। ସେହି ରାତିରେ ବିଳମ୍ବିତ ପ୍ରହର ପର୍ଯ୍ୟନ୍ତ ବିଦୂରଙ୍କ ସହିତ ଶାନ୍ତି ପ୍ରସ୍ତାବ ଉପରେ ଆଲୋଚନା କଲେ କେଶବ।ବିଦୂର କହିଲେ .. ପ୍ରଭୁ ! ବଡ଼ ଖଳ ପ୍ରକୃତି ଦୁର୍ଯ୍ୟୋଧନ’ର।ବଡ଼ ଅବିନୟୀ ଏବଂ ଉଦ୍ଧତ ଚରିତ୍ରର ପ୍ରାଣୀ ସେ।ପାଣ୍ଡବ ମାନଙ୍କର ବଳବୀର୍ଯ୍ୟ ବିଷୟରେ ସମ୍ପୂର୍ଣ୍ଣ ଅବଗତ ଥାଇ ମଧ୍ୟ ତାର ଦୃଢ଼ ବିଶ୍ବାସ ଯେ ସେ ଯୁଦ୍ଧରେ ଅବଶେଷରେ ବିଜୟୀ ହେବ।ଭୀଷ୍ମ ଏବଂ ଦ୍ରୋଣଙ୍କର ରାଜସିଂହାସନ ପ୍ରତି ଆନୁଗତ୍ୟ ତାର ଏହି ଆତ୍ମବିଶ୍ବାସର କାରଣ।ସେ ଜାଣେ ଯେ ଯୁଦ୍ଧ ହେଲେ ଏହି ଦୁଇ ମହାନ ଯୋଦ୍ଧା କୌରବଙ୍କ ସପକ୍ଷରେ ଯୁଦ୍ଧ କରିବେ ଏବଂ ସେମାନଙ୍କୁ ପରାସ୍ତ କରିବା ଶକ୍ତି ବିଶ୍ବରେ କାହାର ନାହିଁ।
ବିଡମ୍ବନା ଦେଖନ୍ତୁ କେଶବ ! ଯେଉଁମାନଙ୍କର ବାହୁବଳ ଉପରେ ସେ ନିର୍ଭର କରେ, ସେମାନଙ୍କ ଉପଦେଶକୁ ଅବଜ୍ଞା କରି ଉଡାଇ ଦିଏ।ଆପଣ ଯେଉଁ ପ୍ରକାରର ଶାନ୍ତି ପ୍ରସ୍ତାବ ଦେଲେ ମଧ୍ୟ ତାହା ଦୁର୍ଯ୍ୟୋଧନ ଗ୍ରହଣ କରିବ ନାହିଁ। ଶାନ୍ତି ପ୍ରସ୍ତାବ ଦେବାପାଇଁ ଯିବା ହିଁ ନିରର୍ଥକ; ସେଠାରେ ଦୁଷ୍ଟ ଚରିତ୍ର ମାନଙ୍କ ସହିତ ମିଳିତ ହୋଇ ସେ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କରି ପାରେ।”
ବିଦୂରଙ୍କଠାରୁ ଏହା ଶୁଣି ଶ୍ରୀକୃଷ୍ଣ କହିଲେ ..ବିଦୂର ! ମୁଁ ଭଲ ଭାବରେ ଜାଣେ ଯେ ଦୁର୍ଯ୍ୟୋଧନ ମୋ ଶାନ୍ତି ପ୍ରସ୍ତାବ ଅଗ୍ରାହ୍ୟ କରିବ। କିନ୍ତୁ ଶାନ୍ତି ପ୍ରସ୍ତାବ ନଦେଇ ଯୁଦ୍ଧକୁ ଲମ୍ଫଦେଲେ ସଂସାର ମୋତେ ନିନ୍ଦା କରିବ।ମୋ ନିରାପତ୍ତା ପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ ମହାତ୍ମା ବିଦୂର, ଦୁର୍ଯ୍ୟୋଧନ ମୋର କୌଣସି କ୍ଷତି କରିପାରିବ ନାହିଁ।”
