ଧର୍ମକୁ ଆଖିଠାର: ରେଳ ଦୁର୍ଘଟଣାର ସିବିଆଇ ତଦନ୍ତ

ଭୁବନେଶ୍ୱର/ବାଲେଶ୍ୱର : ଓଡ଼ିଶାର ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ବାହାନଗା ଷ୍ଟେସନ ନିକଟରେ ଘଟିଗଲା ଭୟାନକ ଟ୍ରେନ୍‌ ଦୁର୍ଘଟଣା । ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଲୋକସଭା କ୍ଷେତ୍ରରେ । ବିଜେଡି ବଳରେ ରାଜ୍ୟସଭାକୁ ମଣ୍ଡନ କରିଥିବା ବିଜେପି ନେତା ଅଶ୍ୱିନୀ ବୈଷ୍ଣବ ରେଳମନ୍ତ୍ରୀ ଦାୟିତ୍ୱ ତୁଲାଉଥିବା ସମୟରେ କରମଣ୍ଡଳ ଏକ୍ସପ୍ରେସ ତାଙ୍କ ମୁଣ୍ଡରେ ପିନ୍ଧାଇ ଦେଲା କଳଙ୍କର ଟୀକା । ଲୌହ ଦାନବର ରକ୍ତଭୋଜିରେ ଗଡ଼ିଲା ୨୮୮ଟି ମୂଲ୍ୟବାନ ଜୀବନ । ବାପାର ଏକମାତ୍ର ରୋଜଗାରିଆ ପୁଅ ଚାଲିଗଲା । ମାଆର ଏକମାତ୍ର କୋଳପୋଛା ପୁଅ ଚାଲିଗଲା । ଚାରିଦିନର ବୋହୁ ହରାଇଲେ ମନର ମଣିଷକୁ । ବର୍ଷକର ଶିଶୁ ମୁଣ୍ଡ ଉପରୁ ଚାଲିଗଲା ବାପାର ହାତ।

ପ୍ରଥମେ ଖବର ପ୍ରସାରିତ ହେଲା, ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି । ଅଧଘଂଟା ପରେ ଖବର ପ୍ରସାରିତ ହେଲା, ମାଲବାହୀ ଟ୍ରେନକୁ ପଛରୁ ପିଟିଛି କରମଣ୍ଡଳ । ମୃତାହତଙ୍କ ସଂଖ୍ୟା ପ୍ରାୟ ୫୦ ହେବ । ଠିକ୍‌ ତା’ର ଅଧଘଂଟା ପରେ ଆଉ ଗୋଟିଏ ଟ୍ରେନ୍‌ ଦୁର୍ଘଟଣାର ଶିକାର ଖବର । ରାତି ସାଢେ଼ ୧୧ଟା ବେଳକୁ ଛାତିଥରା ଖବର ପ୍ରସାରିତ ହେଲା । କ’ଣ ନା ବାହାନଗା ଷ୍ଟେସନ ଆଖପାଖ ଅଂଚଳଟି ଲୋକଙ୍କ ରକ୍ତରେ ଲାଲ ହୋଇଯାଇଛି।

ଖବର ଶୁଣିବା ପରଠାରୁ ଲୋକଙ୍କ ଆଖିରୁ ନିଦ ହଜିଗଲା । ପେଟରୁ ଭୋକ ଚାଲିଗଲା । ବାଲେଶ୍ୱର ଷ୍ଟେସନରେ କରମଣ୍ଡଳ ଚଢ଼ି ଫୋନରେ ମା’କୁ କହିଲା ପିଲାଟି, ‘ମା, ମାଛ ଭାଜି ରଖିଥା । ୨୦ ମିନିଟ୍‌ ଭିତରେ ପହଂଚୁଛି ।’ ହେଲେ ସେ କି ଜାଣିଥିଲା ୨୦ ମିନିଟ୍‌ ପରେ ତାକୁ ଡାକ୍ତରଖାନା ବେଡ୍‌ରେ ଶୋଇବାକୁ ପଡ଼ିବ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଭିଯୋଗ ମୁତାବକ ୫୩ ଯାତ୍ରୀଙ୍କର ପତ୍ତା ମିଳୁନି । ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କ ସୂଚନା ମୁତାବକ ଶବ ହସ୍ତାନ୍ତର ସମୟ ସାପେକ୍ଷ । ବହୁ ଯାତ୍ରୀଙ୍କର ସଂପର୍କୀୟମାନେ ଓଡ଼ିଶାକୁ ଆସି ପ୍ରଶାସନିକ ଅବ୍ୟବସ୍ଥାର ଶିକାର ହୋଇ ଖାଲି ହଲାପଟା ହେଉଛନ୍ତି; ସଂପର୍କୀୟଙ୍କ ମୃତଦେହ ପାଉଛନ୍ତି ନା ଜୀବିତ ଅବସ୍ଥାରେ ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଭିଯୋଗକୁ ସଫା ସଫା ଉଡାଇ ଦେବା ପାଇଁ କେନ୍ଦ୍ର ରେଳମନ୍ତ୍ରୀ ସିବିଆଇକୁ ଢାଲ କରିଛନ୍ତି । ମାତ୍ର ଦୁର୍ଘଟଣା ପାଇଁ ନିଜକୁ ଦାୟୀ କରିବାକୁ ରାଜି ନୁହନ୍ତି । ଯୋଉ ଦିନଠାରୁ ରେଳ ବିଭାଗଟିକୁ ମୁଣ୍ଡାଇଲେ, ସେଇ ଦିନଠାରୁ ଅଶ୍ୱିନୀ ଦୈନିକ ଅନ୍ୟୁନ ୧୦ଟି ଷ୍ଟେସନର ସୁରକ୍ଷିତ ଟ୍ରେନ୍‌ ଚଳାଚଳ ବ୍ୟବସ୍ଥାକୁ ଯାଂଚ କରିଥିଲେ, ରେଳ କର୍ମଚାରୀମାନେ ଏତେଟା ବେପରୁଆ ହୋଇ ନଥାନ୍ତେ କି ଏପରି ଭୟଙ୍କର ରେଳ ଦୁର୍ଘଟଣା ହୋଇ ନଥାନ୍ତା ।

ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ କହିଲେ, ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କିନ୍ତୁ ସେ ଯେ ଏକନମ୍ବର ଦୋଷୀ । ଏମିତି ଏକ ରେଳ ଦୁର୍ଘଟଣାର ଭୟାବହ ଦୃଶ୍ୟକୁ ଦେଖି ଲାଲ ବାହାଦୁର ଶାସ୍ତ୍ରୀ ନିଜକୁ ଦାୟୀ କରି ରେଳମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଥିଲେ । କିନ୍ତୁ ଅଶ୍ୱିନୀ ବୈଷ୍ଣବ ନିଜକୁ ଦାୟୀ କରିବାକୁ ଅରାଜି ।