ପରଦିନ ପ୍ରଭାତରେ ଶକୁନି ଏବଂ ଦୁର୍ଯ୍ୟୋଧନ ବିଦୂରଙ୍କ ବାସ ଭବନରେ ପହଞ୍ଚି ଜଣାଇଲେ ଯେ ଦରବାରରେ ଧୃତରାଷ୍ଟ୍ର ତାଙ୍କ ପାଇଁ ଅପେକ୍ଷା କରିଛନ୍ତି।ବିଦୂର ଏବଂ ସାତ୍ୟକିଙ୍କ ସହିତ ବାସୁଦେବ ଧୃତରାଷ୍ଟ୍ରଙ୍କ ଦରବାରରେ ପହଞ୍ଚିଲେ। ଶ୍ରୀକୃଷ୍ଣଙ୍କ ଉପବେଶନ ପାଇଁ ଏକ ଦିବ୍ୟ ସୁବର୍ଣ୍ଣ ସିଂହାସନ ପ୍ରସ୍ତୁତ ହୋଇ ରହିଥିଲା। ଶ୍ରୀକୃଷ୍ଣ ସଭାରେ ପ୍ରବେଶ କରୁ କରୁ ସମସ୍ତ ସଭାସଦ ଏବଂ ରାଜନ୍ୟ ବର୍ଗ ନିଜ ନିଜର ଆସନ ତ୍ୟାଗ କରି ଅଭିବାଦନ ଜଣାଇଲେ।
ସମସ୍ତଙ୍କ ସହିତ ପରିଚୟ ଆଦାନପ୍ରଦାନ ପରେ ଶ୍ରୀକୃଷ୍ଣ ଧୃତରାଷ୍ଟ୍ରଙ୍କ ପ୍ରତି ଦୃଷ୍ଟିପାତ କରି କହିଲେ ..ହେ ମହାନ କୁରୁବଂଶର ଉତ୍ତର ଦାୟାଦ ! ଏକ ମହା ଧ୍ବଂସକାରୀ ଯୁଦ୍ଧର ପଦଧ୍ବନୀ ଶୁଣି ମୁଁ ତାହା ଏଡ଼ାଇବା ପାଇଁ ଶାନ୍ତି ପ୍ରସ୍ତାବ ସହିତ ଏଠାରେ ଉପସ୍ଥିତ। ମହାରାଜ୍ ଧୃତରାଷ୍ଟ୍ର ! ନିଜ ବଂଶର ଧ୍ବଂସ ଆପଣ ନିଜେ କରନ୍ତୁ ନାହିଁ। ଦୁର୍ଭାଗ୍ୟ ଦେଖନ୍ତୁ, ଯାହା ଆପଣଙ୍କ ବଂଶ ପାଇଁ ମନ୍ଦ ତାହା ଆପଣ ଭଲ ବୋଲି ବିବେଚନା କରୁଛନ୍ତି ଏବଂ ଭଲକୁ ମଧ୍ୟ ମନ୍ଦ ବୋଲି ଭାବୁଛନ୍ତି।ନିଜ ଉଦ୍ଧତ ପୁତ୍ର ମାନଙ୍କୁ ଶାସନ କରନ୍ତୁ ମହାରାଜ।ଏହା ଆପଣଙ୍କ କର୍ତ୍ତବ୍ୟ। ପାଣ୍ଡବମାନେ ଶାନ୍ତି ଚାହାନ୍ତି। କିନ୍ତୁ ସେମାନଙ୍କୁ ଯୁଦ୍ଧ ପାଇଁ ବିବଶ କଲେ ସେମାନେ ସେଥିପାଇଁ ମଧ୍ୟ ପ୍ରସ୍ତୁତ। ପାଣ୍ଡବ ମାନଙ୍କୁ ନିଜର କରିନେଲେ, ସେମାନେ ଆପଣଙ୍କୁ ମସ୍ତକରେ ତୋଳିଧରିବେ, ବିଶାଳ କୁରୁବଂଶ ଦୃଢ଼ ହେବ। ଆର୍ଯ୍ୟାବର୍ତ୍ତରେ ଧର୍ମ ଓ ଶାନ୍ତି ବିରାଜମାନ କରିବ।”
ଗୋବିନ୍ଦଙ୍କ କଥା ଶୁଣି ଧୃତରାଷ୍ଟ୍ର କହିଲେ … ଗୋବିନ୍ଦ !ଆପଣ ଯାହା କହୁଛନ୍ତି ମୁଁ ସମ୍ପୂର୍ଣ୍ଣ ଏକମତ। ସମସ୍ତେ ଜାଣନ୍ତି ମୋ ଉଦ୍ଦେଶ୍ୟ ପାଣ୍ଡବମାନଙ୍କର ଅହିତ କରିବାକୁ ନୁହେଁ। କିନ୍ତୁ ମୁଁ କଣ କରିବି? ମୋ ପୁତ୍ରମାନେ ଦୁଷ୍ଟ ସ୍ୱଭାବର। ସେମାନେ କାହା କଥା ଶୁଣିବା ପାଇଁ ପ୍ରସ୍ତୁତ ନୁହନ୍ତି। ପାଣ୍ଡୁ-ପୁତ୍ର ମାନଙ୍କୁ ସୂଚ୍ୟାଗ୍ର ପରିମିତ ଭୂମି ମଧ୍ୟ ଦେବାପାଇଁ ସେମାନେ ପ୍ରସ୍ତୁତ ନୁହଁନ୍ତି। ଗୋବିନ୍ଦ ! ଆପଣ ଦୁର୍ଯ୍ୟୋଧନକୁ ଏ ବିଷୟରେ ବୁଝାଇ ଶୁଝାଇ କିଛି ସମାଧାନ କରନ୍ତୁ।”
ଶ୍ରୀକୃଷ୍ଣ ଦୁର୍ଯ୍ୟୋଧନ ପ୍ରତି ଦୃଷ୍ଟିପାତ କରି କହିଲେ …କୁରୁପୁତ୍ର ! ତୁମର ଜନ୍ମ ପ୍ରଥିତଯଶା କୁରୁ ମାନଙ୍କ ବଂଶରେ। କିନ୍ତୁ ତୁମର କାର୍ଯ୍ୟ ଅତି ନୀଚ ପ୍ରକୃତିର ବ୍ୟକ୍ତି ମାନଙ୍କ ସଦୃଶ।ଧର୍ମର ପଥ ଅନୁସରଣ କର ଦୁର୍ଯ୍ୟୋଧନ!ତୁମର ଗର୍ହିତ କାର୍ଯ୍ୟ ଯୋଗୁଁ କୁରୁବଂଶ ଧ୍ବଂସ ହେବାପାଇଁ ଯାଉଛି। ତୁମେ ନ୍ୟାୟ ପଥ ଅନୁସରଣ କରି ପାଣ୍ଡବମାନଙ୍କୁ ନିଜର କଲେ ସେମାନେ ଆପେ ଆପେ ଧୃତରାଷ୍ଟ୍ରଙ୍କୁ ରାଜାର ସମ୍ମାନ ଦେଇ ତୁମକୁ ଯୁବରାଜର ସମ୍ମାନରେ ବିଭୂଷିତ କରିବେ। ସେମାନଙ୍କର ନ୍ୟାୟ-ସଙ୍ଗତ ଅର୍ଦ୍ଧେକ ରାଜ୍ୟ ନହେଲେ ମଧ୍ୟ ପାଞ୍ଚଖଣ୍ଡ ଗ୍ରାମ ଦାନ କଲେ ସେଥିରେ ସନ୍ତୁଷ୍ଟ ହୋଇ ପାଣ୍ଡବମାନେ ଶାନ୍ତି ପଥ ଅନୁସରଣ କରିବେ।”
ଗୋବିନ୍ଦଙ୍କ କଥାକୁ ସମର୍ଥନ କରି ଭୀଷ୍ମ ଏବଂ ଦ୍ରୋଣାଚାର୍ଯ୍ୟ ମଧ୍ୟ ଦୁର୍ଯ୍ୟୋଧନକୁ ଶାନ୍ତି ମାର୍ଗ ଅନୁସରଣ କରିବାକୁ ପ୍ରବର୍ତ୍ତାଇଲେ।କିନ୍ତୁ ଦୁର୍ଯ୍ୟୋଧନ କିଛି ଶୁଣିବା ମାନସିକତାରେ ନଥିଲା। ଧୃତରାଷ୍ଟ୍ର ଦୁର୍ଯ୍ୟୋଧନକୁ କହିଲେ …ପୁତ୍ର! ଶ୍ରୀକୃଷ୍ଣଙ୍କ କଥା ନଶୁଣିଲେ ନିଶ୍ଚିତ ଭାବରେ ଆମ ବଂଶ ଧ୍ବଂସ ପାଇଯିବ।”
ସମସ୍ତଙ୍କର ବାରମ୍ବାର ନିନ୍ଦା ଶୁଣି କ୍ରୋଧିତ ହୋଇ ଦୁର୍ଯ୍ୟୋଧନ କହିଲା… ବାସୁଦେବ ! ପାଣ୍ଡବମାନଙ୍କ ପ୍ରତି ଅତ୍ୟଧିକ ସ୍ନେହ ଯୋଗୁଁ ଆପଣଙ୍କ ସମେତ ଏଠାରେ ଉପସ୍ଥିତ ସମସ୍ତେ ମୋତେ ନିନ୍ଦା କରୁଛନ୍ତି। ମୋର ଅପରାଧ କଣ?ପାଣ୍ଡବ ମାନଙ୍କ ପ୍ରତି ଆମେ କ’ଣ ଅନ୍ୟାୟ କରିଛନ୍ତି?କେଉଁ ରାଜ୍ୟ ପାଣ୍ଡବଙ୍କୁ ଦେବାକଥା ଆପଣମାନେ କହୁଛନ୍ତି?ରାଜା ଧୃତରାଷ୍ଟ୍ରଙ୍କ ଉତ୍ତର ଦାୟାଦ ଭାବରେ ସମଗ୍ର ହସ୍ତିନା ରାଜ୍ୟ ମୋର।ମୋର ଅଜ୍ଞାତରେ ଯେଉଁ ଇନ୍ଦ୍ରପ୍ରସ୍ଥ ପାଣ୍ଡବ ମାନଙ୍କୁ ଦିଆ ଯାଇଥିଲା, ତାହା ସେମାନେ ଦ୍ୟୂତ କ୍ରୀଡାରେ ହାରିଯାଇଛନ୍ତି, ସେଥିପାଇଁ କଣ ମୁଁ ଦାୟୀ ?
ସର୍ତ୍ତ ଅନୁଯାୟୀ ବାରବର୍ଷ ବନବାସ ପରେ ଏକ ବର୍ଷ ଅଜ୍ଞାତ ବାସ ଗୁପ୍ତରେ ସେମାନେ ବିତାଇବା କଥା, କିନ୍ତୁ ଅଜ୍ଞାତବାସ ସମ୍ପୂର୍ଣ୍ଣ ହେବା ପୂର୍ବରୁ ସେମାନେ ଧରା ପଡି ଯାଇଛନ୍ତି।ନିୟମ ଅନୁଯାୟୀ ସେମାନେ ଆଉ ବାରବର୍ଷ ବନବାସ ଯିବାକଥା।ଅଥଚ ଆପଣମାନେ ମୋତେ କହୁଛନ୍ତି ରାଜ୍ୟରୁ ଭାଗ ଦେବାପାଇଁ !! କେଉଁ ରାଜ୍ୟ ?ଯେବେ ବାହୁରେ ଶକ୍ତି ଅଛି ପାଣ୍ଡବ ମାନଙ୍କର,ତାହେଲେ ଯୁଦ୍ଧକରି ଛଡ଼ାଇ ନିଅନ୍ତୁ; ବିନା ଯୁଦ୍ଧେ ଦେବି ନାହିଁ ସୂଚ୍ୟଗ୍ର ମେଦିନୀ।”
ପାଣ୍ଡବମାନଙ୍କ ପ୍ରତି କିଛି ଅନ୍ୟାୟ କରାଯାଇନାହିଁ ବୋଲି ଦୁର୍ଯ୍ୟୋଧନ ଯେତେବେଳେ କହିଲା,ଭୀମଙ୍କୁ ବିଷ ଲଡୁ ଦେବାଠାରୁ ଆରମ୍ଭକରି ଜତୁଗୃହ-ଦହନ, ଦ୍ୟୂତକ୍ରୀଡା ଏବଂ ଦ୍ରୌପଦୀଙ୍କ ବସ୍ତ୍ର ହରଣ ଆଦି ହୋଇଥିଵା ସବୁ ଅନ୍ୟାୟ ଶ୍ରୀକୃଷ୍ଣ ଗୋଟି ଗୋଟି କରି ଅବତାରଣା କଲେ। ଭୀଷ୍ମ ଦ୍ରୋଣ ବିଦୂର ସମେତ ଅନ୍ୟ ଅନେକେ ଦୁର୍ଯ୍ୟୋଧନକୁ ଦୋଷ ଦେବାର ଦେଖି ଦୁଃଶାସନ ଦୁର୍ଯ୍ୟୋଧନକୁ କହିଲା .. ଭ୍ରାତାଶ୍ରୀ ! ମନେହୁଏ ଏଠାରେ ଉପସ୍ଥିତ ସବୁ କୁରୁବୃଦ୍ଧ ମାନେ, ହସ୍ତ-ପଦ ବନ୍ଧନ କରି ଆପଣଙ୍କୁ ଶ୍ରୀକୃଷ୍ଣଙ୍କ ହାତରେ ସମର୍ପଣ କରିବେ।ଆମେ ଏଠାରୁ ପଳାଇଯିବା ହିଁ ଭଲ।”
ଏହାପରେ ଦୁର୍ଯ୍ୟୋଧନ ସମେତ କୌରବ ଶହେ ଭାଇ ଦରବାରରରୁ ଉଠି ଚାଲିଗଲେ। ସେମାନଙ୍କ ପ୍ରସ୍ଥାନ ପରେ ଶ୍ରୀକୃଷ୍ଣ କହିଲେ …. ଉପସ୍ଥିତ ସଭାସଦ ଗଣ ! ଏଭଳି କୁଳାଙ୍ଗାର ବଂଶ କ୍ଷତିକାରୀ ପୁତ୍ରକୁ କୁଳରୁ ତ୍ୟାଗ କରିଦେବା ଉଚିତ। କଂସ ଏବଂ ଶିଶୁପାଳଙ୍କର ମୃତ୍ୟୁ ପରେ ଯାଦବ ଏବଂ ବୃଷ୍ଣିବଂଶୀ ମାନେ ଯେପରି ଶାନ୍ତିରେ ନିଶ୍ୱାସ ମାରୁଛନ୍ତି ସେହିପରି ଏ କୁଳାଙ୍ଗାର ପୁତ୍ରକୁ ବଳି ଦେଲେ ଆପଣଙ୍କ କୁରୁ ବଂଶ ରକ୍ଷା ପାଇଯିବ ଏବଂ ସମସ୍ତେ ଶାନ୍ତିରେ ନିଃଶ୍ବାସ ମାରିବେ। ଦେଶ-ଦଶର ହିତ ପାଇଁ ଜଣକୁ ତ୍ୟାଗ କଲେ କ୍ଷତି ନାହିଁ।”
ଏ ଭିତରେ ଦୁର୍ଯ୍ୟୋଧନ, ଦୁଃଶାସନ, ଶକୁନି କର୍ଣ୍ଣ ଇତ୍ୟାଦି ଗୁପ୍ତ ମନ୍ତ୍ରଣା କକ୍ଷରେ ବସି ଶ୍ରୀକୃଷ୍ଣଙ୍କୁ ବନ୍ଦୀ କରିବା ଯୋଜନା କରୁଥିଲେ।ଶ୍ରୀକୃଷ୍ଣଙ୍କୁ ବନ୍ଦୀ କଲେ ପାଣ୍ଡବମାନଙ୍କର ନୈତିକ-ବଳ ହ୍ରାସ ହେବ,କାରଣ ପାଣ୍ଡବମାନଙ୍କର ମସ୍ତିଷ୍କ ହେଉଛନ୍ତି କୃଷ୍ଣ। ତା’ପରେ ପାଣ୍ଡବ ମାନଙ୍କୁ ହରାଇବା ସହଜ ହୋଇଯିବ।
ଦୁର୍ଯ୍ୟୋଧନ ଯେତେବେଳେ କୃଷ୍ଣଙ୍କୁ ବନ୍ଦୀ କରିବା ପାଇଁ ରାଜସଭାରେ ସଦଳଵଳେ ପହଞ୍ଚିଲା, ଅଟ୍ଟହାସ କରି କେଶବ କହିଲେ ..ନରାଧମ ! ତୁମେମାନେ ମୋତେ ସାଧାରଣ ଅସହାୟ ମନୁଷ୍ୟ ଭାବରେ ବିବେଚନା କରୁଛ !”
ଏହାପରେ ଯେଉଁ ଅଲୌକିକ ଘଟଣା ଘଟିଲା ତାହା ସମସ୍ତଙ୍କୁ ଆଚମ୍ବିତ କରିଦେଲା। ଅପୂର୍ବ ଆଲୋକର ବିଭାରେ ଉଜ୍ଜ୍ୱଳ ହୋଇଗଲା ସଭାଗୃହ। ବିଶ୍ଵରୂପରେ ଉଭା଼ହେଲେ ବିଶ୍ବାଧାର, ବିଶାଳ ନଭଶ୍ଚୁମ୍ବୀ ଶରୀର,କଣ୍ଠରେ ଜ୍ୟୋତିର୍ମୟ ଦିବ୍ୟ ମାଳା, ନାନାଦି ଆଭୂଷଣରେ ମଣ୍ଡିତ ଦେହ, ଅଗଣିତ ମୁଖ, ଅସଂଖ୍ୟ ବାହୁ ପରିଦୃଷ୍ଟ ହେଉଥିଲା।ବ୍ୟାଦାନ କରିଥିବା ମୁଖ ଭିତରେ ଅନେକ ବ୍ରହ୍ମାଣ୍ତର ଆତଜାତ;ତାଭିତରେ ରହିଥିଲେ କୁରୁ ସଭାରେ ଆସୀନ ଭୀଷ୍ମ ଦ୍ରୋଣ ଧୃତରାଷ୍ଟ୍ର ଆଦି ସମସ୍ତ ସଭାସଦଗଣ।
କିଛି ମୁହୂର୍ତ୍ତ ପାଇଁ ଚକ୍ଷୁଷ୍ମାନ ହୋଇ ଦିବ୍ୟଦୃଷ୍ଟିରେ ଅନ୍ଧ ଧୃତରାଷ୍ଟ୍ର ଏ ମହାଲୀଳା ଦର୍ଶନ କଲେ।ଭୀଷ୍ମ,ଦ୍ରୋଣ,କୃପ ଏବଂ ବିଦୂର, ଶ୍ରୀକୃଷ୍ଣଙ୍କ ପ୍ରତି ଅଚଳା ଭକ୍ତି ଯୋଗୁଁ ଚର୍ମଚକ୍ଷୁରେ ତାର ଆଭାସ ମାତ୍ର ପାଇଲେ।ଅନ୍ୟମାନେ ଚର୍ମଚକ୍ଷୁରେ ଦେଖି ପାରିଲେ ନାହିଁ।କେବଳ ଏକ ମହାନ୍ ଆଲୋକ ଜ୍ୟୋତିର ପ୍ରଭା ସେମାନଙ୍କୁ ଦୃଶ୍ୟମାନ ହେଲା।ଭୟରେ ଚକ୍ଷୁ ବନ୍ଦ କରି ସେମାନେ ସେ ସ୍ଥାନ ତ୍ୟାଗକରି ପଳାୟନ କଲେ।
ଶ୍ରୀକୃଷ୍ଣଙ୍କ ବିଶ୍ଵରୂପ ଦିବ୍ୟଦୃଷ୍ଟିରେ ଦର୍ଶନ କରିବା ସୌଭାଗ୍ୟ ତିନିଜଣଙ୍କୁ ପ୍ରାପ୍ତ ହୋଇଛି।ଜଣେ ଥିଲେ ମମତାମୟୀ ଜନନୀ ଯଶୋଦା; ପ୍ରଭୁଙ୍କ ବାଲ୍ୟଲୀଳା ସମୟରେ ପୁତ୍ରର ମୁଖ ଗହ୍ୱରରେ ସେ ବିଶ୍ବବ୍ରହ୍ମାଣ୍ଡ ଦର୍ଶନ କରିଥିଲେ; ଦ୍ବିତୀୟ ଥିଲେ ମହାନ ଭକ୍ତ ଅର୍ଜୁନ ଏବଂ ତୃତୀୟ ମାୟାମୋହଗ୍ରସ୍ତ ଧୃତରାଷ୍ଟ୍ର।
ନିଜ ସ୍ବାଭାବିକ ରୂପକୁ ଫେରିଆସିଲେ ଶ୍ରୀକୃଷ୍ଣ। ଧୃତରାଷ୍ଟ୍ର କହିଲେ…ମହାପ୍ରଭୁ ! ତୁମ ବିଶ୍ଵରୂପ ଭିତରେ ମୁଁ ସବୁକିଛି ଦର୍ଶନ କରିପାରିଛି,ଆଉ କିଛି ମୋର ଦେଖିବାର ନାହିଁ,ମୋତେ ପୁଣି ଥରେ ଅନ୍ଧ କରିଦିଅ କେଶବ।” ଧୃତରାଷ୍ଟ୍ରଙ୍କ ପ୍ରାର୍ଥନା ଗ୍ରହଣ କଲେ କେଶବ। ତାପରେ ଧୃତରାଷ୍ଟ୍ର ପୂର୍ବବତ୍ ଅନ୍ଧତ୍ବ ପ୍ରାପ୍ତ ହେଲେ।
ଧୃତରାଷ୍ଟ୍ରଙ୍କୁ,ଶ୍ରୀକୃଷ୍ଣଙ୍କ ଦ୍ବାରା ଦିବ୍ୟଦୃଷ୍ଟି ଦାନ ସତ୍ତ୍ୱେ ତାଙ୍କର ପୁନର୍ବାର ଅନ୍ଧତ୍ବ ପ୍ରାର୍ଥନା ଥିଲା ବଡ଼ ସାଙ୍କେତିକ।ଅପତ୍ୟ-ମୋହରେ ଜର୍ଜରିତ ବ୍ୟକ୍ତିର ଜ୍ଞାନ-ଚକ୍ଷୁ କଦାପି ଉନ୍ମୋଚିତ ହୁଏନାହିଁ। ସେହି ମାୟା ମୋହ ହିଁ ତା’ର ସଂସାର ଏବଂ ସେହି ଜୀବନ୍ମୃତ୍ୟୁ ଭିତରେ ସେ ବଞ୍ଚିବାକୁ ଚାହେଁ। ଶ୍ରୀକୃଷ୍ଣଙ୍କର ଅଲୌକିକତା ଦେଖି ମଧ୍ୟ ଧୃତରାଷ୍ଟ୍ର ନିଜର ପୁତ୍ର ବିରୁଦ୍ଧରେ କିଛି ପଦକ୍ଷେପ ନେଲେ ନାହିଁ।ସେ ଚାହିଁଥିଲେ ଭୀଷ୍ମ ଓ ଦ୍ରୋଣଙ୍କ ସହାୟତାରେ ଦୁର୍ଯ୍ୟୋଧନକୁ ଶାସନ କରିପାରିଥାନ୍ତେ। କିନ୍ତୁ ଅପତ୍ୟ ମୋହ,ରାଜ୍ୟ ଲୋଭ ଏବଂ ଅସୂୟାର ବେଡି ତାଙ୍କ ବୁଦ୍ଧି ଓ ବିବେକକୁ ବାନ୍ଧି ଦେଇଥିଲେ। କ୍ଷମତା ଥାଇ ମଧ୍ୟ ଅସହାୟତା ପ୍ରକାଶ କଲେ ଧୃତରାଷ୍ଟ୍ର। ଶ୍ରୀକୃଷ୍ଣ ରାଜସଭା ତ୍ୟାଗ କରିବା ପୂର୍ବରୁ କହିଲେ… କୌରବ ମାନଙ୍କର ଧ୍ବଂସ ଅବଶ୍ୟମ୍ଭାବୀ।”
ଶାନ୍ତି-ପ୍ରତିଷ୍ଠା ପ୍ରୟାସ ବିଫଳ ହେଲା।ମାଧବ,ପାଣ୍ଡବ ମାନଙ୍କ ନିକଟକୁ ଉପପ୍ଲାବ୍ୟ ଫେରି ଆସିଲେ। କ୍ରମଶଃ..